ବରୀ,(ରତ୍ନଗିରି ନ୍ୟୁଜ) : ଅକ୍ଷୟ ତୃତୀୟା ଓଡ଼ିଶାର ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଚାଷୀ ମାନେ ଏହି ଦିନ ଠାରୁ ମାଟି ମା ଓ ହଳ ନଙ୍ଗଳକୁ ପୂଜାର୍ଚ୍ଚନା କରି ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହି ମର୍ମରେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ବାଲିବିଲ ପଞ୍ଚାୟତ ସ୍ଥିତ ଗାନ୍ଧୀ ଛକ ନିକଟରେ ଅକ୍ଷିମୁଠି ଅନୁକୂଳ କରି ବିହନ ବୁଣି କୃଷି କାର୍ଯ୍ୟ କରିଥିବାର ଦେଖିବାକୁ ମିଳିଛି। ଯୁବ ବିଧାୟକଙ୍କ ଅକ୍ଷିମୁଠି ଅନୁକୂଳ ସମୟରେ ଶତାଧିକ ମହିଳା ଓ ଚାଷୀ ଉପସ୍ଥିତ ରହି ଶଙ୍ଖ ହୁଳହୁଳି ଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଚାଷୀ ମାନଙ୍କ ମଧ୍ୟରେ ଏକ ଖୁସିର ଲହରୀ ଦେଖିବାକୁ ମିଳିଥିଲା। ବରୀ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏଠି ପ୍ରାୟ ଶତକଡା ୭୦ ଭାଗ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି।

ତେଣୁ ଚଳିତ ବର୍ଷ ବରୀ ଅଞ୍ଚଳର କୃଷକ ମାନଙ୍କର ଚାଷ କାର୍ଯ୍ୟ ଭଲ ହେଉ, ଚାଷୀମାନଙ୍କ ଦୁଃଖ ସରକାର ଶୁଣନ୍ତୁ। ଚାଷୀମାନେ ଖୁସିରେ ରୁହନ୍ତୁ ବୋଲି ଶ୍ରୀ ମଲ୍ଲିକ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରୀ ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ବ୍ଲକ ବିଜେଡି ସଭାପତି କେଦାର ସାମଲ, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ ସାମଲ, ଦିଲ୍ଲୀପ ମହାନ୍ତି, ପ୍ରସନ୍ନ ସାମଲ, ହରିହର ପଣ୍ଡାଙ୍କ ସମେତ ବରୀ ଅଞ୍ଚଳର ବହୁ ସଂଖ୍ୟକ ପୁରୁଷ, ମହିଳା ଓ ଯୁବ ଚାଷୀମାନେ ଉପସ୍ଥିତ ଥିଲେ।



