ଖୋର୍ଦ୍ଧା(ରତ୍ନଗିରି ନ୍ୟୁଜ) : ଖୋର୍ଦ୍ଧା ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ପ୍ରଥମ ବୈଠକ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଭୋକ୍ତା ମାନଙ୍କ ଅଧିକାର ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଉପଭୋକ୍ତା ମାନଙ୍କ ଅଧିକାର ଓ ଦାୟିତ୍ବ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ବଜାରରୁ ବିଭିନ୍ନ ସାମଗ୍ରୀ କ୍ରୟ ବେଳେ ଉପଭୋକ୍ତା ମାନେ ଏହାର ମାନ, ଗୁଣବତ୍ତା, ବ୍ୟବହାର୍ଯ୍ୟ ତାରିଖ ଆଦି ଯାଞ୍ଚ କରିବା ନିମନ୍ତେ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର ଯୋଗଦେଇ ଉପଭୋକ୍ତା ମାନଙ୍କ ଥିବା ବିଭିନ୍ନ ଅଧିକାର ସଂପର୍କରେ ଆଲୋଚନା କରିଛନ୍ତି । ଖାଉଟି ବଜାରର ପରିସୀମା ସମୟକ୍ରମେ ବ୍ୟାପକ ହେଉଥିବାରୁ ଅନେକ ନକଲି ସାମଗ୍ରୀ ଉପଲବ୍ଧ ହେଉଥିବାରୁ ଗ୍ରାହକ ମାନେ ସଚେତନ ହେବା ନେଇ ମତାବ୍ୟକ୍ତ କରିଥିଲେ । ଖାଉଟି ମାନେ କୌଣସି ସ୍ଥାନରେ ଠକାମିର ଶିକାର ହେଲେ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ଅଭିଯୋଗ କରିପାରିବେ ବୋଲି ଶ୍ରୀ ମିତ୍ର ମତବ୍ୟକ୍ତ କରିଛନ୍ତି ।
ପ୍ରାରମ୍ଭରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ସମସ୍ତ ସଭ୍ୟମାନଙ୍କୁ ସ୍ବାଗତ କରିଥିଲେ । ଉପଭୋକ୍ତା ମାନେ ସାମଗ୍ରୀ କ୍ରୟ ବେଳେ ବୈଧ ରସିଦ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିଭଳି ଖୋର୍ଦ୍ଧା ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ ଯୋଗଦେଇ ବିଭିନ୍ନ ସାମଗ୍ରୀ କ୍ରୟ ବେଳେ ସରକାରଙ୍କ ପକ୍ଷରୁ ସ୍ବୀକୃତି ଥିବା ଚିହ୍ନକୁ ଯାଞ୍ଚ କରିବା ଆବଶ୍ୟକତା ରହିଥିବା କହିଥିଲେ । ଖାଉଟି ମାନେ ସଚେତନ ହେଲେ ଠକ ସଂସ୍ଥା ଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଉପସ୍ଥିତ ଏସଡିପିଓ ଦିଲ୍ଲିପ କୁମାର ଦାସ, ଏ ସି ଏସ ଓ ନରସିଂହ ପଣ୍ଡା ,ବୈଧ ଓଜନ ମାପ ବିଜ୍ଞାନ ଅଧିକାରୀ, ଭାରତୀୟ ତୈଳ ନିଗମ ପ୍ରତିନିଧି, ଓକିଲ, ସାମ୍ବାଦିକ, ସ୍ବେଚ୍ଛାସେବୀ, ବୁଦ୍ଧିଜିବୀ ପ୍ରମୁଖ ଯୋଗଦେଇ ଖାଉଟି ଅଧିକାର ଓ ସୁରକ୍ଷା ଉପରେ ମଧ୍ୟ ମତବ୍ୟକ୍ତ କରିଥିଲେ ।