ବରୀ, ( ରତ୍ନଗିରି ନ୍ୟୁଜ)୦୩. ୦୫. ୨୬- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସହିତ ଜଡିତ ବିଭିନ୍ନ ଉତ୍ପାଦର ସର୍ବବୃହତ ସଂଗ୍ରହ ପାଇଁ ବରୀର ପୁଅ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ ଶେଖର ଦାଶଙ୍କ ନାମ ୱାର୍ଲ୍ଡ ଏକ୍ସଲେନ୍ସ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛି | ତାଙ୍କ ସଂଗ୍ରହରେ ରହିଛି ଖବରକାଗଜ, ପତ୍ରିକା, ପୁସ୍ତକ, ଫିଲାଟେଲି ଜିନିଷପତ୍ର, ୧୦୦ ଟଙ୍କାର ସ୍ମାରକୀ ମୁଦ୍ରା ଏବଂ ଅନ୍ୟାନ୍ୟ ବିରଳ ସ୍ମାରକୀ। ମୋଟ ୫୦୦ରୁ ଅଧିକ ପଦାର୍ଥ ଥିବାରୁ ତାଙ୍କୁ ଏହି ସମ୍ମାନଜନକ ୱାର୍ଲଡ଼ ରେକର୍ଡସ ମିଳିଥିବା ଜଣାଯାଇଛି |

ଏଠାରେ କୁହାଯାଇପାରେ ଯେ ବିଜେପି ଓଡ଼ିଶା ଶାଖା ସହଯୋଗରେ ୨୫ ଡିସେମ୍ବର ୨୦୨୫ରେ ଅଟଳଜୀଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଏସବୁ ସଂଗ୍ରହକୁ ନେଇ ଅଟଳନାମା ନାମକ ଏକ ପ୍ରଦର୍ଶନୀ ବିଜେପି ପାର୍ଟି କାର୍ଯ୍ୟାଳୟରେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ କରିଥିଲେ । ଏହି ପ୍ରଦର୍ଶନୀକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜ୍ୟ ସଭାପତି ମନମୋହନ ସାମଲ, ଯାଜପୁର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ |
ସୂଚନାଯୋଗ୍ୟ ଖବରକାଗଜ ସଂଗ୍ରହ କରି ପେପରମ୍ୟାନ ଇଣ୍ଡିଆ ଭାବେ ନିଜକୁ ପରିଚିତ କରାଇଥିବ ଶଶାଙ୍କ ଶେଖର ଦାଶ ପୂର୍ବରୁ ନିଜ ନାମ ଗିନିସ ୱାର୍ଲଡ଼ ରେକର୍ଡସରେ ସ୍ଥାନିତ କରିଛନ୍ତି | ସେ ସ୍ଥାନୀୟ ଅରଙ୍ଗାବାଦ ନିବାସୀ ଆଦର୍ଶ ଶିକ୍ଷକ ଶ୍ରୀ ଦୋଳଗୋବିନ୍ଦ ଦାଶଙ୍କ ପୁଅ | ଓଡ଼ିଶାରେ ଏକ ସ୍ୱତନ୍ତ୍ର ଖବରକାଗଜ ସଂଗ୍ରହାଳୟ ପ୍ରତିଷ୍ଠା ହେଉ ବୋଲି ଦାବି କରି ଆସୁଛନ୍ତି | ଯଦି ସରକାର ଏହା ପ୍ରତିଷ୍ଠା କରୁଛନ୍ତି ତେବେ ସେ ତାଙ୍କ ସଂଗୃହିତ ସମସ୍ତ ଖବରକାଗଜ ଦାନ କରିବେ ବୋଲି ସୂଚନା ଦେଇଛନ୍ତି |



