ବାରିକସାହି କୁକୁରଙ୍କ ମିଳିତ ଆକ୍ରମଣରେ ଆମ ଆଦରଣୀୟା ଶ୍ଵାନ କନ୍ୟା ବରଫି ଦଶଦିନ ଧରି ନଖାଇ ନପିଇ ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳୁ ତା ମାତୃତୁଲ୍ୟା ମାଲିକାଣୀ ସଂଯୁକ୍ତା ହାତରୁ ଅଶ୍ରୁଳ ନୟନରେ ଶେଷ ଖାଦ୍ୟ ସ୍ୱରୂପ ମାତ୍ର ତିନୋଟି ବିସ୍କୁଟ ଖାଇ ମୋ ଶୋଇବା ଘରର ଖଟ ତଳେ ଶେଷ ନିଦ୍ରା ଯାଇଥିଲା l କେତେବେଳେ ତା ପ୍ରାଣବାୟୁ ଉଡ଼ିଯାଇଲା ଆମେ କେହି ଜାଣି ପାରି ନଥିଲୁ … ଆମେ ଦେଖିଲା ବେଳକୁ ବରଫି ଦେହରେ ଆଉ ଜୀବନ ନଥିଲା l ତା ଦେହ ବରଫ ପରି ଥଣ୍ଡା ଲାଗୁଥିଲା … ପାଟି ଆଁ କରି ଜୁଳୁ ଜୁଳୁ ଆଖିରେ ଅତି ବିକଳରେ ସେ ଆମକୁ ଚାହିଁ ରହିଥିଲା … ଶ୍ରୀ,ବଟ,ବୋଉ,ସଂଯୁକ୍ତା ସହ ମୋ ଆଖି ଲୁହଛଳ ଛଳ ହୋଇଗଲା l ନିଜର କେହି ଜଣେ ଦୁନିଆ ଛାଡି ଚାଲିଗଲେ ଯେମିତି କଷ୍ଟ ଲାଗେ ଠିକ ସେମିତି ଲାଗିଥିଲା ବରଫିର ମୃତ୍ୟୁରେ l ସେ ଜୀବନ କାଳ ମଧ୍ୟରେ ଆମ ଘରକୁ ସୁରକ୍ଷା ଦେଇ, ବହୁ ବିପଦ ଆପଦରୁ ଆମକୁ ରକ୍ଷା କରି ମାତ୍ର ଚାରି ବର୍ଷ ଆମ ମମତା ବଳୟରେ ଆତଯାତ ହୋଇ ଆଜି ଦିବସ କାଳରେ ପ୍ରଭୁ ଦିବାକରଙ୍କ ବାରରେ ଚାଲି ଯାଇଛି ଅଫେରା ରାଇଜକୁ l ସେ ବଡ଼ପାଟି କରି ଭୁକି ସମସ୍ତଙ୍କୁ ଭୟଭୀତ କରୁଥିଲା ସିନା କାହାରିକୁ କେବେ କାମୁଡୁ ନଥିଲା… ତାକୁ ଟେକା ମାରୁଥିବା, ପିଟୁଥିବା, ଗାଳି ଦେଉଥିବା ଲୋକମାନଙ୍କୁ ହିଁ ସେ ଦେଖିଲା ମାତ୍ରେ ଭୁକୁଥିଲା… ଭୁକିବା ମାଧ୍ୟମରେ ତାପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାରର ପ୍ରତିବାଦ କରୁଥିଲା… ଆମ ଘରେ ଥିବା କୁନି ବିଲେଇ ଛୁଆ ମିକୁକୁ ସେ ସବୁଥର ଭୁଆଁ କବଳରୁ ବଞ୍ଚାଉଥିଲା… ସକାଳୁ ସଂଜେ ପ୍ରାର୍ଥନା ଶଙ୍ଖ ବାଜିଲା ମାତ୍ରେ ବରଫି ଠାକୁର ଘର ଦୁଆରେ ଆସି ପ୍ରାର୍ଥନା ସାରିବା ଯାଏଁ ବସି ରହୁଥିଲା… ଛୁଆ ସ୍କୁଟିରେ ବସିଲା ମାତ୍ରେ ସେ ବାଟ ଓଗାଳୁ ଥିଲା… କେହି ଘରକୁ ଆସିଲେ ପିଲାଏ ପ୍ରଣାମ କଲାପରି ତାଙ୍କ ପାଦ ତଳେ ଲୋଟି ଯାଉଥିଲା… ଆମେ କେହି ଘରେ ନଥିଲା ବେଳେ ସେ ସୁରକ୍ଷା କର୍ମୀ ପରି ଜଗି ରହୁଥିଲା… ଥରେ ମାତ୍ର ଛଅ ମାସର ହୋଇଥିବା ବେଳେ ସେ ପନ୍ଦର ଫୁଟ ଉଚ୍ଚରେ ଥିବା ଚାଳଘର ଉପରକୁ ଟିପୁ ସହ ଯାଇ ଖେଳୁଥିବା ଅବସ୍ଥାରେ ସେଇଠୁ ତଳକୁ ଖସି ପଡ଼ିଥିଲା… ସମସ୍ତେ କହିଲେ ପଛଗୋଡ଼ ଭାଙ୍ଗି ଯାଇଛି l

ସେ ଆଉ ବଞ୍ଚିବନି l ଆମେ କିନ୍ତୁ ଆଶା ନହରାଇ ତାର ଉପଯୁକ୍ତ ଚିକିତ୍ସା କରି ତାକୁ ଭଲକରି ଥିଲୁ l ଠାକୁରଙ୍କ ଆଶୀର୍ବାଦରୁ କିଛିଦିନ ତଳେ ବରଫି ମାଆ ହୋଇଥିଲା ସତ, ହେଲେ ତା ଶିଶୁ ପୁତ୍ରଟି ଭୂମିଷ୍ଠ ହେବା ପୂର୍ବରୁ ଗର୍ଭରୁ ମରି ଯାଇଥିଲା l ବହୁ କଷ୍ଟରେ ଆମେ ତା ଛୁଆଟିକୁ ତା ପାଖରୁ ଛଡ଼ାଇ ଆଣି ପଡ଼ିଆରେ ପୋତିଦେଇ ଆସିଥିଲୁ l ମୋ ପାଖରେ ସେ କୁଉଁ କୁଉଁ ହୋଇ କାନ୍ଦି କେତେ ଲୁହ ଝରାଇ ଥିଲା l ପୁଅ ବିନା ସେ ପାଗିଳୀ ହୋଇଯାଇଥିଲା l ନଖାଇ ନପିଇ ବହୁଦିନ ସେ ତା ପ୍ରଥମ ଛୁଆଟିକୁ ଖୋଜିଥିଲା l ଆମେ କୁନି କୁକୁର କଣ୍ଢେଇ ଟିଏ ଦେଇ ତାକୁ ଭଣ୍ଡେଇକି ରଖିଥିଲୁ l ଆଶା ଥିଲା ଆଉ ଗୋଟେ ଛୁଆ ହେଲେ ବରଫିର ଦୁଃଖ ଯିବ l ହେଲେ, ଆଜି ସବୁ ଆଶା ଆଶାରେ ରହିଗଲା l ବରଫି ଆମକୁ କୁନି ବରଫି ଦେବା ଆଗରୁ ଠକି ଦେଇ ଚାଲିଗଲା l ତା ବିନା ଖାଁ ଖାଁ ଲାଗୁଛି ଆମ ଘର, ଅଗଣା, ଦାଣ୍ଡ ଦୁଆର l ସେ ଥିଲା ଘରର ସଦସ୍ୟ ପରି l ସବୁବେଳେ ସେ ସମସ୍ତଙ୍କ ଠାରୁ ସ୍ନେହ ମମତା ଟିକେ ପାଇବା ପାଇଁ ଡହଳ ବିକଳ ହେଉଥିଲା l ମୁଁ ତାକୁ ଆଦରରେ ‘ବଅ’ ବୋଲି ଡ଼ାକି ଦେଲେ ଦୌଡ଼ି ଆସି ମୋ ପାଦ ଚାଟି ପକାଉଥିଲା l ତା ମାଲିକାଣୀକୁ ସେ ବହୁତ ଭଲ ପାଉଥିଲା l ତାକୁ ସେ ଗୋଡ଼େ ଗୋଡ଼େ ଜଗୁଥିଲା l ସେ ମିଟିଙ୍ଗ ଗଲେ, ମନ୍ଦିର ଗଲେ କିମ୍ବା କା ଘରକୁ ଗଲେ ସେ ତା ସାଙ୍ଗରେ ଯାଉଥିଲା l କୁକୁର ହେଲେବି ତା ପାଖରେ ସ୍ୱାଭିମାନ ଥିଲା l ତାକୁ ନଡାକିବା ପର୍ଯ୍ୟନ୍ତ ସେ ଖାଇବାକୁ ଆସୁନଥିଲା l ଆଜି ତାପାଇଁ ଆମ ଘରେ କାହାରି ମନ ଭଲ ନାହିଁ l କେହି ଖାଇ ନାହାଁନ୍ତି l ସେ ଆମ ଗହଣରୁ ଏତେଶୀଘ୍ର ଚାଲିଯିବ ଏକଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି l ପ୍ରିୟ ଶରତ ସାରେ କୁନି ବରଫି କୁ ଆମ ହାତରେ ଟେକି ଦେଇ ଏବେ ଆର ପାରିରେ l ତାଙ୍କ ସ୍ମୃତି ସନ୍ତକ ମଧ୍ୟ ଆଜି ଆମ ପାଖରେ ନାହିଁ l ସତରେ ବରଫିର ସ୍ମୃତି ମୋ ପାଇଁ ଅଭୁଲା ହୋଇ ରହିଥିବ ସାରା ଜୀବନ l ବରଫିର ଆତ୍ମା ସଦଗତି ଲାଭକରୁ ଏତିକି ପରମପିତାଙ୍କ ପାଖରେ ପ୍ରାର୍ଥନା l
ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ -କଣ୍ଟାବଣିଆ, ଛତ୍ରପଡ଼ା, ଯାଜପୁର l



