କୋଇଡା (ରତ୍ନଗିରି ନ୍ୟୁଜ) : ଖଣି ଅଞ୍ଚଳରେ ଷ୍ଟ୍ରବେରୀ ଚାଷ । ଖଣି ଅଞ୍ଚଳ ପଥୁରିଆ ମାଟିରେ ହୋଇଛି ଲାଲ ଲାଲ ଷ୍ଟ୍ରବେରୀ । ଖାଇବାକୁ ଯେତିକି ସୁନ୍ଦର ଦେଖିବାକୁ ଖାଇବା ଠାରୁ ଆହୁରି ସୁନ୍ଦର । ସାରା ଖଣି ଅଞ୍ଚଳରେ ଏକ ମାତ୍ର ଷ୍ଟ୍ରବେରୀ ଚାଷ ହୋଇଛି ସଫଳ । ଷ୍ଟ୍ରବେରୀ ଚାଷକୁ ସଫଳ କରି ଦେଖାଇଛନ୍ତି କୋଇଡା ବ୍ଲକ ଡେଙ୍ଗୁଳା ପଞ୍ଚାୟତ ବନ୍ଦଲ ଗ୍ରାମର ସଫଳ ଚାଷୀ ଈଶ୍ୱର ନାଏକ । ନାମ ଯେମିତି ଈଶ୍ୱର କାମ ବି ସେମିତି ପରମେଶ୍ୱର । ଈଶ୍ୱର ନାଏକ ଯେତେବେଳେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଥିଲେ ସେତେବେଳେ ଭାବି ନ ଥିଲେ କି ଷ୍ଟ୍ରବେରୀ ଏହି ପଥୁରିଆ ମାଟିରେ ଏତେ ସୁନ୍ଦର ହେବ । ଷ୍ଟ୍ରବେରୀ ଚାଷ ଈଶ୍ୱର ୟୁ ଟ୍ୟୁବ ଦେଖି ଶିଖିଥିବା ବେଳେ ଏବେ ସେ ପୁରା କୋଇଡା ଖଣି ଅଞ୍ଚଳରେ ପ୍ରଥମ ସଫଳ ଷ୍ଟ୍ରବେରୀ ଚାଷୀ । ଏହି ଚାଷ କରି ଈଶ୍ୱର କୋଇଡା ବଜାରକୁ ନେଇ ବିକ୍ରି କରି ଭଲ ଦି ପଇସା ରୋଜଗାର କରି ଘର ଚଳାଉଛନ୍ତି । ଖଣି ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ହୋଇଥିବା ଜାଣି ବିଭିନ୍ନ ଗ୍ରାମବାସୀଙ୍କ ସମେତ ନିକଟସ୍ଥ ଖଣିରେ ବାହାରୁ ଆସି ଚାକିରୀ କରିଥିବା ଖଣି କର୍ମଚାରୀ ମାନେ ଷ୍ଟ୍ରବେରୀକୁ ଦେଖିବା ପାଇଁ ଭିଡ ଲାଗୁଥୁବା କହିଛନ୍ତି ଈଶ୍ୱର ।

ସେ ଆହୁରି କହିଛନ୍ତି ଯେଉଁମାନେ ତାଙ୍କ ଚାଷ ଦେଖିବାକୁ ଆସନ୍ତି ସେମାନଙ୍କୁ ଷ୍ଟ୍ରବେରୀ ଖାଇବାକୁ ଦିଅନ୍ତି ଓ ଷ୍ଟ୍ରବେରୀ ଦେଖିବା ସହିତ ସେମାନେ ଫୋଟୋ ଉଠାଉଛନ୍ତି ଯାହା ତାଙ୍କୁ ବହୁତ ଖୁସି ଲାଗୁଛି । ଚାଷ ପାଇଁ ଆଗ୍ରହୀ ଥିବା ଅଖ ପାଖ ଅଞ୍ଚଳର ଅନେକ ଲୋକ ଈଶ୍ୱରଙ୍କ ଫସଲ ବୁଲିବା ସହ ତାଙ୍କ ଠାରୁ ପ୍ରାକୃତିକ ଚାଷ ପ୍ରଣାଳୀ ବିଷୟରେ ପଚାରି ବୁଝୁଛନ୍ତି । କୋଇଡା ଖଣି ଅଞ୍ଚଳରେ ଏହି ପଥୁରିଆ ମାଟିରେ ଈଶ୍ୱର ବୁଣିଥିବା ଏହି ସବୁଜ ସ୍ବପ୍ନ ଆଜି ସାରା କୋଇଡା ଖଣି ଅଞ୍ଚଳର ଚାଷୀଙ୍କୁ ଏକ ନୂଆ ଦିଗ ଦେଖାଇଛି । ତେବେ ଚାଷକୁ ଆହୁରି ଅଧିକ କରିବା ସହିତ ସରକାରଙ୍କ ତରଫରୁ ଆହୁରି ସହଯୋଗ ମିଳିଲେ ସେ ନିଶ୍ଚିତ ଭାବରେ ଅଧିକରୁ ଅଧିକ ଷ୍ଟ୍ରବେରୀ ଚାଷ କରିବେ ବୋଲି କହିଛନ୍ତି ।




