ମୟୁରଭଞ୍ଜର ଶତାଧିକ କର୍ମକର୍ତ୍ତାଙ୍କ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର ତା ୪/୮/୨୫(ରତ୍ନଗିରି ନ୍ୟୁଜ) :- ମୟୁରଭଞ୍ଜ ଜିଲ୍ଲା କଂଗ୍ରେସର ସଂଯୋଜକ(ପୂର୍ବ) ଅରବିନ୍ଦ ଦାସ ଓ ସଂଯୋଜକ(ପଶ୍ଚିମ) ଭୁବନ ବିହାରୀ ସାହୁଙ୍କ ନେତୃତ୍ୱରେ ଆଜି କଂଗ୍ରେସ ଭବନଠାରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ଚିନ୍ତାଧାରା,ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ବକୁ ଆସ୍ଥା ପ୍ରକଟ କରି ଜେଏମଏମ ବିଧାୟକ ପାର୍ଥୀ ବିଷ୍ଣୁ ସିଂ, ଜେଏମଏମ ଜିଲ୍ଲା ପରିଷଦ ପାର୍ଥୀ ଦେବେନ୍ଦ୍ର ସିଂଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ଜେଏମଏମ, ବିଜେଡି, ବିଜେପି ଦଳର ଶତାଧିକ କର୍ମୀ ଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି।

ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଏବଂ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାଶ,ମୁଖପାତ୍ର ମନୀଷା ଦାସ ପଟ୍ଟନାୟକ ପ୍ରମୁଖ ନେତୃବୃନ୍ଦଙ୍କ ଉପସ୍ଥିତିରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇଥିବା ନେତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଥିଲେ ।

ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସ, ନୂତନ କରି କଂଗ୍ରେସରେ ଯୋଗଦାନ କରିଥିବା ସମସ୍ତ ସଦସ୍ୟଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇବା ସହ ଆହ୍ୱାନ ଦେଇ କହିଥିଲେ ଯେ, ବର୍ତ୍ତମାନର ସରକାର ଏକ ଆଦିବାସୀ ଦଳିତ ବିରୋଧୀ ସରକାର। ଆଦିବାସୀ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ବିଶେଷତଃ ମୟୁରଭଞ୍ଜରେ ବିସ୍ଥାପନ, ଭୁମିହୀନଙ୍କ ପାଇଁ ଜମି ପଟ୍ଟା ସମସ୍ୟା ଉତ୍କଟ ରୂପ ଧାରଣ କଲାଣି ତେଣୁ ଆଦିବାସୀଙ୍କ ନ୍ୟାୟ ପାଇଁ କଂଗ୍ରେସ ସମସ୍ତ ପ୍ରକାର ସହାୟତା ଦେବ, ସେମାନଙ୍କ ପାଇଁ ସଂଗ୍ରାମ କରିବ । ସମସ୍ତ ଅତ୍ୟାଚାରିତଙ୍କୁ ନ୍ୟାୟ ପ୍ରଦାନ କରିବା ହେଉଛି କଂଗ୍ରେସର ପ୍ରଥମ କର୍ତ୍ତବ୍ୟ ବୋଲି ଶ୍ରୀ ଦାସ ମତପ୍ରକାଶ କରିଥିଲେ।

ସଭା ପ୍ରାରମ୍ଭରେ ପିସିସି ସଭାପତି ଶ୍ରୀ ଦାସ ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଭାରତର ବରପୁତ୍ର ବିର୍ସା ମୁଣ୍ଡାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏହି ଅବସରରେ ବିଶିଷ୍ଟ ଆଦିବାସୀ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା।

ଶେଷରେ ମିଡିଆ ସେଲ ଅଧ୍ୟକ୍ଷ ଶ୍ରୀ ଦାସ ଏଇ ମିଶ୍ରଣ ପର୍ବ ପାଇଁ ମୟୁରଭଞ୍ଜ ଜିଲ୍ଲାର ଦୁଇ ସଂଯୋଜକ ତଥା ଦୂର ଦୁରାନ୍ତରୁ ଆସିଥିବା ମା ଭଉଣୀ ଏବଂ ଭାଇଙ୍କୁ କଂଗ୍ରେସ ଦଳ ତରଫରୁ ଧନ୍ୟବାଦ ଜଣାଇଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *