ବରୀ(ରତ୍ନଗିରି ନ୍ୟୁଜ) : ସାହିତ୍ୟର ଆଦ୍ୟ ପରିଭାଷା ଗାଁ । ଗାଁକୁ ଛାଡି ସାହିତ୍ୟ ସୃଷ୍ଟି ଅସମ୍ଭବ । ପ୍ରତିଷ୍ଠିତ ସାହିତ୍ୟିକମାନେ ଗାଁରୁ ହିଁ ସେମାନଙ୍କର ସାରସ୍ୱତ ସୃଷ୍ଟିର ଅୟମାରମ୍ଭ କରିଥାନ୍ତି ବୋଲି ଯାଜପୁର ଜିଲ୍ଲା ଲେଖକ ସମ୍ମେଳନ ଦ୍ୱାରା ଆୟୋଜିତ ବନ୍ଧୁ ମିଳନ ଓ ଆଲୋଚନା ଚକ୍ରରେ ଯୋଗ ଦେଇ ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟିକ ଅଧ୍ୟାପକ ଡଃ ବିଧୁଭୂଷଣ ପଣ୍ଡା ପ୍ରକାଶ କରିଛନ୍ତି ।
ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ମେଦୁଆକୁଳସ୍ଥିତ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମରେ ଜିଲ୍ଲା ଲେଖକ ସମ୍ମେଳନର ବନ୍ଧୁମିଳନ ଓ ଗ୍ରାମାଞ୍ଚଳରେ ସାହିତ୍ୟ ଅନୁଷ୍ଠାନ ଓ ପତ୍ର ପତ୍ରିକାର ଭବିଷ୍ୟତ ଶୀର୍ଷକ ଆଲୋଚନା ଚକ୍ର ଜିଲ୍ଲା ସଭାପତି ଡା ରୁଦ୍ରନାରାୟଣ ପୃଷ୍ଟିଙ୍କ ସଭାପତିତ୍ୱରେ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି ।
ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକଭାବେ ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ମୁଗପାଳର ମୁଖ୍ୟ ଓଡ଼ିଆ ଅଧ୍ୟାପକ ଡଃ ବିଧୁଭୂଷଣ ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରଷ୍କାରପ୍ରାପ୍ତ ଲେଖକ ଡଃ ସୂର୍ଯ୍ୟମଣୀ ଖୁଣ୍ଟିଆ, ଜିଲ୍ଲା ସମ୍ମେଳନର ମୁଖ୍ୟ ଉପଦେଷ୍ଟା ତଥା ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା ଯୋଗ ଦେଇ ଗ୍ରାମାଞ୍ଚଳରେ ସାହିତ୍ୟାନୁଷ୍ଠାନ ଓ ପତ୍ରପତ୍ରିକାର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମେଳନର ଉପସଭାପତି ଡକ୍ଟର ନୃସିଂହ ଚରଣ ବେହେରା ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ଦୟାନିଧି ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଆଲୋଚନାରେ ଅଂଶ ଗ୍ରହଣ କରି ଚାଳଘରର ସମ୍ପାଦକ ପ୍ରତାପ କୁମାର ଦାସ, ଜଗା ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ଡ. ଅଜୟ କୁମାର ଜେନା, ଅଭୟ କୁମାର ଶତପଥି, ମକରଧ୍ୱଜ ସାହୁ, ଶଶୀକାନ୍ତ ମିଶ୍ର, ଡା ବିଶ୍ୱନାଥ ତ୍ରିପାଠୀ, ପର୍ଶୁରାମ ବିଶ୍ୱାଳ, କର୍ଣ୍ଣଚନ୍ଦ୍ର ଘଡାଇ ଓ ସମ୍ଭୁନାଥ ତ୍ରିପାଠୀ ପ୍ରମୁଖ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଗୀତିକାର ଅଭୟ ଶତପଥିଙ୍କ ସଙ୍ଗୀତ ଓ ଗୁରୁ ଗୋପିନାଥ ଦାସଙ୍କ ନିର୍ଦ୍ଦେଶିତ ସ୍ୱାଗତ ସଙ୍ଗୀତକୁ ବିଦ୍ୟାଳୟର ଛାତ୍ରୀମାନେ ଗାନ କରିଥିଲେ । ଶେଷରେ କବି ଅଜୟ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ ।