ବରୀ (ରତ୍ନଗିରି ନ୍ୟୁଜ) ୧୯/୧୨ :-ଯେଉଁଠି ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଏ ନାହିଁ ସେଠି ବିକାଶ ଅସମ୍ଭବ । ମା ପାଠୋଇ ସ୍ୱାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆଗକୁ ବଢିପାରିଲେ ରାଜ୍ୟ ଓ ଦେଶର ବିକାଶ ସମ୍ଭବ ବୋଲି କହୁଥିବା ପ୍ରବାଦ ପୁରୁଷ, କଳିଙ୍ଗବୀର, ଭୂମୀପୁତ୍ର, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ଭୁବନେଶ୍ୱରର ବଡଗଡ ବ୍ରିଟ୍ କଲୋନୀ ସାଇ ଶକ୍ତି ମହିଳା ସମିତି ପରିସରରେ ନିଆରା ଢଙ୍ଗରେ ଲୋକାର୍ପିତ ହୋଇଯାଇଛି । ଏକାମ୍ର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୧୮ଟି ୱାର୍ଡର ଏଏଲ୍ଏଫ୍ ସଭାନେତ୍ରୀ, ଜଟଣୀ ଓ ଖୋର୍ଦ୍ଧା ଅଞ୍ଚଳର ବହୁ ଏସ୍ଏଚ୍ଜି କାର୍ଯ୍ୟକର୍ତ୍ତୀମାନଙ୍କ ଉପସ୍ଥିତିରେ ଶଙ୍ଖ ହୁଳହୁଳି ଶବ୍ଦରେ କଲୋନୀ ପରିସର ପ୍ରକମ୍ପିତ ହୋଇଥିଲା ।
ମହିଳାମାନଙ୍କ ବିକାଶ ପାଇଁ ସର୍ବଦା ଚିନ୍ତା କରୁଥିବା ଓ ସେମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଜୁବାବୁଙ୍କୁ ମନେ ପକାଇବା ସହ ଅବଳାଦୁର୍ବଳା ନୁହେଁ ବୋଲି ପ୍ରମାଣିତ କରିବାକୁ ଯାଇ ମହିଳାମାନେ ରାଜନୀତିର ଉର୍ଦ୍ଧ୍ୱରେ ରହି ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା କରିଛନ୍ତି । ଗଙ୍ଗା ଜଳ ଓ କ୍ଷୀରରେ ପ୍ରତିମୂର୍ତ୍ତୀକୁ ଶୁଦ୍ଧସ୍ନାନ କରାଇ ସମିତି ପରିସରରେ ପ୍ରତିଷ୍ଠା କରିଛନ୍ତି । ପ୍ରତିଷ୍ଠା ସମୟରେ ଉପସ୍ଥିତ ମହିଳାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଲକ୍ଷ୍ୟ କରାଯାଇଥିଲା । ନିଜ ନିର୍ବାଚନ ମଣ୍ଡଳୀରେ ବିଜୁବାବୁଙ୍କ କାର୍ଯ୍ୟକ୍ରମ କରାଯାଉଥିବାବେଳେ ବିଧାୟକଙ୍କ ଅନୁପସ୍ଥିତି ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।