ବରୀ(ରତ୍ନଗିରି ନ୍ୟୁଜ)୨୯/୦୪: ସରକାରୀ ଚାକିରୀକୁ ପଛ କରି ବରୀର ଲୋକମାନଙ୍କ ସେବା କରିବା ପାଇଁ ପୁଣ୍ୟତ୍ମା ଗୋପବନ୍ଧୁ ଚୌଧୁରୀ ଯେଉଁ ନିଦର୍ଶନ ଛାଡି ଯାଇଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣଦାୟୀ । ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବରୀ ମାଟିରେ ଅନେକ ଗୋପବନ୍ଧୁ ଚୌଧୁରୀ ସୃଷ୍ଟି ହୁଅନ୍ତୁ ବୋଲି ଗୋପବନ୍ଧୁ ଚୌଧୁରୀଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତୀ ଉନ୍ମୋଚନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।
ଯାଜପୁର ଜିଲ୍ଲାର ବରୀ ବ୍ଲକ୍ ଅର୍ନ୍ତଗତ ରାମଚନ୍ଦ୍ରପୁରସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ଗୋପବନ୍ଧୁ ଚୌଧୁରୀଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତୀ ଉନ୍ମୋଚନ ଉତ୍ସବ ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥିଭାବେ ବରୀ ବିଧାୟିକା ସୁନନ୍ଦା ଦାସ, ଭୁବନେଶ୍ୱର ମହାନିଗମ ମେୟର ସୁଲୋଚନା ଦାସ, ମୁଖ୍ୟବକ୍ତାଭାବେ ଦାଶ ବେନେହୁର, ସମ୍ମାନିତବକ୍ତା ଡକ୍ଟର ଭାଗବତ ଶୁକ୍ଳ ଓ ବିଶିଷ୍ଟ ଭୂଦାନକର୍ମୀ ପ୍ରହ୍ଲାଦ ସିଂ ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁ ଚୌଧୁରୀଙ୍କ ଜୀବନ ସମାଜ ପାଇଁ କେତେ ସର୍ମପିତ ଥିଲା ଆଲୋଚନା କରିଥିଲେ ।
ଏହି ଅବସରରେ ବରୀ ଅଞ୍ଚଳ ପାଇଁ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ନିମନ୍ତେ ବରିଷ୍ଠ ସାମ୍ବାଦିକ ହୃଷିକେଶ ଜେନା, ସେବା ପାଇଁ ମାତୃମଙ୍ଗଳ କେନ୍ଦ୍ରର ତତ୍ତ୍ୱାବଧାରିକା ଭାରତୀ ଘୋଷ, କଳା ପାଇଁ ଚିତ୍ରଶିଳ୍ପୀ ଅକ୍ଷୟ କୁମାର ବେଉରିଆ ଓ ଆଶୁ କବି ଭାବେ ପ୍ରମୋଦ କୁମାର ସାମଲଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ମହାବିଦ୍ୟାଳୟ ପରିସରରେ ପୁଣ୍ୟତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତୀକୁ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଅନାବରଣ କରିବା ସହ ଗୋପବନ୍ଧୁଙ୍କ ସ୍ମୃତି ବିଜଡିତ ସୂତାକଟା ଅରଟକୁ ମଧ୍ୟ ଚଳାଇଥିଲେ ।