ବରୀ,(ରତ୍ନଗିରି ନ୍ୟୁଜ ) : ବରୀ କୁଅଖିଆ ରାସ୍ତାର ଚୂଡ଼ାକଳ ଛକରୁ ଚଟୁମାରୀ ପର୍ଯ୍ୟନ୍ତ ପୂର୍ତ୍ତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଜମି ମାଲିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ପୂର୍ବରୁ କୌଣସି ପୂର୍ବ ସୂଚନା ନଦେଇ କାମ ଆରମ୍ଭ କରାଯାଇଥିବା ଓ ପ୍ରଭାବିତ ଜମି ମାଲିକମାନଙ୍କୁ ଅବଗତ କରାଯାଇ ନଥିବା ଅଭିଯୋଗରେ ପ୍ରତିବାଦ ଜୋରଦାର ହୋଇଛି। ସୂଚନାଥାଉକି ୨୦୦୪ ମସିହାରେ ଏହି ରାସ୍ତା ନିର୍ମାଣ ସମୟରେ ଜମି ହରାଇଥିବା ଜମିମାଲିକ ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇନଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ କୁଳମଣି ଶୁକ୍ଳ, ସାବିତ୍ରୀ ଦାଶ, ସୀତାରାଣୀ ଦେଓ, ପ୍ରଶାନ୍ତ ପରିହାରୀ, ବିରଞ୍ଚି ନାରାୟଣ ସାହୁ, ଶଶିକାନ୍ତ ବେହେରା, ପ୍ରଭାତୀ ପରିଡା, ରୁକ୍ମଣୀ ମହାନ୍ତି, ଶରତ ସାହୁ, ସୁଦର୍ଶନ ସାହୁ, ବିଦ୍ୟାଧର ତ୍ରିପାଠୀ, ସନ୍ତୋଷ ପାଢ଼ୀ, ନିର୍ମଳ ମଳିକ, ଧରଣୀ ଧରମଳିକ, ଭାଗିରଥି ମଳିକ ଓ ନାରାୟଣ ମଳିକଙ୍କ ସମେତ ଅନେକ ଜମିମାଲିକ ବରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଥିଲେ।

ପ୍ରତିବାଦକାରୀମାନେ ଜମି ଅଧିଗ୍ରହଣ ଆଇନ ଅନୁସାରେ ପୂର୍ବ ସୂଚନା, ଯଥାର୍ଥ ମୂଲ୍ୟାୟନ ଓ ଯଥୋଚିତ କ୍ଷତିପୂରଣ ପ୍ରଦାନପରେ ରାସ୍ତା ପ୍ରଶସ୍ତିକରଣ କାମ ଆରମ୍ଭ କରିବାକୁ ଦାବି କରିଥିଲେ। ସେମାନେ ଜିଲ୍ଲା ପ୍ରଶାସନ, ପୂର୍ତ୍ତି ବିଭାଗ ଓ ବରୀ ତହସିଲ ପ୍ରଶାସନଙ୍କ କାର୍ଯ୍ୟ ଅବହେଳାକୁ କଡା ଭାବେ ନିନ୍ଦା କରି ତୁରନ୍ତ କାମ ବନ୍ଦ କରି ସଠିକ୍ ପ୍ରକ୍ରିୟା ଅନୁସରଣ ପାଇଁ ଦାବି ଉଠାଇଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଚେତନ କରାଯାଇଥିଲା। ପରେ ପୂର୍ତ୍ତି ବିଭାଗର ଯନ୍ତ୍ରୀ ନାରାୟଣ ଟୁଡୁ ଧାରଣା ସ୍ଥଳରେ ପହଞ୍ଚି ଜମିମାଲିକମାନଙ୍କୁ କ୍ଷତିପୂରଣ ଦେଇନଥିବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।



