ବରୀ (ରତ୍ନଗିରି ନ୍ୟୁଜ) : ନଭେମ୍ବର ୧୯ ହେଉଛି ବିଶ୍ୱ ପାଇଖାନା ଦିବସ ବା ୱାର୍ଲ୍ଡ ଟଏଲଟ ଡେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ପାଇଖାନା ଆବଶ୍ୟକତା ଓ ଏହାର ବ୍ୟବହାର ନେଇ ଜନ ସଚେତନା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାଜପୁର ଜିଲ୍ଲା ବରୀ ବ୍ଲକ୍ର ବ୍ଲକ୍ ପରିସରରେ ମଧ୍ୟ ପଞ୍ଚାୟତ ସମିତି ବରୀ ଓ ଜିଲ୍ଲା ଜଳ ଓ ପରିବହନ ମିଶନ ଯାଜପୁରର ମିଳିତ ସହଯୋଗରେ ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଯାଇଛି । ଶୌଚାଳୟ ନିର୍ମାଣ ନିମନ୍ତେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଓ କାର୍ଯ୍ୟ ଅନୁମତୀ ପତ୍ର ବଣ୍ଟନ ପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ବରୀ ବିଡ଼ିଓ ପଞ୍ଚାନନ ମଲିକ ଯୋଗଦେଇ ଘରେ ଘରେ କିପରି ପାଇଖାନା ନିର୍ମାଣ କରାଯାଇପାରିବ, ଲୋକେ କିପରି ଏହାର ସୁବିନିଯୋଗ କରିପାରିବେ ସେ ନେଇ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏବିଡ଼ିଓ ମହେଶ୍ୱର ସେଠୀ, ପ୍ରଗତି ସହାୟକ ଲକ୍ଷ୍ମିକାନ୍ତ ମହାରଣା, ଚିନ୍ମୟୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ନୂତନ ପାଇଖାନା ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ସେହିପରି ବରୀ ବ୍ଲକ୍ର ସମସ୍ତ ପଞ୍ଚାୟତରେ ବିଶ୍ୱ ପାଇଖାନା ଦିବସ ପାଳନ ସହିତ ଜନ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ଜନପ୍ରତିନିଧି, ପଞ୍ଚାୟତର ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ ଏବଂ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ରହିବା ସହ ପାଇଖାନାର ବ୍ୟବହାର ସାଙ୍ଗକୁ ବାହାରେ ମଳ ତ୍ୟାଗ କିପରି ସଂପୂର୍ଣ୍ଣ ବାରଣ ହୋଇପାରିବ ସେ ନେଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ ।