ଭୁବନେଶ୍ୱର (ରତ୍ନଗିରି ନୁଜ) ୧୩/୪ : ବାଲେଶ୍ବର ଜିଲ୍ଲା ନୀଳଗିରି ଥାନାରେ କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ନାମରେ ମିଥ୍ୟା ମାମଲା ରୁଜୁ ସହିତ ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇ ଥାନାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଛି । ପୋଲିସ୍ ନିର୍ଯ୍ୟାତନା ଯୋଗୁ ଅସୁସ୍ଥ ହୋଇପଡ଼ିଥିବା ଲୋକନାଥଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ତଳେ ଶୁଆଇ ଗୋଡ଼ରେ ବେଡ଼ି ପକାଇ ଦିଆଯାଇଥିବା ଘଟଣା ଅତ୍ୟନ୍ତ ବର୍ବୋରଚିତ । ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ନୀଳଗିରି ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ପୂର୍ବକ ସମଗ୍ର ରାଜ୍ୟରେ ସାମ୍ବାଦିକମାନେ ତୀବ୍ର ପ୍ରତିବାଦ ଜଣାଇଥିଲେ । ଏଥିସହିତ ସାମ୍ବାଦିକ ସଂଗଠନମାନଙ୍କ ପକ୍ଷରୁ ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ନିଲମ୍ବନ ଦାବିରେ ମୁଖ୍ୟମନ୍ତ୍ରୀ ଓ ପୋଲିସ୍ ମହାନିର୍ଦ୍ଦେଶନଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଡ଼ିଜିଙ୍କ ସହିତ ଆଲୋଚନା କାଳରେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼ିଜି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧୂ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ବଦଳି ବ୍ୟତିରକେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ଏହି ପରିପ୍ରେକ୍ଷୀରେ ମିଳିତ ସାମ୍ବାଦିକ ସଂଘ ମହାମଞ୍ଚ ପକ୍ଷରୁ ରାଜ୍ୟର ୯ ଗୋଟି ସାମ୍ବାଦିକ ସଂଘ ଏକ ବୈଠକରେ ସମ୍ମିଳିତ ହୋଇ ଘଟଣାର କ୍ଷୋଭ ପ୍ରକାଶ କରିଛନ୍ତି । ଆଲୋଚନାକାଳରେ ନିଷ୍ପତ୍ତି ନିଆଯାଇଥିଲା କି ସମ୍ପୃକ୍ତ ଅଧିକାରୀୟଙ୍କୁ ଆଗାମୀ ୭ ଦିନ ମଧ୍ୟରେ ନିଲମ୍ବନ, ଲୋକନାଥଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ କ୍ରମାଗତଭାବେ ବୃଦ୍ଧି ପାଉଥିବା ସମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ବୈଠକରେ ଉଦ୍ବେଗ ପ୍ରକାଶ ପାଇବା ସହିତ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ପାଇଁ ମହାମଞ୍ଚ ପକ୍ଷରୁ ଦୃଢ ଦାବି କରାଯାଇଛି । ତେବେ ଦାବି ପ୍ରତି ବିଭାଗୀୟ ମୁଖ୍ୟ ଯଦି ଉଦାସୀନ ମନୋଭାବ ପୋଷଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ସଂଘ ଗୁଡ଼ିକ ସମିଳିତ ଭାବେ ଜିଲ୍ଲା ସଦର ମହକୁମା ଠାରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଘୋଷଣା କରିଛନ୍ତି ।
ମହାମଞ୍ଚର ଆବାହକ ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏୟୁଜେର ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ନାୟକ, ଓୟୁଡବ୍ଲ୍ୟୁଜେର ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ଓୟୁଜେର ସଭାପତି ଶିଶୁଭୂଷଣ ଗ୍ରହରାଜ, ଓଡ଼ିଶା ୟୁନିୟନ ଅଫ ୱlର୍କିଙ୍ଗ ଜର୍ଣ୍ଣାଲିଷ୍ଟର ସଭାପତି ସୁଜ୍ଞାନ ଚୌଧୁରୀ, ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ନାୟକ, ଓୟୁଡବ୍ଲ୍ୟୁଜେର ସଭାପତି ସଞ୍ଜୟ ଦାସ, ଆଇଓୟୁଡବ୍ଲ୍ୟୁଜେର ସଭାପତି ଭାଗବତ ତ୍ରିପାଠୀ, କଳିଙ୍ଗ ସାମ୍ବାଦିକ ସଂଘର ସମ୍ପାଦକ ନିରଞ୍ଜନ ରେଡି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।