ବରୀ(ରତ୍ନଗିରି ନ୍ୟୁଜ)୨୦/୧୨:- ଗତ ୧୫ ତାରିଖ ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବରୀ ବ୍ଲକ୍ରେ ଆରମ୍ଭ ହୋଇଥିବା ସାର୍ଟ୍ ହେଲଥ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ସ୍ୱାଇଁଖଣ୍ଡ ପଞ୍ଚାୟତରେ ଆନୁଷ୍ଠାନିକ ଭାବେ ଶେଷ ହୋଇଛି । ସ୍ୱାଇଁଖଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବରୀ ବ୍ଲକ୍ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠୀ ଯୋଗ ଦେଇ ଏହା ସରକାରଙ୍କ ଯୁଗାନ୍ତକାରୀ କାର୍ଯ୍ୟକ୍ରମ । ଏହା ଦ୍ୱାରା ସାଧାରଣ ଗରୀବ ଶ୍ରେଣୀର ଲୋକଟିଏ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ପାଇପାରିବ । ଜନ୍ମରୁ ମୃତ୍ୟୁ ଯାଏଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ସ୍ମାର୍ଟ୍ ହେଲଥ୍ କାର୍ଡ ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀଙ୍କ ପରିବାର ବର୍ଷକୁ ୫ ଲକ୍ଷଟଙ୍କାର ସ୍ୱାସ୍ଥ୍ୟ ବୀମା ପାଇପାରିବେ । ମହିଳା ମୁଖ୍ୟ ଥିବା ପରିବାରରେ ୧୦ ଲକ୍ଷ ପର୍ଯ୍ୟନ୍ତ ସୁବିଧା ରହିଛି ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ । ସ୍ଥାନୀୟ ସରପଞ୍ଚ କିରଣବାଳା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରୀ ବ୍ଲକ୍ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରା, ପୂର୍ବତନ ସରପଞ୍ଚ ତଥା ସ୍ୱାଇଖଣ୍ଡ ପଞ୍ଚାୟତର ବିଜେଡି ସଭାପତି ବିଜୟ କୁମାର ନାୟକ ପ୍ରମୁଖ ଯୋଗଦେଇଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ହରେକୃଷ୍ଣ ପଣ୍ଡା, ଜିଆରଏସ୍ ମନୋଜ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ମାଟ୍ର୍ ହେଲଥ୍ କାର୍ଡ ପାଇଥିବା ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେବା ସହ ଏହା ତାଙ୍କ ପାଇଁ ଅମୂଲ୍ୟ ବରଦାନ ବୋଲି କହିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୫ ତାରିଖ ଦିନ ବରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ମାଟ୍ର୍ ହେଲଥ୍ କାର୍ଡ ଯୋଜନାର ଶୁଭାରମ୍ଭ ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଭାଶିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ବିଡ଼ିଓ ଶିବାନନ୍ଦ ସ୍ୱାଇଁ, ଅଲିପୁର ସରପଞ୍ଚ ବୀରେନ୍ଦ୍ର ମିଶ୍ରଙ୍କ ଦ୍ୱାରା କରାଯାଇଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ପଞ୍ଚାୟତରେ ବିଧାୟିକା ସୁନନ୍ଦା ଦାସ, ଅଧ୍ୟକ୍ଷା ଶ୍ରୀମତୀ ଶର୍ମା ଙ୍କ ସମତେ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ପ୍ରମୁଖ ସ୍ମାଟ୍ର୍ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଆସନ୍ତା ୨୬ ତାରିଖ ସୁଦ୍ଧା ସମସ୍ତ ପଞ୍ଚାୟତରେ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କାର୍ଯ୍ୟ ଶେଷ କରାଯିବ ବୋଲି ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।