ଜଗତସିଂହପୁର (ରତ୍ନଗିରି ନ୍ୟୁଜ): ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କନ୍ଦରପୁର-ମାଛଗାଁ ଜାତୀୟ ରାଜପଥର ସୁବର୍ଣ୍ଣବରାହୀ ମନ୍ଦିର ସମ୍ମୁଖରେ ଏକ ଦ୍ରୁତଗାମୀ ଅଡ଼ି କାର୍ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଏକ ସ୍ଥାୟୀ ଦୋକାନକୁ ଧକ୍କା ଦେଇଛି । ଶନିବାର ସପ୍ତାହନ୍ତ ସଟ୍ଡାଉନ୍ ହେତୁ ଜଗତସିଂହପୁର ସହରରେ ବିଶେଷ ଜନଗହଳି ନ ଥିବାରୁ ଏହି କାର୍ଟି ଦ୍ରୁତଗତିରେ କଟକରୁ ମାଛଗାଁ ଅଭିମୁଖେ ଯାଉଥିଲା । ଓଡ଼ି-୦୫-ଏଏ- ୯୪୩୩ ନମ୍ୱର ବିଶିଷ୍ଟ ଏହି କାର ରେ ଡ୍ରାଇଭରକୁ ମିଶାଇ ମୋଟ ୪ଜଣ ଯାତ୍ରୀ ଯାଉଥିଲେ । ତେବେ ରାସ୍ତା ଶୁନ୍ଶାନ୍ ଥିବାରୁ ଏହି କାର୍ଟି ଦ୍ରୁତ ଗତିରେ ଆସୁଥିବା ସମୟରେ ସୁବର୍ଣ୍ଣବରାହୀ ମନ୍ଦିର ସମ୍ମୁଖରେ ରାସ୍ତାରେ ଯାଉଥିବା ଏକ ବୁଲେଟ୍ ମେଟାର ସାଇକେଲକୁ ପ୍ରଥମେ ଧକ୍କା ଦେଇ, ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଏକ ଦୋକାନ ଘର ଉପରେ ଚଢ଼ି ଯାଇଥିଲା । ତେବେ ବୁଲେଟ୍ ଆରୋହୀ ଜଣକ କାର ଧକ୍କାରେ ବିରୀତ ପାର୍ଶ୍ୱକୁ ଛିଟିକି ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । କାର୍ରେ ଥିବା ଏୟାର ବେଲୁନ୍ ଯୋଗୁଁ ଯାତ୍ରୀମାନଙ୍କର ବିଶେଷ କ୍ଷତି ନ ହୋଇ ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିବା ଜଣାପଡିଛି । ଖବର ପାଇ ଜଗତସିଂହପୁର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି ।
Related Stories
November 8, 2024