ଭୁବନେଶ୍ବର: କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ତାଲାବନ୍ଦ କଟକଣାକୁ ବୃଦ୍ଧି କରାଯାଇଛି। ଜୁନ ୧ରେ ତାଲାବନ୍ଦ ଅବଧି ଶେଷ ହେଉଥିବାବେଳେ ଏହାକୁ ଆଜି ପୁଣି ୧୬ଦିନ ପାଇଁ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି। ଅର୍ଥାତ ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ଡାଉନ ପୂର୍ବଭଳି ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। ଅପରପକ୍ଷରେ ବିବାହ, ବ୍ରତ ଓ ଶୁଦ୍ଧି କାର୍ଯ୍ୟ ପାଇଁ ପୂର୍ବ ନିୟମ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।
ରାଜ୍ୟର ୩ଟି ଜିଲାରେ ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲାରେ ଲକଡାଉନରେ କୋହନ କରାଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାକିଣି କରିପାରିବେ। ତେବେ ଏହି ୩ଟି ଜିଲାରେ ସେଲୁନ, ପାର୍ଲର ଓ ମଲ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଅପରପକ୍ଷରେ ରାଜ୍ୟର ଅନ୍ୟ ସବୁ ଜିଲାରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି।
ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ମହାମାରୀ କରୋନା ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟ ସମୟ, ଏହି ସମୟରେ ସରକାରଙ୍କ ମାର୍ଗଦର୍ଶିକା ପାଳନ ଜରୁରୀ। ତେଣୁ ସମସ୍ତେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ। ମାସ୍କ ପିନ୍ଧିବା, ହାତକୁ ସାନିଟାଇଜିଂ କରିବା, ବାରମ୍ବାର ହାତକୁ ଧୋଇବା, ସାମାଜିକ ଦୂରତ୍ବ ବଜାୟ ରଖିବା ଆଦି ନିୟମ ପାଳନ କରିବା ଉଚିତ। ଏବେ ସବୁ ରାଜ୍ୟରେ କୋଭିଡ ସଂକ୍ରମଣ କମି ଗଲାଣି। ଓଡ଼ିଶାରେ ମଧ୍ୟ ପ୍ରଥମେ ସଂକ୍ରମଣ ହୋଇଥିବା ଜିଲାଗୁଡ଼ିକରେ ସଂକ୍ରମଣ ହ୍ରାସ ପାଇଛି। ମୁଁ ଆଶା କରୁଛି ଆଗାମୀ ଦିନରେ ସବୁ ଜିଲାରେ ସଂକ୍ରମଣ ହ୍ରାସ ଦୃତଗତିରେ ହ୍ରାସ ପାଇବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।