ହିଞ୍ଜିଳିକାଟୁ(ରତ୍ନଗିରି ନ୍ୟୁଜ)୧୨/୧୨: ଅନେକ୍ ଦିନ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ଜିଲ୍ଲା ରେ ସ୍ୱାସ୍ଥ୍ୟ,ଶିକ୍ଷା ଓ ରାସ୍ତା ଉନ୍ନତିକରଣ ଆଦି ବହୁ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି । ଉକ୍ତ ଦିନ ସକାଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପୁରୁଷୋତ୍ତମପୁର ନିକଟରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ପହଞ୍ଚି ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିବା ପରେ ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ମନ୍ଦିରର ପ୍ରସାଦ ମଣ୍ଡପ ପରିସରରେ ମୁଖ୍ୟମନ୍ତ୍ରୀ ପ୍ରସାଦ ସେବନ କରିବା ପରେ ପ୍ରାୟ ୧୧ ଘଣ୍ଟା ୫୫ ମିନଟ ସମୟରେ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମ ପରିସରରେ ନିର୍ମିତ ଅସ୍ଥାୟୀ ହେଲି ପ୍ୟାଡ଼ରେ ଓହ୍ଲାଇ ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ସ୍ବର୍ଗତ ବିଜୁପଟ୍ଟନାୟକଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ କରିବେ । ପରେ ମିଶନ ଶକ୍ତି ଯୋଜନାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବ୍ୟାଙ୍କ୍ ମାଧ୍ୟମରେ ୧୨୫ କୋଟି ଟଙ୍କାର ଋଣ ପ୍ରଦାନ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଦର୍ଶନ ବସ୍ ସେବାର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ସାରି ୫ଟି ସୂତ୍ରପାତରେ ଅନ୍ତର୍ଭୁକ୍ତ ରୂପାନ୍ତରଣ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଳାସରୁମ, ଅତ୍ୟାଧୁନିକ ବିଜ୍ଞାନଗାର, ଇ ଲାଇବ୍ରେରୀ ପରିଦର୍ଶନ ଶେଷ କରି ଭୂବନେଶ୍ଵର ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଆବଶ୍ୟକତା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ମୁଖ୍ୟତଃ ସ୍ଥାନୀୟ ସହର ମଧ୍ୟ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର କଲେଜ ଛକ ଠାରୁ ରଜାସାହି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ରାସ୍ତାକୁ ସୁରକ୍ଷା ଦୃଷ୍ଟିରୁ ଅବରୋଧ କରାଯାଇଛି । ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାତାୟାତ କରୁଥିବା ୨ ଓ ୪ ଚକିଆ ଯାନ ଗୁଡିକ ପାଇଁ ଆରଏମସି ଛକ ରାସ୍ତା ଦେଇ ନୂଆଗଡ, କୋର୍ଟ ରାସ୍ତା ଦେଇ ଘୋଡାହାଡ ନଦୀ ନିକଟ ରାସ୍ତାରେ ଯାତାୟତ କରିବା ଓ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବାକୁ ଥିବା ୨ ଓ ୪ ଚକିଆ ଯାନ ବାହାନ ଗୁଡିକ ବଇଞ୍ଚବଣିଆ ଛକ, ଆଙ୍କୋରଡା, ଶିଶୁ ମନ୍ଦିର, ହିଞ୍ଜିଳି ରାସ୍ତା ଦେଇ ଆରଏମସି ଛକ ପର୍ଯ୍ୟନ୍ତ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ଏକବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ସେହିପରି ଯାତ୍ରୀବାହୀ ବସ୍ ଓ ମାଲ ପରିବହନକାରୀ ଯାନବାହାନ ଗୁଡ଼ିକୁ ପୋଚିଲିମା ରାସ୍ତା ଦେଇ କୁରୁଳା ରାସ୍ତା ଦେଇ ଯାତାୟତ କରିବା ପାଇଁ ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ସହରର ହାଇସ୍କୁଲ ପଡ଼ିଆ ଠାରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବାରିକେଡ ନିର୍ମାଣ କରାଯାଇଛି । ଗତ ୩ ଦିନ ଧରି କ୍ରମାଗତ ଭାବେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ସମେତ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଉପଜିଲ୍ଲାପାଳ ନୀଳ ମାଧବ ଭୋଇ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା,ଆସିକା ଏସଡିପିଓ ଉମା ଶଙ୍କର ସିଂ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡା,ବିଡ଼ିଓ ସୁବ୍ରତ କୁମାର ଜେନା, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ସହରର ବିଭିନ୍ନ ସ୍ଥାନ ବୁଲି ସମୀକ୍ଷା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ସମୟରେ ୧୩ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହିତ ବହୁ ପୋଲିସ ଅଧିକାରୀ ନିୟୋଜିତ ରହିବେ ବୋଲି ଆସିକା ଏସଡିପିଓ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଗତ ୨୦୧୯ ସାଧାରଣ ନିର୍ବାଚନ ପରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଦଳୀୟ କର୍ମୀ ମହଲରେ ବେଶ ଉତ୍ସାହ ବୃଦ୍ଧି ପାଇଛି ।
Related Stories
December 9, 2024
December 1, 2024