ବରୀ (ରତ୍ନଗିରି ନ୍ୟୁଜ) :ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସମଗ୍ର ଦେଶରେ ଚାଲିଥିବା “ଗୋ ସମ୍ମାନ ଆହ୍ୱାନ” ଅଭିଯାନ ଅନୁସାରେ ବରୀ ବ୍ଲକରେ ଏକ ସାମୂହିକ ନିବେଦନ ପତ୍ର ତହସିଲ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। ଏହି ନିବେଦନ ପତ୍ର ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରିତ କରାଯାଇଛି।ବରୀ ବ୍ଲକରୁ ପ୍ରାୟ ଛଅ ହଜାର ଦସ୍ତଖତ ସଂଗ୍ରହ କରି ଚାରିଟି ସେଟ୍ ନିବେଦନ ପତ୍ର ସୋମବାର ଦିନ ବରୀ ତହସିଲରେ ଜମା ହୋଇଥିଲା। ପ୍ରାତଃକାଳରେ ବରୀ ମାଉଣ୍ଟ ମା ଜାଗୁଳାଇ ମନ୍ଦିର ପରିସରରେ ମହାବୀରଙ୍କ ନିକଟରେ ନିବେଦନ ପତ୍ରର ଆନୁଷ୍ଠାନିକ ପୂଜାର୍ଚ୍ଚନା କରାଯାଇଥିଲା।

ପରେ ଶାନ୍ତିପୂର୍ଣ୍ଣ ଭାବେ ଏକ ରାଲୀ ଆୟୋଜନ କରି ତହସିଲ କାର୍ଯ୍ୟାଳୟରେ ଏହାକୁ ପ୍ରଦାନ କରାଯାଇଥିଲା ଅଭିଯାନରେ ବରୀ ବ୍ଲକର ମାର୍ଗଦର୍ଶକ ସନ୍ଥ ଶ୍ୟାସୁନ୍ଦର ଦାଶ, ବ୍ଲକ ସଂଯୋଜକ ଓ ସମାଜସେବୀ କବିର ଦାସ, ଆବାହକ ତଥା ଗୋସେବକ ଦୀପକ ଭାରଦ୍ୱାଜ, ଉପଦେଷ୍ଟା ଡାକ୍ତର ବିଶ୍ୱନାଥ ତ୍ରିପାଠୀ, ବିବେକାନନ୍ଦ ଜେନା, ଆଶୁତୋଷ ପରିଡା, ଚିତ୍ତରଞ୍ଜନ ପରିଡା, ସଂଗ୍ରାମ ପଲ୍ଲାଇ, ରାଜ ମଲ୍ଲିକ ଓ ଦୁର୍ୟୋଧନ ପଣ୍ଡାଙ୍କ ସହ ଅନେକ ଗୋସେବକ ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ। ସମସ୍ତେ ଗୋ ସମ୍ମାନ ଓ ସୁରକ୍ଷା ବିଷୟରେ ନିଜ ମତ ରଖିଥିଲେ।ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ତ୍ବରାନ୍ୱିତ କରିବା ସହ ବରୀ ଅଞ୍ଚଳରେ ଗୋବଂଶ ବୃଦ୍ଧି ଓ ଏକ ଗୋଶାଳା ସ୍ଥାପନା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।



