ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) :- ପୁଣି ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ଲଗାତର ୬ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିଲା । ଏବେ ତିନିଦିନ ହେଲା ହଜାରେ ତଳକୁ ସଂକ୍ରମଣ ଖସିଛି । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ପୁଣି ହଜାରେ ଟପିଛି । ତେବେ ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ୟ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ୧୦୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୫ ଓ ସ୍ଥାନୀୟ ଅଞ୍ଚଳରୁ ୪୩୬ ଜଣ ଚିହ୍ନଟ ହେବା ସହ ୧୨୮ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୧ ହଜାର ୧୮୭ ରହିଥିବା ବେଳେ ୯ ହଜାର ୬୬୪ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୧୫୪ କୁ ବୃଦ୍ଧି ପାଇଛି ।
ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୮ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଜଗତସିଂହପୁରରୁ ୧୦, ଖୋର୍ଦ୍ଧାରୁ ୭, ଢେଙ୍କାନାଳରୁ ୬, ଭଦ୍ରକ ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ଅନୁଗୁଳରୁ ୪, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ, ଗଞ୍ଜାମରୁ ୨ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନୟାଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
Related Stories
December 21, 2021
December 19, 2021