ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : ନୀଳଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରୋଶମୂଳକ ଗିରଫ ଓ ନିର୍ଯ୍ୟାତନା ସହ ଅମାନବୀୟ ବ୍ୟବହାରକୁ ନେଇ ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧୂ ମଣ୍ଡଳୀ ପୋଲିସ୍ ଡ଼ିଜି ଅନିଲ୍ କୁମାର ବଂଶଲଙ୍କୁ ଭେଟି ପ୍ରତିବାଦ ଜଣାଇଛି । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ଵରେ ଡ଼ିଜିଙ୍କ ସହ ଆଲୋଚନା ବେଳେ କୁହାଯାଇଥିଲା ଯେ, ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ଚିକିତ୍ସାଧନ ଅବସ୍ଥାରେ ଗୋଡ଼ରେ ବେଡ଼ି ବନ୍ଧାଯିବା ଘଟଣାରେ କାର୍ଯ୍ୟରତ ହାବିଲଦାରଙ୍କୁ ନିଲମ୍ବନ କରାଯିବା ଯଥାର୍ଥ ନୁହେଁ । ବିନା କୌଣସି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଏପରି ବେଆଇନ୍ କାର୍ଯ୍ୟ ହାବିଲଦାର ସମ୍ପାଦିତ କରିପାରିବେ ନାହିଁ । ପ୍ରତିକ୍ରିୟାରେ ଡିଜି କହିଥିଲେ ଯେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଡ଼ିଏସ୍ପିଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ଘଟଣାରେ ହାବିଲଦାରଙ୍କୁ ନିଲମ୍ବନ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବଂଶଲ ପ୍ରତିଶ୍ରୁତି ଦେଇଥିଲେ ।
ଅପରପକ୍ଷରେ ସଂଘ ତରଫରୁ ଚେତାବନୀ ଦିଆଯାଇଛି କି, ଯଦି ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପୂର୍ବକ ଯଥାଶୀଘ୍ର ନିଲମ୍ବନ କରାନଯାଏ, ତେବେ ରାଜ୍ୟବ୍ୟାପୀ ସଂଘ ପକ୍ଷରୁ ଦୃଢ ଆନ୍ଦୋଳନ ଗଢିଉଠିବ । ଏଠାରେ ପ୍ରକାଶଯୋଗ୍ୟ ଯେ, ଆଜି ସମଗ୍ର ରାଜ୍ୟରେ ସଂଘର ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଡିଜିଙ୍କୁ ଦାବିପତ୍ର ପ୍ରଦାନ ବେଳେ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର ମହାନ୍ତି, ସତ୍ୟଜିତ ସେଣ ପ୍ରମୁଖ ସାମିଲ ହୋଇଥିଲେ ।