ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ): ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳମୁହାଁ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ କମିବା ନାଁ ଧରୁନି ମହାମାରୀ। ଏବେ ରାଜ୍ୟରେ ୨ ହଜାର ଟ୍ରେଣ୍ଡ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୫୦୦ ପାଖାପାଖି ବାହାରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ପଜିଟିଭ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ କରୋନା କୋପ ଥମୁ ନ ଥିବାରୁ ପୁଣିଥରେ ଫେରିଛି କଣ୍ଟେନମେଣ୍ଟ କଟକଣା । ଭୁବନେଶ୍ୱରର ଦୁଇଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଖଣ୍ଡଗିରି ଅଞ୍ଚଳର ସତ୍ୟସାଇ ଏନ୍କ୍ଲେଭର HIG ୧୧ ରୁ ୬୧ ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ କଟକଣା ଜାରି କରାଯାଇଛି । ସେହିପରି ରସୁଲଗଡରେ ବି କଣ୍ଟେନମେଣ୍ଟ ଜୋନ୍ ହୋଇଛି । ରସୁଲଗଡ ଛକ ନିକଟରେ ଥିବା ଲର୍ଡ ଗୁଞ୍ଜନ ପ୍ୟାଲେସ ଆପାର୍ଟମେଣ୍ଟର ବ୍ଲକ୍-ବି’କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି । ସଂପୃକ୍ତ ଅଞ୍ଚଳରେ କିଛି କୋଭିଡ ପଜିଟିଭ ବାହାରିବାରୁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ଅଞ୍ଚଳର ଲୋକେ ବାହାରକୁ ବାହାରି ପାରିବେ ନାହିଁ କିମ୍ବା ବାହାର ଲୋକେ ସେହି ଅଞ୍ଚଳକୁ ଯାଇପାରିବେ ନାହିଁ । କଣ୍ଟେନମେଣ୍ଟ ଜୋନକୁ ଅତ୍ୟାବଶ୍ୟକ ଏବଂ ମେଡିକାଲ ସାମଗ୍ରୀ ଯୋଗାଇ ଦେବ ବିଏମ୍ସି।
Related Stories
December 21, 2021
December 19, 2021