ବରୀ,୨୨।୯(ରତ୍ନଗିରି ନ୍ୟୁଜ) : ବରୀ ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ମୋଟ ୧୫୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୧୪ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୬ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୩୨ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୩୪ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା।

ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରିମଲ୍, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦେବି ପ୍ରସାଦ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ମିଶ୍ର, ମଣ୍ଡଳ ଉନ୍ନୟନ ଅଧିକାରୀ ଅସିତ କୁମାର ମହାନ୍ତି, ତହସିଲଦାର ଦୀପ୍ତିମୟୀ ବେହେରା ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ଜିଲ୍ଲାପାଳ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଆଜିର ଅଭିଯୋଗ ଶୁଣାଣି ଶିବିରରେ ଚିହ୍ନଟ ହୋଇଥିବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଟ୍ରାଇ ସାଇକଲ ଓ ଶ୍ରବଣ ଯନ୍ତ୍ର ପ୍ରଭୃତି ବଣ୍ଟନ କରାଯାଇଥିଲା।




