ବଦଳୁଛି ରଣକୌଶଳ। ବଦଳୁଛି ଯୁଦ୍ଧର ପରିଭାଷା। ଭବିଷ୍ୟତର ଲଢେଇ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରତ୍ୟେକ ଦେଶ। ତେବେ ଯାହାର ପଶ୍ଚିମରେ ପାକିସ୍ତାନ ଓ ପୂର୍ବରେ ଚୀନ୍ ଭଳି ଶତ୍ରୁ। ଅର୍ଥାତ୍ ଭାରତ ଲାଗି ଚ୍ୟାଲେଞ୍ଜ ସବୁଠୁ ଅଧିକ। ଏମିତିକି ଭାରତୀୟ ସେନାକୁ ଦିପଟୁଆ ଲଢେଇର ବି ସାମ୍ନା କରିବାକୁ ପଡିପାରେ । ଏଭଳି ସ୍ଥିତିରେ କିଭଳି କରାଯିବ ଶତ୍ରୁଙ୍କ ମୁକାବିଲା? ଭବିଷ୍ୟତରେ ଏଭଳି ସ୍ଥିତିର ମୁକାବିଲା ଲାଗି ଇଣ୍ଟିଗ୍ରେଟେଡ୍ ବ୍ୟାଟଲ ଗ୍ରୁପ୍ ଗଠନ ଲାଗି ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ।
ଏହା ସହିତ ଭବିଷ୍ୟତର ଆହ୍ୱାନକୁ ଦେଖି ପୁନର୍ଗଠନ ରାସ୍ତାରେ ଭାରତୀୟ ସେନା । ଉଭୟ ଚୀନ୍ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ସ୍ଥିତିର ସାମ୍ନା କରିବା ଲାଗି ସେନାବାହିନୀର ପୁନର୍ଗଠନ ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଏହି ପ୍ରୟାସ ଅନ୍ତର୍ଗତ ଖୁବ୍ ଶୀଘ୍ର ଆତ୍ମପ୍ରକାଶ କରିବାକୁ ଯାଉଛି ଭାରତୀୟ ସେନାର ଇଣ୍ଟିଗ୍ରେଟେଡ୍ ବ୍ୟାଟଲ ଗ୍ରୁପ ବା IBG ।
ତେବେ କଣ ଏହି ଆଇବିଜି, କଣ ହେବାକୁ ଯାଉଛି ଏହାର ରୂପରେଖ ? ଆଇବିଜି ଗଠନ ଦ୍ୱାରା ସେନାର ଆକ୍ରମଣ କ୍ଷମତାରେ ଆସିବ କି ପରିବର୍ତ୍ତନ? ଲଦାଖରେ ଚୀନ୍ ସହ ଲାଗି ରହିଥିବା ଦୀର୍ଘଦିନର ମୁହାଁମୁହିଁ ସ୍ଥିତିରୁ ଅନେକ ନୂଆ କଥା ଶିଖିବାକୁ ମିଳିଛି। ଦୀର୍ଘ ମିଆଦି ଭିତ୍ତିରେ କିଭଳି ଶତ୍ରୁଙ୍କ ମୁକାବିଲା କରାଯିବ? ଖାସ୍ କରି କିଭଳି ପ୍ରସ୍ତୁତି କଲେ ଶତ୍ରୁଙ୍କ ଉପରେ ଅଚାନକ ଓ ପ୍ରବଳ ଆକ୍ରମଣ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ଆଇବିଜି ଗଠନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି।ପ୍ରତି ଆଇବିଜିରେ ୫ ହଜାର ସୈନ୍ୟ ରହିବେ । ତେବେ ନାଁରୁ ଯାହା ସ୍ପଷ୍ଟ ହେଉଛି ଆଇବିଜିରେ ପଦାତିକ ବାହିନୀ, ଟ୍ୟାଙ୍କ୍, ଆର୍ଟିଲାରୀ, ଏୟାର ଡିଫେନ୍ସ, ସିଗ୍ନାଲ୍ସ, ଇଂଜିନିୟରିଂ ଓ ଅନ୍ୟାନ୍ୟ ୟୁନିଟର ସମ୍ମିଳନ ହେବ। ଅର୍ଥାତ୍ ଏ ସମସ୍ତ ବାହିନୀ ଏକତ୍ର ମୁତୟନ ରହିବ। ଯାହା ଦ୍ୱାରା ସେନା ଅଧିକ ସଂଗଠିତ ହେବା ସହ ଶତ୍ରୁ ବିରୋଧୀ ଅପରେସନକୁ ନିର୍ଣ୍ଣାୟକ ସ୍ଥିତିକୁ ନେଇପାରିବ।
ସେନା ଅପରେସନ୍ରେ ପରିବର୍ତ୍ତନ ଆଣିବା ଲାଗି ରହିଥିବା ଯୋଜନା ଅନ୍ତର୍ଗତ ଆଇବିଜି ଗଠନ ଏକ ଯୁକ୍ତିସଂଗତ ପଦକ୍ଷେପ ବୋଲି କହିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ଏମ.ଏମ୍ ନରଓ୍ୱଣେ । ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବା ଲାଗି, ବିଭିନ୍ନ ୟୁନିଟ୍ର ଏକତ୍ରୀକରଣ ଜରୁରୀ ବୋଲି ସେ ମତ ଦେଇଛନ୍ତି । ଲଢେଇ ଦକ୍ଷତା ଓ ଭବିଷ୍ୟତର ଯୁଦ୍ଧ ଜିତିବା ଲକ୍ଷ୍ୟରେ ଆଇବିଜିର ରୂପରେଖ ପ୍ରସ୍ତୁତ କରାଯିବ । ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେବା ଏବଂ ଦୁଇ ପଟୁ ଯୁଦ୍ଧ ଲଢାଯିବାର ସମ୍ଭାବ୍ୟ ସ୍ଥିତିକୁ ଦେଖି ଆଇବିଜି, ଥିଏଟର କମାଣ୍ଡ୍ ଓ ୧୩ ଲକ୍ଷ ସୈନ୍ୟଙ୍କୁ ନେଇ ସମୃଦ୍ଧ ଭାରତୀୟ ସ୍ଥଳ ସେନାର ପୁନର୍ଗଠନ କରାଯାଉଥିବା କହିଛନ୍ତି ସ୍ଥଳସେନା ମୁଖ୍ୟ
ପ୍ରଥମ ପର୍ଯ୍ୟାୟରେ ଗଠନ ହେବ ୮ରୁ ୧୦ଟି ଆଇବିଜି । ୟୋଲରେ ଥିବା ୯-କୋର୍, ପାନ୍ନାଗଡ୍ର ୧୭-କୋର ଏବଂ ସୁକ୍ନା ସ୍ଥିତ ୩୩-କୋର ଯବାନଙ୍କୁ ଏଥିରେ ସାମିଲ କରାଯିବ । ମେଜର ଜେନେରାଲ ରାଙ୍କ ଅଫିସର ଆଇବିଜି ଲିଡ୍ କରିବେ। ଆବଶ୍ୟକତା ଓ ଶତ୍ରୁ ପଟୁ ଥିବା ଭୟକୁ ଦେଖି ପରବର୍ତ୍ତୀ ସମୟରେ ଅଧିକ ଆଇବିଜି ଗଠନ କରାଯିବ । ଅର୍ଥାତ୍ ପାକିସ୍ତାନ ପଟ ସମତଳ ହୋଇଥିବାରୁ ଏଥିଲାଗି ଗଠିତ ଆଇବିଜିରେ ଟ୍ୟାଙ୍କ୍ ଓ ଭାରି ଅସ୍ତ୍ରଶସ୍ତ୍ର ଅଧିକ ରହିବ । ତେବେ ଚୀନ୍ ସୀମାରେ ସୁଉଚ୍ଚ ପର୍ବତ ଓ ଗିରିଶୃଙ୍ଗ ଥିବାରୁ ଏଠାରେ ପାହାଡ଼ି ରଣକୌଶଳ ଲାଗି ଉଦ୍ଦିଷ୍ଟ ପ୍ରଶିକ୍ଷିତ ସୈନ୍ୟ ଓ ହାଲୁକା ଯୁଦ୍ଧାସ୍ତ୍ର ମୁତୟନ ହେବ।
ବର୍ଷ ବର୍ଷ ଧରି ପାକିସ୍ତାନ ସହ ତିକ୍ତ ସଂପର୍କକୁ ନେଇ ସେନାର ଫୋକସରେ ରହିଥିଲା ଏଲ୍ଓସି । ତେବେ ବର୍ଷେ ହେଲା ୩ ହଜାର ୪୮୮ କିଲୋମିଟର ଲମ୍ବା ଏଲ୍ଏସିରେ ଚୀନ୍ ସହ ମୁହାଁମୁହିଁ ହେବାକୁ ପଡ଼ିଛି ଭାରତୀୟ ସେନାକୁ । ତେଣୁ ସ୍ଥିତି ଏହାର ରଣନୀତି ବଦଳାଇବା ଲାଗି ବାଧ୍ୟ କରିଛି । ସେଥିଲାଗି ଏଲଓସିରେ ନଜର ରଖୁଥିବା କୋର-ଓ୍ୱାନ୍କୁ ଏବେ ଏଲ୍ଏସି ଦାୟିତ୍ୱ ଦିଆଯାଇଛି। ଏହା ଏଲ୍ଏସିର ନର୍ଦ୍ଦର୍ଣ୍ଣ ସେକ୍ଟର ଓ ଲଦାଖ ସ୍ଥିତି ସମ୍ଭାଳିବ । ତେବେ ଆବଶ୍ୟକସ୍ଥଳେ କୋର-ଓ୍ୱାନ୍କୁ ପାକିସ୍ତାନ ବିପକ୍ଷରେ ବି ମୁତୟନ କରାଯିବ। ଏଥିପାଇଁ ଉଚ୍ଚ ଗିରିଶୃଙ୍ଗ ଓ ପ୍ରତିକୂଳ ପାଗରେ ତିଷ୍ଠି ରହିପାରୁଥିବା ପର୍ଯ୍ୟାପ୍ତ ସଂଖ୍ୟକ ଯବାନକୁ ଏଥିରେ ରଖାଯିବ । ସେହିପରି ଖୁବ୍ କମ୍ ସମୟରେ କିଭଳି ଏମାନଙ୍କ ମୁତୟନ ପ୍ରକ୍ରିୟା ସଂପୂର୍ଣ୍ଣ କରାଯାଇପାରିବ ତାର ବ୍ଲୁ-ପ୍ରିଣ୍ଟ ବି ପ୍ରସ୍ତୁତ କରାଯାଉଛି । ଅନ୍ୟପକ୍ଷରେ ୧୭-କୋର୍ ସିକ୍କିମର ବିପରୀତ ପାର୍ଶ୍ୱରେ ଅବସ୍ଥିତି ଚୁମ୍ବି ଭ୍ୟାଲି ଓ ଇଷ୍ଟର୍ଣ୍ଣ ସେକ୍ଟରରେ ମୋର୍ଚ୍ଚା ସମ୍ଭାଳିବ…..