ନୂଆଦିଲ୍ଲୀ: କରୋନା ସଂକ୍ରମଣ କମୁଥିବାରୁ ଜାତୀୟ ରାଜଧାନୀରେ କଟକଣାକୁ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସିନେମା ହଲ ଠାରୁ ଆରମ୍ଭ କରି ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସ୍ପାକୁ ମଧ୍ୟ ଖୋଲିବାକୁ ସରକାର ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ଜାରି କରିଥିବା ନୂଆ ଗାଇଡଲାଇନ ଆସନ୍ତା ସୋମବାର ଠାରୁ କାର୍ଯ୍ୟକାରୀ ହେବ। ନୂଆ ଗାଇଡଲାଇନ ଅନୁଯାୟୀ, ସୋମବାର ଠାରୁ ଦିଲ୍ଲୀରେ ଥିବା ସମସ୍ତ ସିନେମା ହଲ ଖୋଲିବ। ତେବେ ୫୦% ଦର୍ଶକ ହିଁ ଏକକାଳୀନ ଫିଲ୍ମ ଦେଖିପାରିବେ। ସମସ୍ତ ମାସ୍କ ପିନ୍ଧିବେ ଓ ଗୋଟିଏ ଶୋ’ ପରେ ହଲକୁ ସାନିଟାଇଜ୍ କରି ଦ୍ୱିତୀୟ ଦଫାରେ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।
ଏହି ନିୟମ ଥିଏଟର ଓ ମଲ୍ଟିପ୍ଲେକ୍ସ ପାଇଁ ମଧ୍ୟ ଲାଗୁ ହେବ। ବିଜନେଶ ଟୁ ବିଜନେଶ ପ୍ରଦର୍ଶନୀକୁ ମଧ୍ୟ ଆରମ୍ଭ କରାଯିବ। ହେଲେ ଏଥିରେ କେବଳ ବ୍ୟବସାୟ ସହ ଜଡ଼ିତ ଦର୍ଶକ ହିଁ ଆସିପାରିବେ। ଗାଇଡଲାଇନରେ ସ୍ପାଗୁଡ଼ିକୁ ଖୋଲିବା ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯାଇଛି।
ଏଠାରେ ସଂକ୍ରମଣକୁ ରୋକିବା ପାଇଁ ଜାରି ପ୍ରୋଟକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସ୍ପାର କର୍ମଚାରୀମାନେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବେ ଓ ସ୍ପା ଖୋଲିବା ପୂର୍ବରୁ ସେମାନଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ହୋଇଥିବ।
ସୋମବାର ଭୋର ୫ଟାରୁ ଦିଲ୍ଲୀର ମେଟ୍ରୋ ଓ ଡିଟିସି ବସ୍ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ସେବା ଆରମ୍ଭ କରିବ।
ଯେତିକି ସିଟ୍ ସେତିକି ଲୋକ ବସ୍ ଓ ମେଟ୍ରୋରେ ଯିବା ଆସିବା କରିପାରିବେ। କେହି ବି ଛିଡ଼ା ହୋଇ ଯାତାୟାତ କରିପାରିବେ ନାହିଁ। ବସ୍ ଓ ମେଟ୍ରୋରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସେହିପରି ଏଗୁଡ଼ିକୁ ନିୟମିତ ସାନିଟାଇଜ ମଧ୍ୟ କରାଯିବ।
Related Stories
May 13, 2024
February 14, 2024