-ଅଜୟ କୁମାର ଜେନା
ଗୋଟିଏ ଜାତି ଆଗେଇ ଯିବା ପାଇଁ ସ୍ୱପ୍ନଦେଖେ । ସେହି ସ୍ୱପ୍ନକୁ ସତରେ ପରିଣତ କରବା ପାଇଁ ଅଣ୍ଟାଭିଡ଼ି ବାହାରିପଡେ ସେ । ତାହା ହୁଏ ଜାତି ପାଇଁ ଇତିହାସ । ଇତିହାସର ପୃଷ୍ଠାକୁ ଓଲଟାଇଲେ ଜାତିର ଗଠନ, ବିକାଶ, କଳା, ସାହିତ୍ୟ ଓ ସଂସ୍କୃତି ପରିଚୟ ମିଳିଥାଏ ।
ଅଷ୍ଟାଦଶ ଶତାବ୍ଦୀର ଛନ୍ଦକବି ଭାବରେ ବୈଷ୍ଣବ କବି ଅଭିମନ୍ୟୁ ସାମନ୍ତ ସିଂହାର ଓଡ଼ିଆ ସାହିତ୍ୟ ଜଗତରେ ପ୍ରସିଦ୍ଧି ଲାଭ କରିଥିଲେ । ସେ ଦୀର୍ଘଜୀବୀ ନଥିଲେ ମଧ୍ୟ ତାଙ୍କ ରଚନା ତାଙ୍କୁ କରିଛି କାଳଜୟୀ । ଯେ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ଥିବ ସେ ପାର୍ଯ୍ୟନ୍ତ କବି ବଞ୍ôଚଥିବେ ସାହିତ୍ୟ ଜଗତରେ ଏକ ଦିପ୍ତିମାନ ଜ୍ୟୋତିଷ୍କ ହୋଇ ।
ତାଙ୍କ ଲେଖାର ଶୈଳି ଥିଲା ସ୍ୱତନ୍ତ୍ର । ସେ ପ୍ରକୃତି ଓ ପରିବେଶକୁ ସୁନ୍ଦରଭାବରେ ତାଙ୍କ ଲେଖାରେ ରୁପାୟିତ କରିଯାଇଛନ୍ତି । ରାଧାକୃଷ୍ଣଙ୍କ ପ୍ରେମଭକ୍ତିର ଗାଥା ଗାଇ ସେ ନିଜକୁ ଜଣେ ଶ୍ରୀକୃଷ୍ଣଙ୍କର ଚରଣ ସେବିକା ଦାସୀ ଭାବରେ ନିବେଦନ କରିଛନ୍ତି ।
କବିଙ୍କ ସମ୍ପର୍କରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଥିଲେ ଏକ ବିସ୍ମୟକର ପ୍ରତିଭା । ସେ ଓଡ଼ିଆ ସାହିତ୍ୟରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ । ତାଙ୍କର କାବ୍ୟ ରଚନା ମଧ୍ୟରେ ‘ବିଦଗ୍ଧ ଚିନ୍ତାମଣି’ ଓଡ଼ିଆ ସାହିତ୍ୟ ଜଗତରେ ଏକ ଶ୍ରେଷ୍ଠ କାବ୍ୟକୃତି । କବିଙ୍କ କାବ୍ୟ କବିତାରେ ଭରି ରହିଛି ପଦଲାଳିତ୍ୟ, ଉପମା ଓ ଅର୍ଥଗୌରବ । ସେଇଥିପାଇଁ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଲେଖିଛନ୍ତି-
‘ଉପମା ଭଞ୍ଜ ବୀରସ୍ୟ ତସୈବଚାର୍ଥ ଗୌରବମ୍
କଲ୍ଲୋଳେ ପଦ ଲାଳିତ୍ୟମ୍ ସନ୍ତି ଚିନ୍ତାମଣୌ ତ୍ର୍ରୟଃ ।’
ଓଡ଼ିଆ ସାହିତ୍ୟର କ୍ରମ ବିକାଶରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଏକ କ୍ରାନ୍ତିକାରୀ । ତାଙ୍କ ରଚନାର ରସ ଅମୃତମୟ ।
କବିଙ୍କ ଜନ୍ମ-
୧୭୬୦ମସିହା, ଫେବୃଆରୀ ମାସ ୨୩ ତାରିଖ ଶନିବାର ଦିନ ବିଦଗ୍ଧ କବି ଅଭମିନ୍ୟୁ ସାମନ୍ତସିଂହାରଙ୍କର ଜନ୍ମ ହୋଇଥିଲା । ଯାଜପୁର ଜିଲ୍ଲାର ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ଗ୍ରାମ, କିବଙ୍କର ଏନ୍ତୁଡିଶାଳ । ତାଙ୍କ ପିତାଙ୍କ ନାମ ଇନ୍ଦ୍ରଜିତ୍ ସାମାନ୍ତସିଂହାର ଓ ମାତାଙ୍କ ନାମ ତୁଳସୀ ଦେବୀ । ଇନ୍ଦ୍ରଜିତ୍ ସାମାନ୍ତସିଂହାର ଥିଲେ ବହୁ ପତ୍ନିକ । କିନ୍ତୁ ତାଙ୍କର କୌଣସି ପୁତ୍ର ସନ୍ତାନ ନ ହେବାରୁ ଅଷ୍ଟମ ଥର ପାଇଁ ସେ ବିବାହ କରିଥିଲେ ଉଦୟପୁର ପଟ୍ଟନାୟକ ବଂଶର କନ୍ୟା ତୁଳସୀ ଦେବୀଙ୍କୁ । ସେ ଥିଲେ ଅତ୍ୟନ୍ତ ଧର୍ମପରାୟଣା ଓ ପତିଭକ୍ତା । ସେଥିପାଇଁ ବୋଧହୁଏ ତାଙ୍କ ଗର୍ଭରୁ ଜନ୍ମ ନେଇଥିଲେ କବି ଅଭିମନ୍ୟୁ । କବି ଅଭିମନ୍ୟୁ ପିଲାଟି ଦିନରୁ ମାଆଙ୍କ ଆଦର୍ଶ ଓ ଧର୍ମ ଭାବଧାରାରେ ପ୍ରଭାବିତ ହୋଇଥିଲେ । ବଣ ଜଙ୍ଗଲର ମନଲୋଭା ପ୍ରାକୃତିକ ପରିବେଶ ମଧ୍ୟରେ କବି ସାମନ୍ତସିଂହାର ବାଲ୍ୟ, କିଶୋର ବୟସକୁ ଅତିକ୍ରମ କରିଥିଲେ । କୋଇଲିର କୁହୁତାନ, ଖିରିକୋଳି ଗଛ ଓ କରମଙ୍ଗା ଗଛର ଛାଇ, ପୁଣ୍ୟତ୍ରୋୟା ବ୍ରାହ୍ମଣୀର କୁଳୁକୁଳୁ ନାଦ କବିଙ୍କୁ କବିତା ରଚନା କରିବାକୁ ପ୍ରେରଣା ଯୋଗାଇଥିଲା ।
କିବଙ୍କ ଜୀବନର ଆରମ୍ଭ
କବି ଅଭିମନ୍ୟୁ ତାଙ୍କ ଜୀବନର ପ୍ରଥମ କବିତା କରମଙ୍ଗା ଗଛ ଛାଇକୁ ଦେଖି ରଚନା କରିଥିଲେ । କବିତାର ବିଷୟକୁ ସେ ଏତେ ସୁନ୍ଦର ଭାବରେ ମଣିଷ ଜୀବନ ସହ ମିଶାଇ ଦେଇଥିଲେ ଯେ, ତାହା ଏବେ ମଧ୍ୟ ସମସ୍ତଙ୍କ ମନକୁ ଛୁଇଁ ପାରୁଛି ।
କରମଙ୍ଗା ଗଛ ଛାଇଗୋ, ମୋର ହୁଁ ଗୋ
କରମ ଯାହାର ସୁଫଳ ହୋଇବ
କୃଷ୍ଣଙ୍କୁ ଲଭିବ ସେହି ଗୋ, ମୋର ହୁଁ ଗୋ ।
ପିଲାଟିଏ ଯଦି ଉପଯୁକ୍ତ ଗୁରୁଟିଏ ନ ପାଏ, ତେବେ ଭବିଷ୍ୟତ ଜୀବନର ପଥ ନିର୍ଣ୍ଣୟ କରିବା ତା’ ପକ୍ଷରେ କଠିନ ହୋଇପଡ଼ିବ । ଆଉ ଯଦି ଉପଯୁକ୍ତ ଗୁରୁଟିଏ ପାଇଯାଏ, ତେବେ ତା’ ଜୀବନର ଚଲାପଥ କୁସୁମିତ ହୁଏ । ତାହା ହିଁ ଘଟିଥିଲା ଅଭିମନ୍ୟୁଙ୍କ ଜୀବନରେ । ସେ ଉପଯୁକ୍ତ ଗୁରୁ ପାଇ ଶିକ୍ଷାର ସବୁ କ୍ଷେତ୍ରରେ ନିପୁଣ ହୋଇ ପାରିଥିଲେ । କବିଙ୍କ ବାଲ୍ୟ ଗୁରୁଥିଲେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା । ସେ ଯେ କେବଳ ଜଣେ ଶିକ୍ଷା ଗୁରୁଥିଲେ ତାହା ନୁହେଁ, ସେ ଥିଲେ ଜଣେ ବିଶିଷ୍ଟ କବି ଓ ରାଧାକୃଷ୍ଣଙ୍କ ପରମଭକ୍ତ । ରାଧାକୃଷ୍ଣଙ୍କୁ ନେଇ ସେ ବହୁ ପୁସ୍ତକ ରଚନା କରିଛନ୍ତି ।
ଅଭିମନ୍ୟୁଙ୍କ ଓଡ଼ିଆ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା । ଏହା ବ୍ୟତିତ ସଂସ୍କୃତ, ବଙ୍ଗଳା ଓ ମରାଠୀ ଭାଷାରେ ବିଭିନ୍ନ ଶାସ୍ତ୍ର, ବେଦ, ପୁରାଣ ଓ କାବ୍ୟ ଅଧ୍ୟୟନ କରି ସେ କବି ହେବାର ପ୍ରେରଣା ପାଇଥିଲେ । କବିଙ୍କ ଗୁରୁ ସଦାନନ୍ଦ ବୈଷ୍ଣବ ଧର୍ମରେ ଦୀକ୍ଷିତ ଥିଲେ । ତେଣୁ ବାଳକ ଅଭିମନ୍ୟୁଙ୍କ ମନ ମଧ୍ୟ ବୈଷ୍ଣବ ଧର୍ମ ଦିଗକୁ ଢଳି ପଡ଼ିଥିଲା । ସେ ନିଜର ଆରାଧ୍ୟ ଦେବାଦେବୀ ଶ୍ରୀରାଧା-ମୋହନଙ୍କୁ ପିଲା ଦିନରୁ ଭକ୍ତି କରୁଥିଲେ । ଶ୍ରୀ ରାଧାମୋହନଙ୍କ ଭକ୍ତିପୁଷ୍ପ ସ୍ୱରୂପ କବି ନ’ବର୍ଷ ବୟସରୁ ରଚନା କରିଥିଲେ ଗୋଟିଏ ପରେ ଗୋଟିଏ ନୂତନ କାବ୍ୟ । ଯାହା ଆଜି ଓଡ଼ିଆ ସାହିତ୍ୟରେ ଗୋଟିଏ ଗୋଟିଏ ଅମୂଲ୍ୟ ଗ୍ରନ୍ଥ ହୋଇ ରହିଛି ।
ସମୟର ଗତି ସବୁବେଳେ ଆଗକୁ ଆଗକୁ । ସମୟ ସହ ତାଳ ଦେଇ ଚାଲିଥିଲେ କବି । ଯେତେବେଳେ କବିଙ୍କୁ ଚଉଦ ବର୍ଷ ବୟସ, ସେତେବେଳେ ସେ ବିବାହ କରିଥିଲେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସୀ ଅର୍ଥାତ୍ ସଦାଶିବ ଜେନାଙ୍କ ଭଉଣୀ ବିମଳା ଦେବୀଙ୍କୁ । କବି ବିମଳାଦେବୀଙ୍କୁ ଖୁବ୍ ଭଲ ପାଉଥିଲେ । ପତ୍ନୀ ଭାବରେ ବିମଳାଦେବୀ କବିଙ୍କୁ ଅଜସ୍ର ଭକ୍ତି ଓ ସମ୍ମାନ ମଧ୍ୟ କରୁଥିଲେ । କିନ୍ତୁ ଈଶ୍ୱରଙ୍କ ଲୀଳା ବଡ ବିଚିତ୍ର ଥିଲା । ବାର୍ଦ୍ଧକ୍ୟରେ ନ ପହଞ୍ଚୁଣୁ ବିମଳାଦେବୀ କବିଙ୍କୁ ଛାଡ଼ି ଚାଲିଗଲେ । ପତ୍ନୀଙ୍କ ବିଚ୍ଛେଦ ତାଙ୍କୁ ଦାରୁଣ ଆଘାତ ଦେଇଥିଲା । କବି ଧିରେ ଧିରେ ଭାଙ୍ଗି ପଡ଼ିଥିଲେ । ତାଙ୍କର ମନୋବଳ ଭାଙ୍ଗି ପଡ଼ିବାରୁ ସେ ଅସୁସ୍ଥ ହୋଇ ପଡ଼ିଲେ । ଏହି ମହାନ୍ ପ୍ରତିଭାଙ୍କ ଜୀବନ ଦୀପ ୧୮୦୬ମସିହା ଜୁନ୍ ମାସ ୮ ତାରିଖରେ ଲିଭି ଯାଇଥିଲା ।
ବୟସ କ୍ରମରେ କବିଙ୍କ ସୃଷ୍ଟି
୯ବର୍ଷ ବୟସରେ : ବାଘ ଗୀତ, ବାୟାଚଢେଇ ଗୀତ ଓ ଗୋବରା ଚଢେଇ ଗୀତ । ୧୯ବର୍ଷ ବୟସରେ : ପ୍ରେମ ଚିନ୍ତାମଣି । ୨୦ବର୍ଷ ବୟସରେ : ପ୍ରେମ କଳା । ୨୪ବର୍ଷ ବୟସରେ : ରସବତୀ । ୨୭ ବର୍ଷ ବୟସରେ : ସୁଲକ୍ଷଣା । ୪୦ବର୍ଷ ବୟସରେ : ବିଦଗ୍ଧ ଚିନ୍ତାମଣି । ସମୟ ସ୍ରୋତ ସହ ତାଳ ଦେଇ ଆଗେଇ ଚାଲିଛି ସମାଜ । ବିଭିନ୍ନ ପ୍ରଥାରେ ଛନ୍ଦି ହୋଇପଡିଛି ମଣିଷ । ସେହି ସାମାଜିକ ପ୍ରଥାର ନିୟମରୁ ବର୍ତ୍ତିପାରି ନାହାଁନ୍ତି କବି । ଫଳରେ ସେ ବାଲ୍ୟ ବିବାହ ବନ୍ଧନରେ ଛନ୍ଦି ହୋଇପଡିଛନ୍ତି । ସେତେବେଳକୁ ତାଙ୍କ ମାତ୍ର ଚଉଦ ବର୍ଷ ବୟସ । ଏହି ଖେଳକୁଦ ବୟସରେ କଣ୍ଢେଇ ବାହାଘର ପରି ସେ ରାଜା ସାଜି, ନିଜର ରାଣୀ କରି ଆଣିଛନ୍ତି ବିମଳାଦେବୀଙ୍କୁ । ଅଭିମନ୍ୟୁଙ୍କ ପରବର୍ତ୍ତୀ ଜୀବନ ବିମଳାଦେବୀଙ୍କୁ ନିଜର ସୁପତ୍ନୀ ଭାବରେ ପାଇ ହୋଇ ଉଠିଥିଲା ସୁଖ ଓ ଆନନ୍ଦମୟ । ବିମଳାଦେବୀ ଥିଲେ ଅତ୍ୟନ୍ତ ପତିବ୍ରତା, ଗୁଣବ୍ରତା, ବିଦୂଷୀ ଏବଂ କୃଷ୍ଣଭକ୍ତି ପରାୟଣା । ସେ କବିଙ୍କ କବିତା ରଚନା କ୍ଷେତ୍ରରେ ଥିଲେ ଏକମାତ୍ର ପ୍ରେରଣାଦାତ୍ରୀ ।
ବିଦଗ୍ଧ କବି ଉପାଧି :
ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ ସାହିତ୍ୟରେ ଛନ୍ଦ କାବ୍ୟ, କବିତାର ସୁଅ ଛୁଟିଥାଏ । ସେତେବେଳେ କବି ଅଭିମନ୍ୟୁ ଥିଲେ ନିପୁଣ ଶ୍ରେଷ୍ଠ ଛନ୍ଦକବି । ତାଙ୍କ କାବ୍ୟ କବିତାରେ ପ୍ରେମ ଓ ବିରହର ଭାବଧାରା ବିଶେଷ ଭାବରେ ଫୁଟି ଉଠିଥିଲା ଏବଂ ପାଠକଙ୍କୁ ବିମୋହିତ କରୁଥିଲା । କାବ୍ୟର ଭାବଧାରା, ଶୈଳୀ, ଶବ୍ଦ ସଂଯୋଜନା ତଥା ପ୍ରେମ ବିରହର ମଧୁର ମିଳନ, ତାଙ୍କ ରଚିତ ‘ବିଦଗ୍ଧ ଚିନ୍ତାମଣି’ କାବ୍ୟରେ ସୁନ୍ଦର ଭାବରେ ଫୁଟି ଉଠିଥିଲା । ପରବର୍ତ୍ତୀ କାଳରେ ତାଙ୍କ ରଚନାକୁ ଓଡ଼ିଶାର ଗୁଣି, ଜ୍ଞାନୀ ଓ ପଣ୍ଡିତମାନେ ପାଠକରି ତାଙ୍କୁ ‘ବିଦଗ୍ଧ କବି’ ଭାବରେ ଭୂଷିତ କରିଥିଲେ ।
କବିଙ୍କ ପରିକଳ୍ପତି ବୃନ୍ଦାବନ:
କବି ଅଭିମନ୍ୟୁଙ୍କ ପତ୍ନୀ ବିୟୋଗ ପରେ ସେ ବାରମ୍ବାର ବୃନ୍ଦାବନ ଯାଉଥିଲେ । କବିଙ୍କ ଆରଧ୍ୟ ଦେବତା ଶ୍ରୀ ରାଧାମୋହନଙ୍କ ଲୀଳାଖେଳା ପାଇଁ ବାଲିଆ ଗ୍ରାମକୁ ଗୋଟିଏ କ୍ଷୁଦ୍ର ବୃନ୍ଦାବନରେ ପରିଣତ କରିଥିଲେ ସେ । ଯେଉଁ ବୃନ୍ଦାବନର ପରିସୀମା ଥିଲା ଚଉରାଅଶୀ ଏକର । ଏହି ବୃନ୍ଦାବନରେ ଅବସ୍ଥାପିତ ହୋଇଥିଲେ ଶ୍ରୀ ରାଧାମୋହନ । ଠାକୁରଙ୍କ ମନ୍ଦିର ସନ୍ନିକଟରେ କୁଳୁକୁଳୁ ନାଦ କରି ବହି ଯାଉଥିବା ପୂଣ୍ୟତୋୟା ବ୍ରାହ୍ମଣୀ ନଦୀର ତଟଦେଶକୁ ରାଧିକା ଛନ୍ଦା କୁହାଯାଉଥିଲା । ଏହି ନଦୀ ନିକଟରେ କଳ୍ପବଟ, କଦମ୍ବବୃକ୍ଷ, ଚନ୍ଦନ ପୋଖରୀ ମଧ୍ୟ ଥିଲା । ଯାହାକି ଥିଲା ବୃନ୍ଦାବନ ପରି କବିଙ୍କ ପରିକଳ୍ପିତ ବୃନ୍ଦାବନର ବିଶେଷ ଆକର୍ଷଣ ।
ଶ୍ରୀରାଧାମୋହନ :
ବିଦଗ୍ଧ କବି ଅଭିମନ୍ୟୁଙ୍କ ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀରାଧା ମୋହନ । ତାଙ୍କର ଚରଣରେ କବି ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଠାକୁରଙ୍କ ପୂଜା ଓ ସେବା ପାଇଁ ମନ୍ଦିରଟିଏ ନିର୍ମାଣ କରାଯାଇ ଶ୍ରୀ ରାଧାମୋହନଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ଏବେ ମଧ୍ୟ ଶ୍ରୀ ରାଧାମେନାହନଙ୍କ ମନ୍ଦିର କବିଙ୍କ ଜନ୍ମ ସ୍ଥାନରେ ଅଛି ।
ସ୍ୱର୍ଣ୍ଣ ତ୍ରିଭୁଜ :
ଓଡ଼ିଆ ସାହିତ୍ୟର କାବ୍ୟ ଯୁଗରେ ଯେଉଁ ତିନିଜଣ ମହାନ୍ ପ୍ରତିଭା ଆମର ଦୃଷ୍ଟିଗୋଚର ହୁଅନ୍ତି, ସେମାନେ ହେଲେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଭକ୍ତକବି ଦୀନକୃଷ୍ଣ ଦାସ ଓ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର । କବି ସମ୍ରାଟ ଉପେନ୍ଦ୍ର ଭକ୍ତଙ୍କ ଜନ୍ମ ରାଜ ପରିବାରେ । ତେଣୁ ସେ କାବ୍ୟ ରଚନା କରିବା ପାଇଁ ପାରିପାଶ୍ୱର୍ିକ ବାତାବରଣ ପାଇଥିଲେ । ଅଭମିନ୍ୟୁ ରାଜ ପରିବାରେ ଜନ୍ମ ହୋଇନଥିଲେ ମଧ୍ୟ ସେ ଥିଲେ ବାଲିଆ ଜମିଦାରଙ୍କ ଏକଇର ବଳା ବିଶିକେଶନ । ସେ ମଧ୍ୟ ଉପେନ୍ଦ୍ର ଭଞ୍ଜଙ୍କ ଭଳି ଉପଯୁକ୍ତ ଶିକ୍ଷା ପାଇଥିଲେ । କିନ୍ତୁ କବି ଦୀନକୃଷ୍ଣ ଥିଲେ ଦୀନ ଦରିଦ୍ର । ଦୁଃଖ, ଦାରିଦ୍ରତା ମଧ୍ୟରେ କୃଷ୍ଠରୋଗରେ ପୀଡିତ ହୋଇ ସେ ମହାନ୍ କାବ୍ୟ ଗ୍ରନ୍ଥ ସୃଷ୍ଟି କରିଯାଇଛନ୍ତି । ଏହି ମହାନ୍ ସ୍ରଷ୍ଟାଙ୍କ ମଧ୍ୟରେ ଉପନ୍ଦ୍ରେ ଭଞ୍ଜଙ୍କ ସମସାୟିକ(ବୟସ ତୁଳନାରେ) ଦୀନକୃଷ୍ଣ ଥିଲାବେଳେ, ଅଭିମନ୍ୟୁ ଥିଲେ କନିଷ୍ଠ । ତେବେ ଏହି କାବ୍ୟ ପୁରୁଷଙ୍କ କାବ୍ୟ ସାଧନା ସମୟଙ୍କୁ ଓଡ଼ିଆ ସାହିତ୍ୟର ‘ସ୍ୱର୍ଣ୍ଣ’ ତ୍ରିଭୁଜର କାବ୍ୟ ଯୁଗ କହିଲେ ଭୁଲ୍ ହେବ ନାହିଁ ।
ଶେଷ ଜୀବନର କିଛି କଥା
ସେଦିନ ଥାଏ ୧୮୦୬ ମସିହା ଜୁନ୍ ୮ ତାରିଖ ବିଦଗ୍ଧ କବି ଅଭିମନ୍ୟୁ ଇଚ୍ଛା କଲେ, ନିଜର ଆରାଧ୍ୟ ଦେବାଦେବୀ ଶ୍ରୀ ରାଧାମୋହନଙ୍କ ଦର୍ଶନ ନିମନ୍ତେ ବୃନ୍ଦାବନ ଯିବାକୁ । ସମସ୍ତ ନିତ୍ୟକର୍ମ ଶେଷ କରି କବି ବାହାରି ପଡ଼ିଲେ ପ୍ରଭୁଙ୍କ ଦର୍ଶନରେ ଘରଠାରୁ ମାତ୍ର ଦୁଇ କିଲୋମିଟର ବାଟ ଯିବା ପରେ ହରିପୁରଠାରେ ସେ ଶରୀରରେ ଯନ୍ତ୍ରଣା ଅନୁଭବ କଲେ । ବୃନ୍ଦାବନ ଯିବାକୁ ଆଉ ସାହସ କରି ପାରିଲେନାହିଁ । ତାଙ୍କର ବାଲିଆସ୍ଥିତ ଉଆସରୁ ଶ୍ରୀରାଧାମୋହନଙ୍କ ମୂର୍ତ୍ତିକୁ ମଗାଇ ନେଇ ସେଠାରେ ଦର୍ଶନ କଲେ ।
ଅରାଧ୍ୟ ଦେବତା ଶ୍ରୀରାଧାମୋହନଙ୍କୁ ଦର୍ଶନ କରି, କବି ନିଜକୁ ଧନ୍ୟ ମନେ କଲେ । ସେ ଭାବିଲେ ଏହି ବୋଧହୁଏ ତାଙ୍କର ଶେଷ ଦର୍ଶନ । ତା ପରେ ତାଙ୍କ ମୁଖମଣ୍ଡଳରୁ ଜ୍ୟୋତି କମି ଆସିଥିଲା । ଶରୀର ଅବସ ହୋଇ ଯାଇଥିଲା । ଶ୍ରୀରାଧାମୋହନଙ୍କୁ ସେ ଅପଲକ ନୟନରେ ଚାହିଁଥିଲେ କିନ୍ତୁ ତାଙ୍କ ଶରୀରରୁ ଜୀବାତ୍ମାଟି ଯାଇ ପରମ ଆରାଧ୍ୟ ଦେବତା ଶ୍ରୀ ରାଧାମୋହନଙ୍କ ଦେହରେ ମିଶି ଯାଇଥିଲା ।
କବିଙ୍କ ମର ଶରୀରକୁ ତାଙ୍କର ଆରାଧ୍ୟ ଦେବତା ଶ୍ରୀ ରାଧାମୋହନଙ୍କ ମନ୍ଦିର ସମ୍ମୁଖରେ ରାଜକୀୟ ମର୍ଯ୍ୟାଦାସହ ସମାଧି ଦିଆଯାଇଥିଲା । ଯାହାକି ଥିଲା ତାଙ୍କ ଜୀବନର ଶେଷ ଅଭିଳାଷ । କାରଣ ସେ ଚାହିଁ ଥିଲେ ଇହ ଓ ପରଜଗତରେ ମଧ୍ୟ ଶ୍ରୀରାଧାମୋହନଙ୍କ ସେବାକାରୀ ହୋଇ ରହିବେ । ଏବେବି ମନ୍ଦିର ସମ୍ମୁଖରେ କବିଙ୍କର ସମାଧି ପୀଠ ବିଦ୍ୟମାନ ।
ସମ୍ପାଦକ- ଜଗା ଶିଶୁ ସାହିତ୍ୟ ସଂସଦ
ନାଥପୁର, ବରୀ, ଯାଜପୁର
ମୋ-୯୪୩୭୨୩୦୯୪୬