ନୂଆଦିଲ୍ଲୀ: ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ଆଫଗାନିସ୍ତାନର ସଂଖ୍ୟା ଲଘୁଙ୍କୁ ଭାରତ ଆଶ୍ରୟ ଦେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ଏହାପରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କରେ ବାତାବରଣ ରହିଛି। ତେଣୁ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟା ଲଘୁ ଏବେ ଭାରତରେ ଆଶ୍ରୟ ନେବା ପାଇଁ ଆବେଦନ କରୁଛନ୍ତି। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଯେଉଁଥିରେ ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ସେଠିକାର ସଂଖ୍ୟା ଲଘୁ ଶ୍ରେଣୀରେ ଥିବା ଶିଖ ଏବଂ ହିନ୍ଦୁମାନଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକମାନଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୈଠକରେ ଉପସ୍ଥିତ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଛନ୍ତି। ସୁରକ୍ଷା କ୍ୟାବିନେଟ କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଆଫଗାନିସ୍ତାନର ଭାଇ ଓ ଭଉଣୀମାନଙ୍କୁ ସହାୟତା କରିବ।
ଏହି ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ଏନଏସଏ ମୁଖ୍ୟ ଅଜିତ ଡୋଭାଲ, କ୍ୟାବିନେଟ ସଚିବ ରାଜୀବ ଗୈବା, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଆଫଗାନିସ୍ତାନରେ ଭାରତର ରାଷ୍ଟ୍ରଦୂତ ରୁଦ୍ରେଣ୍ଡ୍ରା ଟଣ୍ଡନ ପ୍ରମୁଖ ଉପସ୍ଥିତ ଥିଲେ।