ବରୀ (ଉତ୍କଳ ସମାଜ) ପଲ୍ଲୀ ବିକାଶରେ ପ୍ରତିଭାର ସ୍ୱର ମାଧ୍ୟମରେ ଭୁରୁଗାଁ ଗ୍ରାମର ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ଦେବା ପାଇଁ ଚଳିତ ବର୍ଷ ଉପେନ୍ଦ୍ରନାଥ ସାଂସ୍କୃତିକ ପରିଷଦ, ବରୀ ପକ୍ଷରୁ ଏହାର ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ ମହାସମାରୋହରେ ରବିବାର ଭୁରୁଗାଠାରେ ଅନୁଷ୍ଠିତ ହୋଇ ଯାଇଅଛି।
ଯାଜପୁର ସାଂସଦ ଡ଼କ୍ଟର ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ସ୍ବର୍ଗତ ଉପେନ୍ଦ୍ରନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନୁଷ୍ଠାନ ସଭାପତି ଡାକ୍ତର ରାଜକିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ଭର୍ଦ୍ଧନା ପର୍ବରେ ବିଶିଷ୍ଟ ଶିକ୍ଷାବିତ ସୀତାକାନ୍ତ ପଣ୍ଡା, ବିଜୟ କୁମାର ଦାଶ, ସୁବାସ ବିଶ୍ୱାଳ, ଗଗନ ବିହାରୀ ଜେନା ପ୍ରମୁଖ ମଞ୍ଚାସୀନ ରହି ପ୍ରତିଭା ସମ୍ମାନ ରେ ସହଯୋଗ କରିଥିଲେ।
ନିଜ ପିତା ସ୍ବର୍ଗତ ଉପେନ୍ଦ୍ରନାଥଙ୍କ ମାର୍ଗରେ ସତ ପଥରେ ସେ ସର୍ବଦା ନିଜ କର୍ତ୍ତବ୍ୟ ସମ୍ପାଦନ କରିଚାଲିଛନ୍ତି ଓ ଆଗକୁ କରି ଚାଲିବେ ବୋଲି ନିଜ ଅଭିଭାଷଣ ରେ ପ୍ରକାଶ କରୁଥିଲେ ଡାକ୍ତର ପଣ୍ଡା। ଏହି ଗାଁ ର ବିକାଶ ର ସାରଥୀ ଗ୍ରାମବାସୀ ଓ ଆଗକୁ ଆହୁରି ବିକାଶ ହେବ ବୋଲି ଡାକ୍ତର ପଣ୍ଡା ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ମାନଙ୍କୁ ପ୍ରାରମ୍ଭିକ ପର୍ୟାୟରେ ନାଗରିକ ସମ୍ମାନ ପ୍ରଦାନ କରାଯାଇଅଛି, ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ପଣ୍ଡାଙ୍କ କନିଷ୍ଠ ଭ୍ରାତା, ପୁତ୍ର ବଧୂ, ଝିଅ ଓ ପରିବାର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ସତ୍ୟରଞ୍ଜନ କର ପରିଚାଳନା କରିଥଲେ



