ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) ୩୦.୯- ସମଗ୍ର ରାଜ୍ୟରେ ଝଡ଼ ସୃଷ୍ଟିକରିଥିବା ନିମାପଡ଼ା ବ୍ଲକର ୧୧ ନଂ ଜୋନରେ ଜିଲ୍ଲା ପରିଷଦ ସଭ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଆଜି ପିସିସି ତରଫରୁ ମିଡିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ସତ୍ୟ ପ୍ରକାଶକୁ ଭୟ କାହିଁକି? ଶ୍ରୀ ବେହେରା ପୁର୍ନବାର ପଚାରିଥିଲେ ଯେ ବହୁ ଚର୍ଚ୍ଚିତ ମୋ ସରକାର ଆଉ ୫ଟି ଶାସନରେ ସତ ଲୁଚାଯାଉଛି କାହିଁକି?
ଧର୍ମେନ୍ଦ୍ର ସାହୁଙ୍କ ଦୁଃଖଦ ବିୟୋଗରେ ସରକାର ନିରପେକ୍ଷ ତଦନ୍ତ ଜରିଆରେ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା, ପ୍ରକୃତ ଅପରାଧୀଙ୍କ ଚିହ୍ନଟ କରିବା ଓ ଆଇନଅନୁସାରେ ଦଣ୍ଡବିଧାନ କରିବା କ୍ଷେତ୍ରରେ ପଛଘୁଂଚା ଦେବା ଅତ୍ୟନ୍ତ ଦୁଃଭାଗ୍ୟଜନକ । ସେ ଉଲ୍ଲେଖ କରିଥିଲେ ଯେ ସ୍ୱର୍ଗତ ସାହୁ ଛାଡ଼ି ଯାଇଥିବା ଅଡ଼ିଓ ବିବରଣୀରୁ ସୂଚୀତ ହୁଏ ଯେ ତାଙ୍କ ଦୁର୍ବିସହ ପାରିବାରିକ ଜଂଜାଳ ପାଇଁ ଯେଉଁମାନଙ୍କର ସଂପୃକ୍ତି ଅଛି ସେମାନଙ୍କ ମଧ୍ୟରେ ନିମାପଡ଼ାର ବିଧାୟକ ତା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅଛନ୍ତି । ତେବେ ଆଇନ ତା ବାଟରେ ଯାଇ ମନ୍ତ୍ରୀଙ୍କ ପାଖରେ ପଂହଚୁ ନାହିଁ କାହିଁକି? ବାରମ୍ବାର ଡିଣ୍ଡିମ ପିଟାଯାଉଥିବା ସ୍ୱଚ୍ଛ ଓ ଉତରଦାୟୀ ଶାସନର ବିପରୀତ ଆଜି ରାଜ୍ୟବାସୀ ଅନୁଭବନ କରୁଛନ୍ତି । ଏପରି ଏକ ଦୁଃଖଦାୟକ ଘଟଣାରେ କଂଗ୍ରେସ କେବଳ ଉଦ୍ବେଗ ପ୍ରକାଶ କରି ତୁନି ପଡ଼ିନାହିଁ । ସେପ୍ଟେମ୍ବର ୨୫ ରେ ପିସିସିର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସେପ୍ଟେମ୍ବର ୨୮ ତାରିଖରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ମନ୍ତ୍ରୀ ଶ୍ରୀଯୁକ୍ତ ଦାସଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସେପ୍ଟେମ୍ବର ୨୯ ରେ ପିପିଲିର ନିମାପଡ଼ା ଛକଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଅଭିଯୁକ୍ତ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିଛି । ଆଜି ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିମ୍ନମତେ ସରକାରଙ୍କ ନିକଟରେ ତିନିଗୋଟି ଦାବି କରୁଛି ।
-ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ସତ୍ୟ ଉଦ୍ଘାଟନ ନିମନ୍ତେ ଏହି ମାମଲାର କୋର୍ଟ ପରିଚାଳନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ତଦନ୍ତ କରନ୍ତୁ ।
-ମାନ୍ୟବର ମନ୍ତ୍ରୀଙ୍କ ଭୂମିକା ସନ୍ଦେହ ଘେରରେ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରନ୍ତୁ ।
-ନିରପେକ୍ଷ ତଦନ୍ତ ନିମନ୍ତେ ମାନ୍ୟବର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।
ଯଦି ସରକାର କଂଗ୍ରେସର ଏହି ଯଥାର୍ଥ ଦାବିଗୁଡ଼ିକୁ କର୍ଣ୍ଣପାତ ନକରି ନୀରବ ରୁହନ୍ତି ଓ ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ତା’ହେଲେ ଆନ୍ଦୋଳନକୁ ଆଗେଇନେବା ସହ ତୀବ୍ର କରିବାକୁ କଂଗ୍ରେସ ବାଧ୍ୟ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱର ମିଳାଇ ପୂର୍ବତନ ମନ୍ତ୍ରୀ ତଥା ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଡକ୍ଟର ରବିନ୍ଦ୍ର କୁମାର ସେଠୀ କହିଥିଲେ ଯେ ପିସିସି ପ୍ରତିନିଧି ଦଳକୁ ଦେଇଥିବା ପ୍ରତିଶୃତି ପୋଲିସ ପାଳନ କରିନାହିଁ ସେ ଅଭିଯୋଗ କରିଥିଲେ ଯେ ତଦନ୍ତକାରୀ ଅଫିସରଙ୍କୁ ଥାନାରେ ହଟାଇବା ପରିବର୍ତେ କେବଳ ତାଙ୍କ ଠାରୁ ତଦନ୍ତ ଦାୟୀତ୍ୱ ଆଉ ଜଣେ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ସେ ଏବେ ଧଉଳୀ ଥାନାରେ ଅଛନ୍ତି ଓ ତଦନ୍ତ କାର୍ଯ୍ୟରେ ସାମିଲ ହେଉଛନ୍ତି । ଶ୍ରୀ ସେଠୀ ପ୍ରଶ୍ନ କରିଥିଲେ ଯେ ସ୍ୱର୍ଗତ ସାହୁ ଅର୍ଥହୀନ ଥିଲେ ବୋଲି ଯାହା କୁହାଯାଉଛି ତାହା ଅସତ୍ୟ କାରଣ ସେ ମାତ୍ର ୧୫ ଦିନ ତଳେ ଜମି ବିକି ୬୫ଲକ୍ଷ ପାଇଥିଲେ । ସିସିଟିଭି ଫୁଟେଜରୁ ଜଣା ପଡ଼ିଛି ଯେ ମୃତ୍ୟୁ ଘଟଣାରେ ପ୍ରାୟ ଦୁଇଘଂଟା ପରେ ପାଚେରି ଡେଇଁ ପଳାଇଯାଇଥିବା ବ୍ୟକ୍ତିଟି କିଏ ବୋଲି ପ୍ରଶ୍ନ କରିଥିଲେ ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପୁରୀ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବି ଲଲାଟେନ୍ଦୁ ଦାଶ ଘୋର ଉଦ୍ବେଗ ପ୍ରକାଶ କରିବା ସହ କେବଳ କଂଗ୍ରେସ ସମଗ୍ର ରାଜ୍ୟବାସୀ ମର୍ମାହତ । ଗୋଟିଏ ନୁହେଁ ତିନି ତିନିଟି ଅଡିଓ ବିବରଣୀ ସ୍ପଷ୍ଟଭାବେ ମନ୍ତ୍ରୀଙ୍କ ସଂପୃକ୍ତିକୁ ଇଙ୍ଗିତ କରୁଛି । ସୁତରାଂ ତଦନ୍ତକୁ ଅଧିକ ଦିଗହରା ନକରି କୋର୍ଟ ପରିଚାଳନରେ ସ୍ୱତନ୍ତ୍ର ଅନୁସଂଧାନ କରାଯାଉ ଓ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।