ବରୀ(ରତ୍ନଗିରି ନ୍ୟୁଜ) ୧୦/୦୨: ବାଲି ମାଫିଆଙ୍କୁ ଚେକ ଦେବା ପାଇଁ ହୋଇଥିବା ଚେକ ପୋଷ୍ଟ ଶେଷରେ ଦୁର୍ବୁତ୍ତ ଭାଙ୍ଗି ଦେଲେ l ଏ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି l ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତର ବ୍ରାହ୍ମଣୀ-ବିରୂପା ଘେରି ବନ୍ଧ ଉପରେ ନିର୍ମାଣ କରାଯାଇଥିବା ଚେକ ପୋଷ୍ଟକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ଜଣାପଡିଛି l ଏଠାରେ ବେଆଇନ ବାଲି ମାଫିଆମାନେ ବିରୂପା ନଦୀରୁ ବାଲି ଉଠାଇ ପାଖ କେନ୍ଦ୍ରାପଡା ଜିଲ୍ଲାକୁ ଚୋରା ଚାଲାଣ କରିଥାନ୍ତି l
ଯାହା ଫଳରେ ଯାଜପୁର ଜିଲ୍ଲାର ଲକ୍ଷ୍ୟାଧିକ ଟଙ୍କାର ରାଜସ୍ବ ହାନି ହେଉଥିଲା। ଏହାକୁ ଗୁରୁତ୍ୱ ଦେଇ ପ୍ରଶାସନ ତରଫରୁ ସେଠାରେ ଚେକ ପୋଷ୍ଟ ନିର୍ମାଣ କରାଯାଇଥିଲା।
କେବଳ ସେତିକି ନୁହେଁ ଭାରିଯାନ ସେରପୁର-ମହାକାଳପଡ଼ା ରାସ୍ତା ଉପରେ ଯାତାୟାତ କରୁଥିବାରୁ ଏହି ରାସ୍ତା ବାରମ୍ବାର କ୍ଷତିଗ୍ରସ୍ତ ହେବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକମାନଙ୍କ ଦାବିକୁ ଗୁରୁତ୍ୱ ଦେଇ ପ୍ରଶାସନ ତରଫରୁ ଭାରି ଯାନ ଚଳାଚଳ ଉପରେ ରୋକ ଲଗାଇବା ନିମନ୍ତେ ମହାକାଳପଡ଼ା ନିକଟସ୍ଥ ନଦୀ ବନ୍ଧ ଉପରେ ଏକ ଚେକ ପୋଷ୍ଟ ନିର୍ମାଣ କରା ଯିବା ସାଙ୍ଗକୁ ଭାରି ଯାନ ଚଳାଚଳ ନ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ଗତକାଲି ବିଳମ୍ବିତ ରାତିରେ ପ୍ରଶାସନ ତରଫରୁ ନିର୍ମାଣ କରାଯାଇଥିବା ଚେକ ପୋଷ୍ଟ କୁ ଦୁର୍ବୁତ୍ତ ମାନେ ଭାଙ୍ଗିଦେବା ଘଟଣାକୁ ନେଇ ଜଳସମ୍ପଦ ବିଭାଗ ତରଫରୁ ସହକାରୀ ଯନ୍ତ୍ରୀ କେଶବ ଚନ୍ଦ୍ର ବେହେରା ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ରିପୋର୍ଟ : ସନ୍ତୋଷ କୁମାର ରାଉତ, ବରୀ