ଭଦ୍ରକ(ରତ୍ନଗିରି ନ୍ୟୁଜ) : ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ। ଆଉ ଆଜି ହେଉଛି ନାମାଙ୍କନ ଦାଖଲର ଶେଷଦିନ। ଏହି ଭିତରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ବିଜେପି ବିଧାୟକ ତଥା ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ଉପନେତା ଥିବା ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ହେତୁ ଏଠାରେ ଉପନିର୍ବାଚନ ହେଉଛି। ଏଣୁ ବିଜେପି ପକ୍ଷରୁ ବିଷ୍ଣୁଙ୍କ ପୁଅ ତଥା ଇଞ୍ଜିନିଅର ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ବିରୋଧରେ କଂଗ୍ରେସରୁ ଆଇନଜୀବୀ ବାବା ହରେକୃଷ୍ଣ ସେଠୀ ଛିଡ଼ା ହୋଇଛନ୍ତି। ସେହିପରି ଶାସକ ବିଜେଡି ପକ୍ଷରୁ ବହୁ ମାନସ ମନ୍ଥନ ପରେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ଦଳ ।
ଧାମନଗର ବିଧାନସଭା ଆସନଟି ସଂରକ୍ଷିତ ହୋଇଥିବାରୁ ବିଜେପି ସୂରଜଙ୍କ ପ୍ରାର୍ଥିତ୍ୱକୁ ନେଇ ସଂପୂର୍ଣ ଏକମତ ଓ ଖୁସି। ବିଷ୍ଣୁଙ୍କ ସମୟରେ ଯଦିଓ ଧାମନଗରର କିଛି ବିଜେପି ନେତା ତାଙ୍କର ବିରୋଧୀ ଥିଲେ ଏବେ ସୂରଜଙ୍କ ସମୟରେ ସେ ସମସ୍ୟା ପ୍ରାୟତଃ ନାହିଁ। ବିଷ୍ଣୁଙ୍କୁ ଭାଇ ଡାକୁଥିବାରୁ ଧାମନଗରର ବିଜେପି ନେତା ଓ କର୍ମୀ ସୂରଜଙ୍କୁ ପୁଅ ବୋଲି ଗ୍ରହଣ କରି ଏକ ହୋଇଛନ୍ତି। ସ୍ଥାନୀୟ ରାଜନୀତିରେ ପ୍ରଭାବ ରଖିଥିବା କୈଳାସ ମହାପାତ୍ର, ବିଜୟ ରାମ, କୈଳାସ ଗୁପ୍ତା, ମନୋରଞ୍ଜନ ମଲ୍ଲିକ ଦଳୀୟ ପ୍ରାର୍ଥୀ ସୂରଜଙ୍କ ପାଇଁ ଅଣ୍ଟା ଭିଡିଛନ୍ତି ।
ସେହିପରି ବିଷ୍ଣୁଙ୍କ ଅନୁଗତ ଥିବା ଅରବିନ୍ଦ ପତି, ବୈକୁଣ୍ଠ ସାହୁ, ଅଶୋକ ପୁହାଣ, ନାରାୟଣ ସାହାଣି, ରଣଜିତ ମହାନ୍ତି, ସୂରଜ ସାହୁ, ଚତୁର୍ଭୁଜ ନାୟକ, ରମେଶ ଚନ୍ଦ୍ର ପତି, ପ୍ରମୋଦ ଆନ୍ଦିଆ ପ୍ରମୁଖ ଜୀ ଜାନ୍ ଲଗାଇ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ମନମୋହନ ସାମଲ ନିଜେ ଏ ନିର୍ବାଚନ ପରିଚାଳନା କରୁଥିବାରୁ ତାଙ୍କ ସହଯୋଗୀମାନେ ଅଣ୍ଟା ଭିଡ଼ିଛନ୍ତି। ପ୍ରାୟ ସବୁ ପଞ୍ଚାୟତରେ ଯୁବକମାନଙ୍କୁ ଏକ କରି ରଖିଥିବା ବିଷ୍ଣୁଙ୍କ ଯୁବ ବାହିନୀରେ କର୍ଣ୍ଣଧାର ସରୋଜ ପରିଡ଼ା ମଧ୍ୟ ସୂରଜଙ୍କ ରଥରେ ସାରଥୀ ସାଜିଛନ୍ତି। ଖାଲି ଏତିକି ନୁହେଁ, ଓଡ଼ିଶା ବାହାରେ ରହୁଥିବା ଯୁବକମାନେ ମଧ୍ୟ ସୋସିଆଲ ମିଡିଆରେ ସୂରଜଙ୍କୁ ନେଇ ଗୋଟିଏ ହାୱା ସୃଷ୍ଟି କରି ସାରିଲେଣି। ତେବେ ବିଗତ ସମସ୍ତ ଉପନିର୍ବାଚନରେ ବିଜେଡି ଜିତିଥିବାରୁ ଏଠି ମଧ୍ଯ ସେହି ଧାରା ବଜାୟ ରଖିବ ବୋଲି ଆଶାବାଦୀ ରହିଛି l ଅନ୍ୟ ପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ପିସିସି ର ଦୁଇ ପୂର୍ବତନ ସଭାପତି ଓ ବର୍ତ୍ତମାନର ସଭାପତି, ଦଳର ଛାମୁଆ ନେତା ମାନେ ନିଜର ପ୍ରଚାର କୁ ଜୋରଦାର୍ କରିଛନ୍ତି l