ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) :-ଓଡିଶା ସରକାରଙ୍କ କାର୍ଯ୍ୟ ଦକ୍ଷତା ହେଉଛି ବିଶ୍ୱସ୍ତରୀୟ । କାମ ହେଉ କି ନହେଉ କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବଡ ବଡ ବିଜ୍ଞାପନ ମାଧ୍ୟମରେ ନିଜ ଦକ୍ଷତାକୁ ବିଶ୍ୱସ୍ତରରେ ପହଂଚାଇବାରେ ରାଜ୍ୟ ସରାକର ପୂରା ଓସ୍ତାଦ । କେନ୍ଦ୍ରୀୟ ଯୋଜନାକୁ ନିଜେ କରୁଛି କହି ବ୍ରାଣ୍ଡିଙ୍ଗ କରିବା, ମିଥ୍ୟା ତଥ୍ୟ ରଖି ଲୋକଙ୍କୁ ଭ୍ରମିତ କରାଇବା ଏବଂ ସବୁଠୁ ବଡ କଥା ହେଉଛି ପର ଘର ତିଅଣରେ ଅତିଥି ଚର୍ଚ୍ଚା କରିବା ପରି ଫାଗ୍ଲସିପ ପୋଗ୍ରାମରେ ମଧ୍ୟ ରାଜ୍ୟ ସରକାର ନିଜେ କରୁଛି କହି ବାହା ବାହା ନେଉଛନ୍ତିି । ଏସବୁ ଭିତରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ନୂଆ କୀର୍ତିମାନ ସ୍ଥାପନା କରିଛନ୍ତି । ୧ ଲକ୍ଷରୁ ଉର୍ଦ୍ଧ୍ୱ ଘର ବଂଟନରେ ଅନିୟମିତତା କରି ପାଖାପାଖି ୧୦୦୦ କୋଟି ଟଙ୍କାର ଦୁର୍ନୀତିିରେ ବିଶ୍ୱସ୍ତରୀୟ ରେକର୍ଡ କରିଛନ୍ତି ଓଡିଶା ସରକାର । ଏହା ସହ ଦୁର୍ନୀତିଗ୍ରସ୍ତ ସରକାର ଭାବେ ବିଶ୍ୱସ୍ତରୀୟ ର୍ୟାଙ୍କରେ ପ୍ରଥମ ସ୍ଥାନ ବିଜେଡି ଅକ୍ତିଆର କରିଛି ବୋଲି ବିଜେପି ନେତୃବୃନ୍ଦ କଟାକ୍ଷ କରି କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ରାଜ୍ୟବ୍ୟାପୀ ବ୍ଲକ ଘେରାଓ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ବଂଟନ କରିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ବଂଟନରେ ହୋଇଥିବା ମହାଦୁର୍ନୀତିକୁ ପର୍ଦ୍ଦାଫାଶ କରିବା ପାଇଁ ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ବିଜେପି କାର୍ଯ୍ୟକର୍ତାମାନେ ଦାବି କରିଛନ୍ତି । ଆଜି ରାଜ୍ୟର ବିଭିନ୍ନ ବ୍ଲକ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତାମାନେ ପ୍ରତିବାଦ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ବାସଗୃହ ଆବଂଟନ ପ୍ରସଙ୍ଗରେ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍ ତାଙ୍କ ତଦନ୍ତ ରିପୋର୍ଟରେ ରାଜ୍ୟ ସରକାରଙ୍କ ମହାଦୁର୍ନୀତିକୁ ପର୍ଦ୍ଦାଫାଶ କରିଛନ୍ତି । ରିପୋର୍ଟ ଅନୁଯାୟୀ ୧ ଲକ୍ଷରୁ ଉର୍ଦ୍ଧ୍ୱ ଘର ବଂଟନରେ ଅନିୟମିତତା ହେବା ସହ ପାଖାପାଖି ୧୦୦୦ କୋଟି ଟଙ୍କାର ବାଟମାରଣା ହୋଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ଦଳୀୟ ଭିତିରେ, ଗୋଟିଏ ଗୋଟିଏ ପରିବାରରେ ଏକାଧିକ, ଅଯଥା ଅନୁକଂପା ପ୍ରଦର୍ଶନ, ଗୁହାଳକୁ କଚ୍ଚା ଘର ଭାବେ ଜିଓ ଟ୍ୟାଗିଂ କରାଯାଇ ବାସଗୃହ ଆବଂଟନ କରାଯାଇଛି । ଏପରିକି ଏ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ୱେବସାଇଟରେ ନିର୍ମିତ ଘରର ଡମି/ନକଲି ଏଂଟ୍ରି କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଷ୍ଟିକର ଛୋଟ ଆକାରରେ ଓ ବିଜୁ ପକ୍କା ଘର ଯୋଜନାର ବଡ ଷ୍ଟିକର ଲଗାଯାଇଛି । ପିଏମ ଆବାସ ଯୋଜନାର ପାଣ୍ଠିକୁ ଅନ୍ୟ କାହାକୁ ହସ୍ତାନ୍ତର କରିବା ପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ନମ୍ବରକୁ ପରିବର୍ତନ କରାଯାଇଛି । ଏହି ଦୁର୍ନୀତି କେବଳ ୫ଟି ଜିଲ୍ଲାର ୯ଟି ବ୍ଲକର ସର୍ଭେରୁ ଜଣାପଡିଛି । ଯଦି ସମସ୍ତ ଜିଲ୍ଲାକୁ ସମୀକ୍ଷା କରାଯିବ ତେବେ ରାଜ୍ୟ ସରକାର ଆଉ ମୁହଁ ଦେଖାଇବା ଅବସ୍ଥାରେ ରହିବେନି ବୋଲି ବିଜେପି ନେବୃନ୍ଦ କହିଛନ୍ତି ।
ଫନି ବାତ୍ୟା ପରବର୍ତୀ ସମୟରେ ପକ୍କା ଘର ବଂଟନରେ ରାଜ୍ୟ ସରକାରଙ୍କ ଟାଳ ଟୁଳ ନୀତି ପଦାକୁ ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାକୁ ଘର ଆବଂଟନ ଶୂନ ରହିଥିବାବେଳେ କେବଳ ଝାରସୁଗୁଡା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନ କରାଯାଇଛି । ରାଜ୍ୟ ସରକାର ପକ୍କା ଘର ବଂଟନରେ ଦୁର୍ନୀତି କରିବା ସହ ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ଅନ୍ୟାୟ ଓ ପାତରଅନ୍ତର କରିଛନ୍ତି । ଏହାକୁ କେବେବି ବରଦାସ୍ତ କରାଯିବ ନାହିଁ ।
ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଜିଲ୍ଲା ବାହାରର ଅଧିକାରୀଙ୍କ ଦ୍ୱାରା ସାନି ସର୍ଭେ କରାଯାଇ ହିତାଧିକାରୀଙ୍କ ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ । ଫେବୃଆରୀ ୨୦୨୦ ରେ ଆହୁରି ଆବେଦନ / ଅଭିଯୋଗ ପତ୍ରକୁ ଯାଂଚ୍ କରି ଇନପୁଟ୍ ଭାବରେ ଗ୍ରହଣ କରାଯାଉ । ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉ । ଯେଉଁ ଅଧିକାରୀ ଏହି ଦୁର୍ନୀତିରେ ସିଧା ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କର ନାମ ଗଣମାଧ୍ୟମ ଓ ସାମାଜିକ ଗଣ ମାଧ୍ୟମରେ ପ୍ରଚାରିତ କରାଯାଉ ବୋଲି ବିଜେପି ନେବୃନ୍ଦ ଦାବି କରିଛନ୍ତି ।
୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରା ଆବାସ ଯୋଜନା ଏକ ଫ୍ଲାଗସିପ୍ ପ୍ରୋଗ୍ରାମ । କିନ୍ତୁ ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତ ହେଉଛନ୍ତି । ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ । ରାଜ୍ୟର ପ୍ରତ୍ୟେକ ବାସଗୃହହୀନ ଗରୀବଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ବିଜେପି ପ୍ରତିଶୃତିବଦ୍ଧ ।
ଖୋର୍ଦ୍ଧା ଜିଲ୍ଲାର ଚିଲିକା ଓ ବାଣପୁରଠାରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଟାଙ୍ଗୀରେ କାଳୁ ଖଣ୍ଡାୟତରାୟ; ଭୁବନେଶ୍ୱରେରେ ଜିଲ୍ଲା ସଭାପତି ବାବୁ ସିଂ; ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରେଙ୍ଗାଲୀରେ ବିଧାୟକ ନାଉରୀ ନାଏକ, ରେଡାଖୋଲରେ ଦେବେନ୍ଦ୍ର ମହାପାତ୍ର; ବୌଦ୍ଧ ଜିଲ୍ଲାର କଂଟାମାଳରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର; ଦେବଗଡ ଜିଲ୍ଲାର ରେମାଳରେ ଅରୁଣ କୁମାର ସାହୁ, ମୀନ କେତନ ପ୍ରଧାନ; ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା ଓ କୁଲାବିରାରେ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ; ବଲାଙ୍ଗୀର ଜିଲ୍ଲାର ଅଗଲାପାଲିରେ ବିଧାୟକ ଡ.ମୁକେଶ ମହାଲିଙ୍ଗ; କଳାହାଣ୍ଡି ଜିଲ୍ଲାର କୋକସରାରେ ବଦ୍ରି ପଟ୍ଟନାୟକ, ଧର୍ମଗଡରେ ସୁଧୀର ପାଟଯୋଶୀ, ଜୁନାଗଡରେ ଅଜୟ ପାଣିଗ୍ରାହୀ, କର୍ଲାମୁଣ୍ଡାରେ ନମିତା ସାହୁ, ଏମ.ରାମପୁରରେ ପ୍ରଶାନ୍ତ ସାହୁ; ସୋନପୁର ଜିଲ୍ଲାର ଉରୁଣ୍ଡାରେ ସୌଦାମିନୀ ଜାର୍, ବୀରମହାରାଜ ପୁରରେ ନନ୍ଦିନୀ ପଣ୍ଡା; ଗଂଜାମ ଜିଲ୍ଲାର ହିଂଜିଳିକାଟୁରେ ଶିଶିର ମିଶ୍ର; ସୁନ୍ଦରଗଡ ଜିଲ୍ଲା ନୂଆଗାଁରେ ବିଧାୟକ ଶଙ୍କର ଓରାମ ଓ ଲତିକା ପଟ୍ଟନାୟକ; ବରଗଡ ଜିଲ୍ଲାର ଭଟଲିରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ପାଇକମାଳରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ; କେନ୍ଦୁଝର ଜିଲ୍ଲାର ଝୁମୁରାରେ ବିରୋଧୀ ଦଳ ସଚେତକ ମୋହନ ମାଝୀ; ପୁରୀ ଜିଲ୍ଲାର ସଦର ବ୍ଲକରେ ବିଧାୟକ ଜୟନ୍ତ ଷଡଙ୍ଗୀ, ଶଙ୍କର ପରିଡା, ନିମାପଡାରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡା; ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଗଡରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରମେଶ ସାହୁଙ୍କ ସମେତ ରାଜ୍ୟର ପ୍ରମୁଖ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ବିଡିଓ ଜରିଆରେ ପ୍ରଦାନ କରାଯାଇଥିଲା ।
ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ । ଆବାସ ଯୋଜନାରେ ହୋଇଥିବା ମହାଦୁର୍ନୀତି ବିରୁଦ୍ଧରେ ବ୍ୟାପକ ଜନ ଆନ୍ଦୋଳନ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଜେପି ପକ୍ଷରୁ ନିଆଯିବ ବୋଲି ଦଳ ତରଫରୁ ସ୍ପଷ୍ଟ ରୂପେ ଘୋଷଣା କରାଯାଇଛି ।
Related Stories
September 30, 2024
September 27, 2024