ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ ): ପ୍ରିୟ ନବୀନବାବୁ,
ପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ବାତ୍ୟା ‘ଜୱାଦ’ ଓଡିଶାର ସ୍ଥଳ ଭାଗ ଛୁଇଁ ନାହିଁ ସତ, କିନ୍ତୁ ଏହି ବାତ୍ୟା ଓ ଲଗାଣ ବର୍ଷା ଜନିତ କ୍ଷୟକ୍ଷତିର ପରିଣାମକୁ ଦେଖି ଯେଉଁ କେତୋଟି ପ୍ରସଙ୍ଗ ମୋତେ ଆନ୍ଦୋଳିତ କରୁଛି, ତାହାର ସମାଧାନ ପାଇଁ ମୁଁ ଆପଣଙ୍କୁ ଏ ପତ୍ର ଲେଖୁଛି ।
ଦୈବୀ ଦୁର୍ବିପାକ କାହା ହାତର କଥା ନୁହେଁ । ତେଣୁ, ଏଥିପାଇଁ କାହାକୁ ଦାୟୀ କରିହେବ ନାହିଁ । କିନ୍ତୁ ଦୁର୍ବିପାକ ପରବର୍ତ୍ତୀ ପ୍ରସଙ୍ଗର ସୁପରିଚାଳନା ଦାୟିତ୍ୱ ସରକାରଙ୍କର । ଏଥିରେ ସାମାନ୍ୟ ଅଦୂରଦର୍ଶିତା ବା ଦାୟିତ୍ୱହୀନତା ରହିଲେ ତାହା ଦୁର୍ବିପାକର ଦୁଃଖଠାରୁ ଅଧିକ ହୋଇଯାଏ ।
ଆମ ଉପକୂଳ ଅଂଚଳରେ ଚାଷୀମାନେ ସାଧାରଣତଃ ଲମ୍ବା ଧାନ ଚାଷ କରନ୍ତି । ଏହି ଧାନ କଟା ଡିସେମ୍ବର ମାସରୁ ଆରମ୍ଭ ହୁଏ । କିନ୍ତୁ ଚଳିତବର୍ଷ ଅନାବୃଷ୍ଟି ଯୋଗୁ ଧାନ ଚାଷ ପ୍ରାୟ ବିଳମ୍ବ ହୋଇଥିଲା । ମରୁଡିରେ ପ୍ରାୟ ୭୦ ଭାଗ ଧାନ ଫସଲ ନଷ୍ଟ ହୋଇଯିବାପରେ ୩୦ ଭାଗ ଫସଲ ଏଇ ଡିସେମ୍ବର ଶେଷ ସପ୍ତାହରେ ଅମଳ ହୋଇଥାନ୍ତା । କିନ୍ତୁ ‘ଜୱାଦ’ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ଧାନ କିଆରିରେ ବଳିପଡିଥିବା ଧାନ ଏବେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ଯେଉଁ କେତୋଟି ପ୍ରଶ୍ନ ମୋତେ ଆନ୍ଦୋଳିତ କରୁଛି, ତାହା ଆପଣଙ୍କ ସାମ୍ନାରେ ମୁଁ ଉପସ୍ଥାପନ କରି ତାହାର ଉତ୍ତର ଆଶା କରୁଛି । ଆପଣଙ୍କ ନେତୃତ୍ୱାଧିନ ସରକାରର ଆନ୍ତରିକତା ଅଭାବରୁ ଓ ଭୁଲ୍ କୃଷିନୀତି ଯୋଗୁଁ ଏ ପର୍ଯ୍ୟନ୍ତ ଓଡିଶାର ଭାଗଚାଷୀମାନଙ୍କୁ ଚିହ୍ନଟ କରାଯାଇ ପାରିଲା ନାହିଁ । ଯାହାଫଳରେ ଚାଷ ଜମିରେ ମାଲିକ ପରିବର୍ତ୍ତେ ପ୍ରକୃତ
ଭାଗଚାଷୀ ଚାଷ କରୁଥିଲେ ମଧ୍ୟ ସେ ସମସ୍ତ ଯୋଜନାରେ ସୁଫଳ ପାଇବାରୁ ବଂଚିତ ହେଉଛି ।
ପ୍ରଥମତଃ ଫସଲବୀମା କଥା ବିଚାର କରାଯାଉ । ଶତକଡା ମାତ୍ର ୨ ଭାଗ ପ୍ରିମିୟମ୍ ଦେବାକୁ ପଡୁଥିଲେ ମଧ୍ୟ ଫସଲବୀମା କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରୁନାହିଁ କାହିଁକି? କାରଣ, ଭାଗଚାଷୀଙ୍କ ପାଇଁ ଏଥିରେ
କୌଣସି ସୁବିଧା ନାହିଁ ଓ ପ୍ରକୃତ ଚାଷୀ ତା’ର କ୍ଷୟକ୍ଷତିକୁ ରିପୋଟିଂ କରିବାରେ ଯେଉଁ ପ୍ରକାର ଜଟିଳ ନିୟମ ଅଛି, ସେଥିପାଇଁ ଚାଷୀ ଫସଲବୀମା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ସମସ୍ତ ଚାଷୀ କିପରି ଫସଲବୀମାର ସୁଯୋଗ ସହଜରେ ପାଇପାରିବ, ସେ ଦିଗରେ ଆପଣଙ୍କ ସରକାରର କିଛି ଯୋଜନା ଅଛି କି?
ଦିତୀୟତଃ ବାରମ୍ବାର ବନ୍ୟାବାତ୍ୟାରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ସେସବୁ ରିଲିଫ୍ କୋଡରେ
ଆବଶ୍ୟକ ବ୍ୟବସ୍ଥା କରାଯାଉନି । ଯାହାଫଳରେ ଚାଷୀମାନଙ୍କର କ୍ଷତିକୁ ଭରଣା କଲାବେଳେ ସେମାନଙ୍କୁ ଦୟା କଲାପରି ସମୁଦ୍ରକୁ ଶଙ୍ଖେ ସହାୟତା ଦିଆଯାଉଛି ।
ତୃତୀୟତଃ ଚାଷୀମାନଙ୍କର କ୍ଷୟକ୍ଷତିର ଆକଳନ କଲାବେଳେ ଦଳୀୟ ମନୋବୃତ୍ତିରୁ ଉର୍ଦ୍ଧ୍ୱକୁ ଯିବା କଥା । କିନ୍ତୁ
ଅଧିକାଂଶ କ୍ଷେତ୍ରରେ ତାହାର ବିଡମ୍ବନା ଦେଖାଯାଉଛି । ଯାହାଫଳରେ ଅନେକ କ୍ଷତିଗ୍ରସ୍ତ ଲୋକ ସରକାରୀ
ସହାୟତା ପାଇବାରୁ ବଂଚିତ ହେଉଛନ୍ତି ।ଚତୁର୍ଥରେ କ୍ଷୟକ୍ଷତିର ଆକଳନ ଯୁଦ୍ଧକାଳୀନ ଭିତିରେ ହୋଇ କ୍ଷତିପୂରଣ ତୁରନ୍ତ ଯୋଗାଇ ଦେବା ଆବଶ୍ୟକ । କାରଣ, ନଭେମ୍ବର ମାସରୁ ରବି ଋତୁ ଆରମ୍ଭ ହୋଇଗଲାଣି । ମାଟିର ବତର ହେବା ମାତ୍ରେ ଚାଷୀ ଡାଲି ଜାତୀୟ ଫସଲ, ବାଦାମ, ପନିପରିବା ଚାଷ ପୁଣିଥରେ ଆରମ୍ଭ କରିପାରନ୍ତେ । କିନ୍ତୁ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ସହ ମୁଗ, ବିରି, ବାଦାମର ମଞ୍ଜି ମାଗଣା ଯୋଗାଇ ଦେବା ଦରକାର । କିନ୍ତୁ ମୋର ଆଶଂକା ଦୁର୍ବିପାକ ପରବର୍ତ୍ତୀ ପ୍ରସଙ୍ଗ ପରିଚାଳନା ପାଇଁ ଆପଣଙ୍କ ସରକାରର କୌଣସି ସ୍ପଷ୍ଟ ନୀତି ନ’ଥିବାରୁ ଏ କ୍ଷେତ୍ରରେ କ୍ଷତିଗ୍ରସ୍ତ ଚାଷୀମାନେ କେବେ ତାଙ୍କ କ୍ଷତିପୂରଣ ପାଇବେ, ତାର ଠିକଣା ନାହିଁ । କାରଣ କ୍ଷୟକ୍ଷତିର ଆକଳନ ଓ କ୍ଷତିପୂରଣ ବଂଟନ ପାଇଁ କୌଣସି ସ୍ପଷ୍ଟ ନୀତି ନ’ଥିବାରୁ ଫନୀ ବାତ୍ୟାର କ୍ଷତିଗ୍ରସ୍ତ
ଲୋକେ ଆଜି ଯାଏ କ୍ଷତିପୂରଣ ପାଇପାରିଲେ ନାହିଁ ।
ଚାଷୀମାନେ ଓଡିଶା ବିକାଶର ମେରୁଦଣ୍ଡ । କରୋନା କାରଣରୁ ଦୀର୍ଘ ଦୁଇବର୍ଷ ହେଲା ସେମାନେ କ୍ଷତି ସହୁଛନ୍ତି । ତା’ସାଙ୍ଗକୁ ଅନାବୃଷ୍ଟି, ଅତିବୃଷ୍ଟି ଓ ରୋଗପୋକ ସେମାନଙ୍କ ଆର୍ଥିକ ଅବସ୍ଥାକୁ ରସାତଳକୁ ନେଲାଣି । କେବଳ ଧାନ ଚାଷୀ ନୁହଁନ୍ତି, କପା, ମକା ଓ ଡାଲିଜାତୀୟ ଫସଲ ଚାଷ କରୁଥିବା ଚାଷୀମାନେ
ମଧ୍ୟ ଅନେକ କ୍ଷତି ସହିଲେଣି ।
ଏହି ପରିପ୍ରେକ୍ଷୀରେ ମୋର ପ୍ରସ୍ତାବ ହେଲା, କ୍ଷୟକ୍ଷତି ଆକଳନ କଲାବେଳେ ଭାଗଚାଷୀ କିପରି ଉପକୃତ ହେବେ, ତାହା ପ୍ରତି ଦୃଷ୍ଟି ଦିଅନ୍ତୁ । ଚାଷୀମାନଙ୍କୁ ଯେତେଶୀଘ୍ର ସମ୍ଭବ ସେମାନଙ୍କ କ୍ଷତିପୂରଣ ଦିଅନ୍ତୁ । ଫସଲବୀମା କମ୍ପାନୀମାନେ କିପରି ସରଳମାର୍ଗରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମାରାଶି ଫେରାଇବେ, ସେଥିପ୍ରତି
ଦୃଷ୍ଟି ଦିଅନ୍ତୁ । ରବିଫସଲ ପାଇଁ ଚାଷୀମାନଙ୍କୁ ମାଗଣା ବିହନ ଓ ସାର, କୀଟନାଶକ ଯୋଗାଇ ଦିଅନ୍ତୁ । ଏଥିସହ ଏ ବର୍ଷର କୃଷିଋଣକୁ ସମ୍ପୂର୍ଣ୍ଣ ଛାଡ କରାଗଲେ ଚାଷୀଭାଇମାନେ ଆଶ୍ୱସ୍ତି ଲାଭ କରିବେ । ଏ ଦିଗରେ ଆପଣଙ୍କର ତ୍ୱରିତ ପଦକ୍ଷେପ ଆଶା କରୁଛି ।
ଶୁଭେଛା ଓ ନମସ୍କାର ନେବେ
ଆପଣଙ୍କର ବିଶ୍ୱସ୍ତ,
(ନିରଞ୍ଜନ ପଟ୍ଟନାୟକ)
ସଭାପତି,
ଓଡିଶା ପ୍ରଦେଶ କଂଗ୍ରେସ କମିଟି