ଭୁବନେଶ୍ୱର,(ରତ୍ନଗିରି ନ୍ୟୁଜ) : ରାଜ୍ୟରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସେମାନଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ କଟକ ଜିଲ୍ଲା ବକ୍ସିବଜାର ସ୍ଥିତ ଟ୍ରିପଲ ସି ହୋଟେଲରେ ଆଜି ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଆଲୋଚନା ହେବା ସହ ଆଗାମୀ ଦିନରେ ମହିଳାସଶକ୍ତିକରଣ ଓ ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ଦେବା ନେଇ ମୋଦି ସରକାର ବିଭିନ୍ନ ଯୋଜନାମାନ କରିଛନ୍ତି । ଏହି ଯୋଜନାକୁ ଗ୍ରାମାଂଚଳ ଓ ସହରାଚଂଳରେ ବ୍ୟାପକ ମାତ୍ରାରେ ପ୍ରଚାର ଓ ପ୍ରସାର କିଭଳି ହେବ ସେନେଇ ଆଜିର କାର୍ଯ୍ୟକାରିଣୀରେ ଆଲୋଚନା ହୋଇଥିଲା ।
ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କାର୍ଯ୍ୟକାରିଣୀରେ ଯୋଗ ଦେଇ କହିଛନ୍ତି ଯେ, ମୋଦି ସରକାରଙ୍କ ଯୋଜନାକୁ ଗ୍ରାମପଂଚାୟତ ସ୍ତରରେ ମହିଳା ପାଖରେ ପଂହଚାଇବା ପାଇଁ “କମଲ୍ ଦୁତ୍” ଅଭିଯାନ ଫେବୃୟାରୀ ମାସରୁ ଶୁଭାରମ୍ଭ କରିବେ ବୋଲି ଘୋଷଣା କରାଯାଇଛି । ଏହି ଯୋଜନା ଦ୍ୱାରା ମହିଳା ହିତାଧିକାରୀମାନେ ସ୍ୱାବଲମ୍ବୀ ହେବାରେ ସହାୟକ ହେବ । ରାଜ୍ୟରେ ଇତିଶ୍ରୀ, ବେବିନା ଠାରୁ ଆରମ୍ଭ କରି ପିହୁ, ମମିତା ପର୍ଯ୍ୟନ୍ତ ଓଡିଶା ପୋଲିସ ସଦାସର୍ବଦା ନିଜର ମହିଳା ବିରୋଧୀ ମନୋଭାବ ପ୍ରଦର୍ଶନ କରିଛି । ବର୍ତମାନର ଆଇନ ଶୃଙ୍ଖଳାର ଅବସ୍ଥା ନକହିଲେ ଭଲ । ମହିଳା ପୋଲିସ ମଧ୍ୟ ଆତତାୟୀଙ୍କ ଆକ୍ରମଣରୁ ବର୍ତି ପାରୁନାହିଁ । ବିଧାୟକଙ୍କ ଦ୍ୱାରା ଅତ୍ୟାଚାରିତ ମହିଳା ହେଉ ବା ଜିିଲ୍ଲା ପରିଷଦ ପ୍ରାର୍ଥୀନି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ବିନା ଥାନାରେ ଅଭିଯୋଗ ମଧ୍ୟ ଦାଏର କରିପାରୁନାହାଁନ୍ତି । ଅର୍ଚ୍ଚନା ନାଗ ପରି ଅନେକ ମହିଳାଙ୍କୁ ବିଜେଡିର ନେତାଗଣ ପ୍ରତିଦିନ ବ୍ୟବହାର କରୁଛନ୍ତି । ସାଧାରଣ ମହିଳାଟିଏ ଆଜି ନିଜକୁ ଏହି ପରିସ୍ଥିତିରେ ନିଃସହାୟ ମନେ କରୁଛି । ଓଡିଶା ପୋଲିସର ଏହିଭଳି ମହିଳା ବିରୋଧୀ ମନୋଭାବକୁ ମହିଳା ମୋର୍ଚ୍ଚା ଦୃଢ ଭାବରେ ନିନ୍ଦା କରିଛି । କ୍ୟାବିନେଟ୍ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଦିବାଲୋକରେ ହତ୍ୟା କରାଯାଇଥିଲା । କିନ୍ତୁ ପୋଲିସ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନେଇନାହିଁ ତଦନ୍ତ ସଠିକଭାବେ ହେଉନାହିଁ । ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ଦୃଢ଼ ନିନ୍ଦା କରିଛନ୍ତି ଶ୍ରୀ ମହାନ୍ତି ।
ଏହାପରେ ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ଅଧ୍ୟକ୍ଷା ଶ୍ରୀମତୀ ବନଥୀ ଶ୍ରୀନିବାସନ ପ୍ରେସ ବାର୍ତାରେ କହିଛନ୍ତି ଯେ, ଓଡ଼ିଶାରେ ମହିଳା ପୋଲିସ ଅସୁରକ୍ଷିତ ସେଠି ସାଧାରଣ ମହିଳାଙ୍କ ଜୀବନ ନକହିବା ଭଲ । ୨୩ବର୍ଷର ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି । ମହିଳାଙ୍କୁ ସମ୍ମାନ କଥା କହୁଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ମହିଳାଙ୍କୁ ଭୋଟ୍ ବ୍ୟାଙ୍କ ସଜାଇ ଭୂଆଁ ବୁଲାଉଛନ୍ତି । ରାଜ୍ୟରେ ମହିଳା ଅପହରଣ, ନିର୍ଯ୍ୟାତନା ଓ ଶିଶୁ ଅପହରଣ ବଢ଼ୁଥିଲେ ବି ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବରଂ ମିଥ୍ୟା କହି ଓଡ଼ିଶାର ମହିଳାଙ୍କୁ ଠକି ଚାଲିଛନ୍ତି । ମହିଳାଙ୍କୁ ସୁରକ୍ଷା ଦେବାର ଅସମର୍ଥ ଥିବା ରାଜ୍ୟ ସରକାର ଶାସନ କରିବାର ଅଧିକାର ହରାଇ ବସିଛନ୍ତି । କରୋନାକାଳ ପରେ ପ୍ରଥମ ଥର ପାଇଁ ସାମୁଖ୍ୟ ଭାବରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବାରୁ ସମସ୍ତ ମହିଳା ମୋର୍ଚ୍ଚାକୁ ଅଭିନନ୍ଦନ ଜଣାଇଥିଲେ ବୋଲି ଶ୍ରୀମତୀ ଶ୍ରୀନିବାସନ ।
ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ମାନସ ମହାନ୍ତି, ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଭନଥୀ ଶ୍ରୀନିବାସନ, ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ମହିଳାମୋର୍ଚ୍ଚା ପ୍ରଭାରୀ ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ସୁଷମା ରାଣୀ ବିଶ୍ୱାଳ, ନିୟତି ଗିରି, କସ୍ତୁରି ମିଶ୍ର, ନିରୋଜ ନଳିନୀ ମହାଲ୍ଲିକ, ଅନୁ ଚୌଧୁରୀ, ମିଡିଆ ସଂଯୋଜିକା ସୁଚରିତା ଜେନାମଣି, ସୋସିଆଲ ମିଡିଆ ସଂଯୋଜିକା ସତରୂପା ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାର ମହିଳା ମୋର୍ଚ୍ଚା ସଭାନେତ୍ରୀ, ପଦାଧିକାରୀ ଓ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଆଜି ସକାଳେ କାର୍ଯ୍ୟକାରିଣୀ ଉଦଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନ୍ଦେ ମାତରଂ ଗାନ କରାଯାଇଥିଲା । ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କାନନବାଳା ପଟ୍ଟନାୟକ ମଂଚ ଆମନ୍ତ୍ରଣ କରିବା ସହ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ସୁଷମାରାଣୀ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହିଳାମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଶୋକ ପ୍ରସ୍ତାବ ଆଗତ କରିଥିଲେ । ମହିଳାମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ମୋର୍ଚ୍ଚା ସାଧାରଣ ସଂପାଦିକା ବବିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।