ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ)୧୩/୦୧:- ରାୟଗଡ଼ା ଡିଭିଜନକୁ ପୂର୍ବତଟ ରେଳପଥ ଅଧୀନରୁ କାଢ଼ିନେଇ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ରେଳପଥରେ ମିଶାଇଦେବାର ସନ୍ଦେହ ଓ ଷଡ଼ଯନ୍ତ୍ର ସମ୍ପର୍କରେ ଗତକାଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଅମିୟ ପାଣ୍ଡବ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟିକରଣ ମାଗିବା ଏବଂ ଚରମ ଚେତାବନୀ ଦେବାପରେ ରେଳ ବିଭାଗ ପକ୍ଷରୁ କ୍ଷମା ପ୍ରାର୍ଥନା କରିବା ସହ ନିଜର ତ୍ରୁଟି ସ୍ୱୀକାର କରିଥିବାରୁ ସମସ୍ତ ଗଣମାଧ୍ୟମକୁ ପ୍ରଦେଶ କଂଗ୍ରେସ ଧନ୍ୟବାଦ ଜ୍ଞାପନ କରିଛି । ସୂଚନାଯୋଗ୍ୟ ଯେ ଗତ ୨୮ ଡିସେମ୍ବର ୨୦୨୧ରେ ସୂଚନା ଅଧିକାର ଆଇନ ବଳରେ ରେଳବିଭାଗ ଦେଇଥିବା ତଥ୍ୟ ଯୋଗୁ ଏମିତି ସନ୍ଦେହ ଓ ସଂଶୟ ସୃଷ୍ଟି ହୋଇଥିଲା ଏବଂ ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ସମ୍ବାଦ ପ୍ରକାଶ ପାଉଥିଲେ ମଧ୍ୟ ରେଳ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟିକରଣ ଦିଆ ନ ଯିବାରୁ ଏହା ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରିବା କ୍ଷଣି ଦୁଇ ସପ୍ତାହ ଧରି ନୀରବ ଓ ନିରୁତ୍ତର ରହିଥିବା ରେଳ ବିଭାଗ ଅତ୍ୟନ୍ତ ତରବରିଆ ଭାବେ ଗତକାଲି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ସରିବା ପରେପରେ ଏହାକୁ ମୁଦ୍ରଣଜନିତ ତୃଟି ବୋଲି ଦର୍ଶାଇବା ସହ ଏଥିନେଇ କ୍ଷମା ପ୍ରାର୍ଥନା କରି ସ୍ପଷ୍ଟିକରଣ ଜାରି କରିଛି । ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ହେଲା ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର କିମ୍ବା ବିଜୁ ଜନତା ଦଳ କେଉଁ କାରଣରୁ ନୀରବ ଓ ନିରୁଦ୍ଦିଷ୍ଟ ହୋଇଗଲା ବୋଲି ପ୍ରଶ୍ନ କରିବା ସହ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରତିଟି ପ୍ରସଙ୍ଗରେ କଂଗ୍ରେସ ଏହିପରି ପ୍ରଶ୍ନ କରିଚାଳିବ ବୋଲି ଶ୍ରୀ ପାଣ୍ଡବ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ବି.ଦ୍ର : ଏଥିସହ ରେଳ ବିଭାଗ ପକ୍ଷରୁ ଜାରି ହୋଇଥିବା ୨ଟିଯାକ ଚିଠି ସଂଲଗ୍ନ କରାଯାଇଛି ।