ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) : ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଆଜି ଜଟଣୀ ବ୍ଲକ ଅନ୍ତର୍ଗତ ଅଙ୍ଗାରପଡ଼ା ପଂଚାୟତର ପାଣିଓରା ଗ୍ରାମରେ ଅଖିମୁଠି ଅନୁକୂଳ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ ଅକ୍ଷୟତୃତୀୟାରେ ଚାଷ କାର୍ଯ୍ୟର ଶୁଭାରମ୍ଭ ହେଉଥିବା ପାଇଁ ଏହି ଦିନଟି ଚାଷୀକୂଳ ପାଇଁ ଏକ ପବିତ୍ର ଦିନ ଭାବେ ଗ୍ରହଣ କରାଯାଏ । ସେଥିପାଇଁ ଚାଷୀପୁଅ କ୍ଷେତକୁ ଯାଇ ପୂଜାର୍ଚ୍ଚନା କରିବା ସହ ଏବର୍ଷ ଚାଷରେ ସଫଳ ହେବାପାଇଁ କାମନା କରିଥାଏ । ଏ ପରମ୍ପରା କାଳ କାଳ ଧରି ଚାଲୁ ରହିଛି
। ଚାଷୀଭାଇ ଯିଏ ନିସ୍ୱାର୍ଥପର ସମଦାନ କରି ମଣିଷ ସମାଜକୁ ବଂଚାଇଥାଏ ଆଜି ସିଏ ନିଜର କର୍ମପ୍ରତି ନିବେଦିତ ହୋଇ ଚାଷ କାର୍ଯ୍ୟ ଆରମ୍ଭ କରେ । ବିଶେଷ କରି ଆମ ରାଜ୍ୟର ପୁରପଲ୍ଲୀରେ ଧାନ କ୍ଷେତରେ ଆଜି ଚାଷୀଭାଇ ହଳ ଲଙ୍ଗଳ ଧରି ଜମିରେ ଚାଷ କରିବା ସହ ଭଲ ଫସଲ ପାଇଁ ଏକ ସଂକଳ୍ପ ନେଇଥାଏ । ଶ୍ରୀ ରାଉତରାୟ କହିଲେ ସେ ଜଣେ ଚାଷୀ ପରିବାରର ଲୋକ ଏବଂ ଆଜି ପର୍ଯ୍ୟନ୍ତ ନିଜ ଗାଁରେ ଚାଷ କାର୍ଯ୍ୟ ଜାରି ରଖିଛନ୍ତି ।
ପାଣିଓରା ଗ୍ରାମର ଅମୀୟ ରଞ୍ଜନ ସ୍ୱାଇଁଙ୍କ ଜମିରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଧନେଶ୍ୱର ରାଉତରାୟ, ଅମୀୟ ରଞ୍ଜନ ସ୍ୱାଇଁ, କାଳନ୍ଦି ମହାରଣା ଓ ସୁନିଲ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।