ବରୀ (ରତ୍ନଗିରି ନ୍ୟୁଜ) :-ବିଜେଡିରେ ମିଶିବେ ବିଶ୍ୱ । ଏ ନେଇ ନିଜ ରାମଚନ୍ଦ୍ରପୁର ବାସଭବନରେ ସମର୍ଥକମାନଙ୍କ ଗହଣରେ ବିଜେପିର ପୂର୍ବତନ ବିଧାୟକ ପାର୍ଥି ବିଶ୍ୱ ରଂଜନ ମଲ୍ଲିକ ପ୍ରକାଶ କରିଛନ୍ତି । ଗତ ୨୦ ତାରିଖରୁ ବରୀ ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟା ଓ ପରବର୍ତ୍ତୀ ସମୟରେ ବରୀ ନିର୍ବାଚନ ମଣ୍ଡଳୀରୁ ନିଜର ବହୁ ସମର୍ଥକ ସରପଂଚ, ସମିତିସଭ୍ୟ, ଜୋନ୍ ସଭାପତିମାନେ ଇସ୍ତଫା ଦେବା ପରେ ଆସନ୍ତା ୨୯ ତାରିଖ ଦିନ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହେବେ ବୋଲି ଶ୍ରୀ ମଲିକ୍ ଆଜି ଘୋଷଣା କରିଛନ୍ତି ।
ଗଣମାଧ୍ୟ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଲେ ଯେ ବରୀକୁ ନେଇ ଯେଉଁ ସ୍ୱପ୍ନ ତାଙ୍କର ଅଧୁରା ରହିଯାଇଛି ତାହା ବିଜେଡିରେ ସାମିଲ ହୋଇ ପୂରଣ କରାଯିବ । ବରୀରେ ଗମନାଗମନର ବିକାଶ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତୀକରଣ, ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଭିତ୍ତିଭୂମିର ଓ ବୌଦ୍ଧପୀଠର ବିକାଶ ଉପରେ ଗୁରୁତ୍ୱ ଦେବା ପାଇଁ ବିଜେଡିର ଉଚ୍ଚ ପଦସ୍ଥ କାର୍ଯ୍ୟ କର୍ତ୍ତାମାନେ ତାଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ମିଶ୍ରଣ କାର୍ଯ୍ୟକ୍ରମରେ କୋଭିଡ କଟକଣା ପାଇଁ ସମସ୍ତେ ଭୁବନେଶ୍ୱର ଯିବା ସମ୍ଭବ ହେଉ ନଥିବାରୁ ଆଗାମୀ ଦିନରେ ବରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେଡିର ସାଧାରଣ ସଂପାଦକ ତଥା ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖଙ୍କ ଯୋଗ ଦେଇ ଆପଣମାନଙ୍କ ସହ ଖୋଲା ଖୋଲି କଥା ହେବେ ।
ଯେଉଁମାନେ ମୋତେ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ସେମାନଙ୍କୁ କୌଣସି ପ୍ରକାରେ ଅଣଦେଖା କରାଯିବ ନାହିଁ । ସେହିପରି ଯେଉଁମାନେ ଯେତେେବେଳେ ମୋର ସାହାଯ୍ୟ ଚାହିଁବେ ସେମାନଙ୍କ ପାଇଁ ୨୪ ଘଣ୍ଟା ମୁଁ ରହିଛି ବୋଲି ସେ ପ୍ରକାଶ କରିଥିଲେ ।
ଏହି କର୍ମୀ ସମାବେଶରେ ବରୀ ବ୍ଲକ ଅଧ୍ୟକ୍ଷା ଶୁଭାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଂଜ, ସରପଞ୍ଚ ବୀରେନ୍ଦ୍ର କୁମାର ମିଶ୍ର, ବିଜୟ କିଶୋର ସାହାଣୀ, ପୂର୍ବତନ ସରପଞ୍ଚ ଦିଲ୍ଲିପ କୁମାର ମହାନ୍ତିଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ ।