ବରୀ(ରତ୍ନଗିରି ନ୍ୟୁଜ) : ଯୁବ ଗୀତିକାର ଓ କବି ସ୍ଵର୍ଗତ ଉଦୟଶ୍ରୀଙ୍କ ୫୩ତମ ଜନ୍ମ ଜୟନ୍ତୀ ସମାରୋହ ଉଦୟଶ୍ରୀ ସାଂସ୍କୃତିକ ପରିଷଦ ପକ୍ଷରୁ ସିଙ୍ଗିଯୋରି ମଠ ଗୋଳକୁଣ୍ଡ ଠାରେ ସଭାପତି ବିଶ୍ଵନାଥ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି l ପଣ୍ଡିତ ଡକ୍ଟର ପ୍ରଭଞ୍ଜନ ପତିଙ୍କ ଦ୍ଵାରା ପରିଚାଳିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯାଜପୁର ବ୍ଯାସ, ବିଶିଷ୍ଟ ବାଗ୍ମୀ, ପ୍ରବକ୍ତା ଓ ପଣ୍ଡିତ କାମଦେବ ଶତପଥୀ ଉଦୟଶ୍ରୀଙ୍କ ଲେଖା ପ୍ରତିଟି ମଣିଷ ହୃଦୟର କଥା ଓ ଗାଉଁଲି ଜନ ଜୀବନର ଚିତ୍ରକୁ ପ୍ରକାଶ କରୁଥିଲା l
ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ହରି ସାମନ୍ତ ଯାତ୍ରା ସହିତ ଉଦୟଶ୍ରୀଙ୍କ କିଭଳି ଭାବେ ସମ୍ପୃକ୍ତି ରହିଥିଲା ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ l ଓଡ଼ିଆ ଭାଷାରେ ଏବେ ଯେଉଁ ସଙ୍ଗୀତ ରଚନା କରାଯାଉଛି ତାହା ହୃଦୟକୁ କାହିଁକି ଛୁଇଁ ପାରୁନାହିଁ ତାହା ଆଲୋଚନା ଓ ପର୍ଯ୍ୟାଲୋଚନା ହେବାର ଆବଶ୍ୟକତା ରହିଛି l ଉଦୟଶ୍ରୀଙ୍କ ସଙ୍ଗୀତରେ ହୃଦୟର କଥା ଥିଲା ବୋଲି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ କ୍ଷୀରୋଦ କୁମାର ମଲ୍ଲିକ ପ୍ରକାଶ କରିଥିଲେ l ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡା.ରୁଦ୍ରନାରାୟଣ ପୃଷ୍ଟି ଯୋଗ ଦେଇ ଉଦୟଶ୍ରୀ ଅପ୍ରକାଶିତ ସୃଷ୍ଟି ସମଗ୍ର କୁ ପ୍ରକାଶନ ପାଇଁ ଉଦ୍ୟମ କରାଯାଇ ପାରିଲେ ଉଦୟଶ୍ରୀଙ୍କ ପାଇଁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ l
ଅଜୟ କୁମାର ଜେନା, ମଧୁସୂଦନ ପାତ୍ର, ନୀଳମଣି ଓଝା, ଅଶୋକ କୁମାର ଅଧିକାରୀ, ଭଞ୍ଜ କିଶୋର ଦାସ, ନାରାୟଣ ଚନ୍ଦ୍ର ଦାଶ, ସନ୍ଥ ସୁବିଦ୍ କୁମାର, କଣ୍ଠଶିଳ୍ପୀ ନରେନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ବେଣୁଧର ପତି, ଡକ୍ଟର ରୁଦ୍ର ନାରାୟଣ ପୃଷ୍ଟି , ମହେଶ୍ଵର ଜେନାସାମନ୍ତ, ଶିଶୁ ସାହିତ୍ୟିକ ଅଭିମନ୍ୟୁ ଧଳ, ସୂରଜ କୁମାର ସାମଲ, ପ୍ରମୁଖ ଯୋଗ ଦେଇ ଯୁବ ଗୀତିକାର ଓ କବି ସ୍ଵର୍ଗତ ଉଦୟଶ୍ରୀଙ୍କ ସ୍ମୃତି ଚାରଣ କରିବା ସହ ଓଡିଆ ସାହିତ୍ୟକୁ, ଯାତ୍ରା ଜଗତକୁ ଉଦୟଶ୍ରୀଙ୍କ ଅବଦାନ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ l
ଅନୁଷ୍ଠାନର ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଉପେନ୍ଦ୍ର କୁମାର ସାହାଣୀଧନ୍ଯବାଦ ଅର୍ପଣ କରିଥିଲେ l
ଏହି ଅବସରରେ ଉଦୟଶ୍ରୀଙ୍କ ପରିବାର ତରଫରୁ ସାହିତ୍ୟ,କଳା, ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ନାରାୟଣ ପ୍ରସାଦ ଦାସ, ବିଶିଷ୍ଟ ପାଲାକାର ଗାୟକ ଚନ୍ଦ୍ରଶେଖର ନରେନ୍ଦ୍ର ପଣ୍ଡା, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ କ୍ଷୀରୋଦ କୁମାର ମଲ୍ଲିକ, କଣ୍ଠଶିଳ୍ପୀ ପୀତବାସ କର, ସାହିତ୍ୟିକ ଡାକ୍ତର ରୁଦ୍ରନାରାୟଣ ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ ବେଣୁଧର ପତି ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l