କଟକ ବଡ ଡାକ୍ତରଖାନା ୧୪ ରୋଗୀଙ୍କ ମୃତ୍ୟୁ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ -ମିଳିତ ବିରୋଧୀ ଦଳ

ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) ଭୁବନେଶ୍ୱର ସ୍ଥିତ ସି.ପି.ଆଇ.(ଏମ୍) ରାଜ୍ୟ କାର୍ଯ୍ୟାଳୟରେ କଟକ ଏସ୍‌.ସି.ବି. ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ସମ୍ବନ୍ଧରେ ମିଳିତ ବିରୋଧୀ ଦଳମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ମର୍ମାନ୍ତିକ ଘଟଣାରେ ୧୪ଜଣ ନିରୀହ ରୋଗୀଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ମିଳିତ ବୈଠକ ରେ ଗଭୀର ଶୋକ ପ୍ରକାଶ କରଯାଇଛି। ଶୋକ ସନ୍ତପ୍ତ ପରିବାରମାନଙ୍କ ପ୍ରତି ଆନ୍ତରିକ ସମବେଦନା ଜ୍ଞାପନ କରାଯାଇଛି । ଏହି ଘଟଣା ରେ ମିଳିତ ବୈଠକ ରେ ଅତ୍ୟନ୍ତ କ୍ଷୋଭ ଏବଂ ଉଦବେଗ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ବିଫଳତା ପାଇଁ ତୀବ୍ର ନିନ୍ଦା କରାଯାଉଛି । ଏହାକୁ ସରକାରଙ୍କ ଅପରାଧିକ ଅବହେଳା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୟନୀୟ ଅବସ୍ଥାର ପ୍ରମାଣ ବୋଲି ମିଳିତ ବିରୋଧୀ ଦଳ ବିଚାର କରୁଛି । ଏହା କେବଳ ଦୁର୍ଘଟଣା ନୁହେଁ, ବରଂ ସରକାର ଓ ହସ୍ପିଟାଲ ପ୍ରଶାସନର ଅପରାଧିକ ଅବହେଳା ଯୋଗୁଁ ଘଟିଥିବା ଏକ ସ୍ପଷ୍ଟ ‘ବ୍ୟବସ୍ଥାକୃତ ହତ୍ୟା’ ବୋଲି ମିଳିତ ବିରୋଧୀ ଦଳମାନଙ୍କର ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି।
ଏହି ସଭାରେ ଉପସ୍ଥିତ ସମସ୍ତ ବିରୋଧୀ ଦଳ ଏକମତ ହୋଇ ତୁରନ୍ତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି । ଏହା ସହିତ ନିମ୍ନଲିଖିତ ଦାବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି—
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା କିମ୍ବା ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର, ପ୍ରତ୍ୟେକ ମୃତକଙ୍କ ପରିବାରକୁ ଅନ୍ୟୁନ ଏକ କୋଟି ଟଙ୍କା କ୍ଷତିପୂରଣ ଓ ପରିବାର ର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ,ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ତଦନ୍ତ,ସମସ୍ତ ଆହତଙ୍କୁ ମାଗଣା ଉଚ୍ଚମାନର ଚିକିତ୍ସା ଓ ଅନ୍ୟୁନ ୫ ଲକ୍ଷ ଟଙ୍କା ସହାୟତା, ହସ୍ପିଟାଲ ସୁପେରିଣ୍ଟେଣ୍ଡେଣ୍ଟ ସମେତ ଏହି ଘଟଣା ପାଇଁ ଦାୟୀ ସରକାରୀ ଅଧିକାରୀ, କର୍ମଚାରୀ ଏବଂ ବିଦ୍ୟୁତ ଠିକାଦାର କୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ,ସରକାରୀ ଓ ବେସରକାରୀ ହସ୍ପିଟାଲର ଫାୟାର୍ ସେଫ୍ଟି ଓ ସୁରକ୍ଷା ବ୍ୟବସ୍ଥାର ସାମଗ୍ରିକ ଅଡିଟ୍ ଇତ୍ୟାଦି କାର୍ଯ୍ୟାନୁଷ୍ଠାନ ଇତ୍ଯାଦି ଅନ୍ତର୍ଭୁକ୍ତ।

ମିଳିତ ବିରୋଧୀ ଦଳ ତରଫ ରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ଦାବୀଗୁଡ଼ିକ ପୂରଣ ପାଇଁ ମିଳିତ ଭାବେ ତୀବ୍ର ଆନ୍ଦୋଳନ ଆରମ୍ଭ କରାଯିବ। ଉପରୋକ୍ତ ଦାବି ଉପରେ ଆସନ୍ତା ଦିନରେ କଟକ ଠାରେ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା,ରାଜ୍ୟ ବିଧାନସଭା ସମ୍ମୁଖରେ ବିଶାଳ ପ୍ରତିବାଦ ପ୍ରଦର୍ଶନ, ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ଏବଂ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରାଯିବ। ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ ତରଫ ରୁ ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନଗୋ,ବିଜୁ ଜନତା ଦଳ ତରଫରୁ ଅତନୁ ସବ୍ୟସାଚୀ ନାୟକ, ବିଜୟ ନାୟକ, ଲେନିନ ମହାନ୍ତି,ସି.ପି.ଆଇ. ତରଫ ରୁ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର,ସି.ପି.ଆଇ.(ଏମ୍) ତରଫ ରୁ ସୁରେଶ ପାଣିଗ୍ରାହୀ, ବିଷ୍ଣୁ ମହାନ୍ତି, ପୁଷ୍ପା ଦାଶ, ବଦ୍ରୀ ନାରାୟଣ ଦାଶ,ସି.ପି.ଆଇ.(ଏମ୍-ଏଲ୍)- ଲିବରେସନ, ତରଫ ରୁ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା,ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ତରଫ ରୁ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ ସି ପି ତରଫ ରୁ ବିକ୍ରମ ସ୍ବାଇଁ,ସମତା କ୍ରାନ୍ତି ଦଳ ତରଫ ରୁ ପ୍ରଭାସ ସାମନ୍ତରା ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ। ଏସ ପି, ଆର୍ ଜେ ଡି, ସି ପି ଆଇ- ଏମ୍ ଏଲ୍ (ରେଡ୍) ଷ୍ଟାର୍ ବୈଠକ ରେ ଯୋଗ ଦେଇ ନପରି ଆନ୍ଦୋଳନ ପ୍ରତି ସମ୍ମତି ଜଣାଇଛନ୍ତି।
ମିଳିତ ବିରୋଧୀ ମିଳିତ ବିରୋଧୀ ଦଳମାନେ ସରକାରଙ୍କୁ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି ଯେ, ଦାବୀଗୁଡ଼ିକ ତୁରନ୍ତ ପୂରଣ ନହେଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ ଭାବେ ତୀବ୍ର କରାଯିବ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *