ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍ ସଂକ୍ରମଣ ଉପରମୁହାଁ ହୋଇଚାଲିଥିବା ବେଳେ ଲକଡାଉନ୍, ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ କଟକଣାକୁ କେତେକ ଅମାନିଆ ଭୃକ୍ଷେପ କରୁ ନ ଥିବା ଦେଖାଯାଉଛି । ସେମାନଙ୍କ ଯୋଗୁଁ ସଂକ୍ରମଣ ଆହୁରି ବଢ଼ିବା ଆଶଙ୍କା ଥିବାରୁ କମିଶନରେଟ୍ ପୋଲିସ ଗୁରୁବାର ଦିନଠାରୁ ଲକଡାଉନ୍ କଟକଣାକୁ ଆହୁରି କଡ଼ା କରିଛି ।
ଏବେ କମିଶନରେଟ ପୋଲିସର ଫୋକସରେ ବାଇକର୍ ଡବଲ ରାଇଣ୍ଡିଂ । ଲକଡାଉନ୍ ଓ ସଟଡାଉନର ନିୟମାବଳୀକୁ ଖାତିର ନ କରି ଅନେକ ଯୁବକ ରାସ୍ତାରେ ଘୁରି ବୁଲୁଥିବା ଦେଖାଯାଉଛି । ଏଣିକି ଗୋଟିଏ ବାଇକରେ ଦୁଇ ଜଣ ଯାଉଥିଲେ ସେମାନଙ୍କ ପାଖରୁ ଫାଇନ ଆଦାୟ କରିବ ପୋଲିସ ।
‘‘ଲକଡାଉନ ଫଳରେ କିଛି ଲୋକ ସଚେତନ ହେଲେଣି । ଅଳ୍ପ କିଛି ଅମାନିଆ ରାସ୍ତାରେ ଘୂରି ବୁଲୁଛନ୍ତି। ଏବେ ଗୋଟିଏ ବାଇକରେ ଦୁଇ ଜଣ ଯିବା ଉପରେ କଟକଣା କରାଯାଇଛି । କରୋନାର ଏହି ନିଆମକୁ ଅଧିକ କଡାକଡି କରାଯାଇଛି । କେବଳ ମେଡ଼ିକାଲ କେସକୁ ଛାଡ଼ି ଅନ୍ୟମାନେ ଯଦି ଗୋଟିଏ ବାଇକରେ ଦୁଇ ଜଣ ଯାଆନ୍ତି, ତେବେ ପୋଲିସ ଫାଇନ ଆଦାୟ କରିବ,’’ କହିଛନ୍ତି ଭୁବନେଶ୍ୱର ଜୋନ୍ ୬ର ଏସିପି ପ୍ରକାଶ ଚନ୍ଦ୍ର ପାଲ ।
କରୋନା ସଂକ୍ରମଣ ରୋକିବା ପାଇଁ ଓ ଅମାନିଆକୁ ଧରିବା ପାଇଁ ରାଜଧାନୀରେ ଡବଲ ରାଇଣ୍ଡିଙ୍ଗ ମନା ହେବା ପରେ ଏହି ନିୟମକୁ ଭାଙ୍ଗୁଥିବା ଲୋକଙ୍କୁ ଧରିବା ପାଇଁ ଗୁରୁବାରଠାରୁ ରାଜଧାନୀର ବିଭିନ୍ନ ଛକରେ ପୋଲିସ କଡ଼ାକଡି଼ ଯାଞ୍ଚ ଆରମ୍ଭ କରିଛି ।
‘‘ଅମାନିଆମାନେ ଏବେ ପୋଲିସକୁ ଚକମା ଦେବାକୁ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ମେଡ଼ିକାଲ କେସ୍ ନଚେତ ଟେଷ୍ଟିଂ ନାଁରେ ଘୂରି ବୁଲୁଛନ୍ତି ଅମାନିଆ । ତେଣୁ ସେମାନଙ୍କୁ ଠାବ କରିବା ପୋଲିସ ପାଇଁ ମୁସ୍କିଲ ହୋଇ ପଡୁଛି । କାରଣ ମେଡ଼ିକାଲ କେସରେ ପୋଲିସ କାହାକୁ ଅଟକାଇ ପାରିବ ନାହିଁ । ହେଲେ ଏବେ ଆମେ ଯାଞ୍ଚ କଡ଼ାକଡ଼ି କରିଛୁ,’’ କହିଛନ୍ତି ପାଲ୍ ।
କିଟ୍ ଛକ ରାଜଧାନୀର ଅନ୍ୟତମ ବ୍ୟସ୍ତ ପ୍ରବେଶ ପଥ ହୋଇଥିବାରୁ ସେହି ଛକରେ ଚେକିଂ କଡ଼ାକଡି଼ କରାଯାଉଛି । ଏହି ଅଞ୍ଚଳରେ ହସପିଟାଲ୍ ଓ ଆଇ.ଟି. କମ୍ପାନୀଗୁଡ଼ିକର ଅନେକ ଅଫିସ୍ ରହିଥିବାରୁ ଭିଡ଼ ରହୁଛି । ତଥାପି ସମସ୍ତଙ୍କୁ ଯାଞ୍ଚ କରୁଛି ପୋଲିସ । ନିୟମ ଅନୁସାରେ ନିଜ ସଂସ୍ଥା ଜାରି କରିଥିବା ଆଇ.ଡ଼ି. କାର୍ଡ ଦେଖାଇବା ପରେ ସେମାନଙ୍କୁ ଛାଡି଼ବାକୁ ଦିଆ ଯାଉଛି ।
ଭୁବନେଶ୍ୱରରେ ୫୦ରୁ ଅଧିକ ସ୍ଥାନରେ ବାରିକେଡ଼ କରି ଚେକିଂ କରୁଛି କମିଶନରେଟ ପୋଲିସ । ଏଥି ପାଇଁ ଛଅଟି ଜୋନରେ ଭୁବନେଶ୍ୱରକୁ ବିଭକ୍ତ କରିଛି ପୋଲିସ । ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା । ଆଜି ଅପରାହ୍ନ ୫ଟାରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ସହାୟତା ରାଶି ଯୋଗାଇ ଦିଆଯିବ । ଚାଷୀମାନଙ୍କୁ ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।