ପିତା ଧର୍ମ, ପିତା ସ୍ବର୍ଗ, ପିତା ହିଁ ପରମ ତପ….ପିତରି ପ୍ରୀତିମାପନ୍ତେ ପ୍ରିୟନ୍ତେ ସର୍ବ ଦେବତା… । ‘ବାପା’ ଈଶ୍ବରଙ୍କ ଅନନ୍ୟ ସୃଷ୍ଟି । ଅନୁଶାସନ ଓ ଧୈର୍ଯ୍ୟର ଅନ୍ୟନାମ । ପରିବାରର ସୁରକ୍ଷାକବଚ । ତ୍ୟାଗ ଓ ସାହସର ମୂର୍ତ୍ତୀମନ୍ତ ପ୍ରତୀକ । ଯାହାଙ୍କ ଗାଳିରେ ଲୁଚି ରହିଥାଏ ସ୍ନେହାର୍ଶୀବାଦ । ପାଖରେ ଥିଲେ ଶତସିଂହର ବଳ ଆସେ । ଉପରକୁ ପଥର ପରି ଅଭଙ୍ଗା ଓ ଭିତରୁ ତରଳି ଯାଉଥିବା ମଣିଷଟିଏ । କୌଣସି କଥାକୁ ନେଇ ଭୟ ଲାଗେନା, କି ଚଲା ପଥରେ କଣ୍ଟା ଫୁଟେନା । ପିଲାଙ୍କୁ ସୁପଥଗାମୀ କରିବା ପାଇଁ ବେଳେବେଳେ କଠୋର ହୁଅନ୍ତି, ଗାଳି ଦିଅନ୍ତି । ଆଙ୍ଗୁଠି ଧରି ବାଟ ଚଲାଇବା ଶିଖାନ୍ତି, ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କୁ ପାଟିକୁ ଖାଦ୍ୟ ଦିଅନ୍ତି, ଆଖି ଲୁହକୁ ଲୁଚାଇ ସନ୍ତାନଙ୍କୁ ହସାଇବା ଶିଖାଇଥାନ୍ତି, ଜାଣିଛନ୍ତି ସେ କିଏ, ସେ ହେଉଛନ୍ତି ‘ବାପା’ ।
ସମଗ୍ର ବିଶ୍ବରେ ଫାଦର୍ସ ଡେ’କୁ ବିଭିନ୍ନ ଦିନ ପାଳନ କରାଯାଇଥାଏ । କିନ୍ତୁ ଅଧିକତର ଦେଶରେ ଜୁନର ତୃତୀୟ ରବିବାରକୁ ଫାଦର୍ସ ଡେ ଭାବେ ପାଳନ କରାଯାଇଥାଏ । ଆମେରିକା, କାନାଡା ଓ ଭାରତରେ ଏହାକୁ ଜୁନର ତୃତୀୟ ରବିବାର ଦିନ ହିଁ ପାଳନ କରାଯାଇଥାଏ । ବାପାଙ୍କୁ ସ୍ବତନ୍ତ୍ର ଅନୁବୋଧ କରାଇବା, ସମ୍ମାନୀତ କରିବା ପାଇଁ ପିତୃତ୍ବ ଦିବସ ପାଳନ କରାଯାଇଥାଏ । ଫାଦର୍ସ ଡେ’ ପ୍ରଥମେ ପଶ୍ଚିମ ବର୍ଜିନିଆର ଫେୟରମୋଣ୍ଟରେ 5 ଜୁଲାଇ 1908ରେ ପାଳନ କରାଯାଇଥିଲା ।
ଶବ୍ଦଟିକୁ ଉଚ୍ଚାରଣ କଲା ମାତ୍ରେ ମନରେ ସାହାସ ଓ ଖୁସିର ଜୁଆର ଉଠେ । ପେଟ ପୁରିଯାଏ ବାପା ଡାକରେ । ଏହା କେବଳ 2ଟି ଶବ୍ଦ ନୁହେଁ । ଏହାର ଅର୍ଥ ନା କେହି ବୁଝାଇ ପାରିବେ, ନା କେହି ବାଖ୍ୟା କରିପାରିବେ । ଈଶ୍ବରଙ୍କ ସଂରଚନାରେ ‘ବାପା’ ନାମକ ଶବ୍ଦକୁ ସ୍ନେହ, ଆଦର, ପ୍ରେମ, ସହିଷ୍ଣୁତା, ତ୍ୟାଗରେ ଅଦ୍ଭୁତ ଭାବେ ଗଢାଯାଇଛି । ଦିନ ତମାମ ପ୍ରଚେଷ୍ଟା କରି ତନ୍ନ ତନ୍ନ କରି ଅଭିଧାନ ଖୋଜିଲେ ମଧ୍ୟ ବାପା ପାଇଁ ଉପଯୁକ୍ତ ଶବ୍ଦଟିଏ ମିଳି ନଥାଏ । କୌଣସି କଲମରେ ସେତିକି ସାମର୍ଥ୍ୟ ନାହିଁ , ବାପା ଭଳି ଶବ୍ଦକୁ ସୁନ୍ଦର ଭାବେ ବର୍ଣ୍ଣନା କରିବାକୁ । ବାପା ଶବ୍ଦରୁ ଝଲସି ଆସେ ମେଞ୍ଚା ମେଞ୍ଚା ସ୍ନେହ । ବାପା ହେଉଛନ୍ତି ଏକ ଶକ୍ତ ଖୋଳପା ଭିତରେ ସୂକ୍ଷ୍ମ ସୂତା । ଝିଅକୁ ‘ମା’ ଓ ପୁଅକୁ ‘ବାପା’ ନ ହେଲେ ‘ବୁଢା’ ବୋଲି ସମ୍ବୋଧନ କରିଥାନ୍ତି ବାପା ।
ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ, ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅଭିଭାବକଙ୍କ ମହିମା ବଖାଣିବାରେ ମା’ଙ୍କ ସ୍ଥାନ ପ୍ରଥମେ ନିଆଯାଉଥିବାବେଳେ ବାପାଙ୍କ ନାମ ପଛରେ ରହିଯାଉଛି । କିନ୍ତୁ ଏଥିରେ ମଧ୍ୟ ବାପାଙ୍କ ତିଳେମାତ୍ର କ୍ଷୋଭ ନଥାଏ । ମା’ ଯେଉଁଠି ସନ୍ତାନର ଟିକେ କ୍ଷତରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି । ପିତା ନିଜ ମଧ୍ୟରେ ଦୁଃଖ ରଖିଲେ ମଧ୍ୟ ପରିବାରକୁ ସମ୍ଭାଳିବାକୁ ଯାଇ ଶକ୍ତର ପରିଚୟ ଦେଇଥାନ୍ତି ।
ମନର ଉଦାସପଣକୁ ବୁଝୁଥିବା ମଣିଷଟିଏ, ନିଜେ ଭୋକରେ ରହି ପିଲାର ପାଟିକୁ ଖାଇବା ଦେଉଥିବା ମଣିଷଟିଏ, ପ୍ରତ୍ୟେକ ଅଳି ଅର୍ଦ୍ଦଳିକୁ ସହୁଥିବା ବ୍ୟକ୍ତିଟିଏ, ଭୁଲ ହେଲେ ଗାଳି ନ ଦେଇ ଯେ ଆକଟ କରୁଥାଏ, ଦେହ ଖରାପ ହେଲେ ଯିଏ ରାତି ରାତି ମୁଣ୍ଡ ପାଖରେ ବସି ପାଣି ପଟି ପକାଉଥାଏ, ପିଲାର ଭବିଷ୍ୟତ ପାଇଁ ଯିଏ ନିଜର ସବୁକିଛି ବନ୍ଧା ପକାଇ ଦେଇଥାଏ, ନିଜେ ଚିରା ଜାମା ପିନ୍ଧି ପର୍ବ ପର୍ବାଣୀରେ ଯିଏ ନୂଆ ପୋଷାକ କିଣି ଦେଇଥାଏ….ସେ ହେଉଛନ୍ତି ଆମ ବାପା । ଆମ ସମସ୍ତଙ୍କ ପାଇଁ ମହାନ ମଣିଷଟିଏ।