ବରୀ(ରତ୍ନଗିରି ନ୍ୟୁଜ) ୨୩/୦୧: ବରୀର ବିକାଶ ପାଇଁ ବିଧାୟିକା ସୁନନ୍ଦା ଦାସ ଯେଉଁ ଭଳି ଭାବେ କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ଏ ଅଂଚଳ ବାସୀ ଗର୍ବିତ । ବିଧାୟିକାଙ୍କ ଉଦ୍ୟମ ଯୋଗୁ ବରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ଅର୍ଥ ବରାଦ କରୁଛନ୍ତି ତାହା ବିଗତ ଦିନରେ ଅନ୍ୟମାନଙ୍କ କ୍ଷେତ୍ରରେ ଦେଖା ଯାଇନଥିଲା । ବିଧାୟିକାଙ୍କ ଉଦ୍ୟମ ଯୋଗୁ ବରୀର ବିକାଶରେ ଗୋଟିଏ ପରେ ଗୋଟିଏ ଫର୍ଦ ଯୋଡି ହେବାରେ ଲାଗିଛି । ଏଭଳି ବିଧାୟିକାଙ୍କୁ ପାଇ ବରୀ ଆଜି ଧନ୍ୟ ହୋଇଥିବା ବିଜୁ ଜନତା ଦଳ ବରୀ ପକ୍ଷରୁ ଆୟୋଜିତ ବିକାଶ ପଥେ ବରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ବିଧାୟକ ପ୍ରଣବପ୍ରକାଶ ଦାସ ଓ ବିଧାୟିକା ସୁନନ୍ଦ ଦାସଙ୍କୁ ଧନ୍ୟବାଦ ଦେବା ଅବସରରେ ଜନପ୍ରତିନିଧିମାନେ ପ୍ରକାଶ କରିଛନ୍ତି ।
ବରୀ ବ୍ଲକ୍ ଅର୍ନ୍ତଗତ ରମ୍ପା ପଂଚାୟତର ବରୀ ବଜାର ନିକଟରେ ଥିବା ଜାଗୁଳାଇ ପୀଠରେ ବରୀ ବିଜେଡି ସଭାପତି କେଦାର ସାମଲଙ୍କ ସଭାପତିତ୍ୱରେ ବିକାଶ ପଥେ ବରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବରୀ ପଂଚାୟତ ସମିତି ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ବିଜେଡି ମହିଳା ମୋର୍ଚ୍ଚା ବ୍ଲକ୍ ସଭାପତି ଜ୍ୟୋତ୍ସାରାଣୀ ନାଥଶର୍ମା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନୀଳମଣି ସାମଲ, ରମ୍ପା ସରପଂଚ ମାନସ ଜେନା, ଇଶାଣପୁର ପୂର୍ବତନ ସରପଂଚ ଗୋବିନ୍ଦ ଚନ୍ଦ୍ର ଜେନା, ସରପଂଚ ଶଙ୍କର୍ଷଣ ସ୍ୱାଇଁ, ଜଗ୍ଦିଶ୍ ଜେନା, ପ୍ରମୋଦ ଜେନା, ବରୀ ବିଜେଡି ଦଳିତ ସେଲ୍ ସଭାପତି ଦୁସ୍ମନ୍ତ ସେଠୀ, ଅଭିନ୍ନ କୁମାର ଜେନା, ଶ୍ରୀଧର ସେଠୀ, ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡାଇ, ସ୍ୱାଇଁଖଣ୍ଡ ପୂର୍ବତନ ସରପଂଚ ବିଜୟା ନନ୍ଦ ଜେନାଙ୍କ ସମେତ ବହୁ ଜନପ୍ରତିନିଧି ସାଧାରଣ ଲୋକେ ଯୋଗ ଦେଇ ବରୀ ବିକାଶ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟିକା ସୁନନ୍ଦା ଦାସଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଶେଷରେ ନହଣ ସମବାୟ ସମିତିର ସଭାପତି ଅଭିନ୍ନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ବରୀର ବିକାଶ ପାଇଁ ନିକଟରେ ରାଜ୍ୟ କ୍ୟାବିନେଟ୍ରେ ବରୀ ବ୍ଲକ୍ର ମେଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁର ମିଳିବା ସହ ବିଧାୟିକାଙ୍କ ସମୟରେ ୧୪୫ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ବିଦ୍ୟାଳୟ ରୂପାନ୍ତରିକରଣ ପାଇଁ ୨୦ କୋଟି ୨୦ଲକ୍ଷ, ବରୀ ବଜାର ହାଟ ପାଇଁ ୧କୋଟି ୬୦ଲକ୍ଷ, ବିଭିନ୍ନ ମହାବିଦ୍ୟାଳୟ ଉନ୍ନୟନ ପାଇଁ ୧କୋଟି ୫୦ ଲକ୍ଷ, ମାଟିଆପଡା ଠାରୁ ସାହୁପଡା କେନାଲ ଖନନ ପାଇଁ ୧କୋଟି ୨୨ଲକ୍ଷ, କାଣୀ ନଦୀ ଖନନ ଲାଗି ୩କୋଟି ୭୦ଲକ୍ଷ, ବିଭିନ୍ନ ନଦୀବନ୍ଧ ପଥର ପ୍ୟାକିଂ ପାଇଁ ୨ କୋଟି ୭୦ ଲକ୍ଷ, ବୋଦୁଅ-ପାଳସାହୀ ଓ କନ୍ତିଆ-ରାଉତରା ସେତୁ ନିର୍ମାଣ ବାବଦକୁ ୮କୋଟି ୪୬ଲକ୍ଷ, ଛତିଶଦେବିଲ-ମାକର୍ଣ୍ଡପୁର ନଦୀବନ୍ଧ ଉନ୍ନତି କରଣ ପାଇଁ ୯କୋଟି, ସାହାପଡା-ଚତର ନଦୀବନ୍ଧ ସୁଦୃଢୀକରଣ ପାଇଁ ୪୦କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବାବେଳେ ପୂର୍ତ ଓ ଗୃହ ବିଭାଗ, ପର୍ଯ୍ୟଟନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରୀ ବିକାଶ ନିମନ୍ତେ କୋଟି କୋଟିଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଛି ।