ଦିଲ୍ଲୀ- ଦୀର୍ଘ ୧୧ ମାସ ପରେ ଗାଜିଆବାଦ-ଦିଲ୍ଲୀ ମୁଖ୍ୟ ରାଜପଥ ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଶୁକ୍ରବାର ଠାରୁ ଦିଲ୍ଲୀ ପୁଲିସ୍ ଗାଜିପୁର ସୀମାରେ ଲାଗିଥିବା ବ୍ୟାରିକେଡ ହଟାଇବାକୁ କ୍ରେନ ଓ ଶ୍ରମିକମାନଙ୍କୁ ପଠାଇଛି। ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେରେ ଥିବା ସମସ୍ତ ବ୍ୟାରିକେଡକୁ ହଟାଇବାକୁ ପୁଲିସ୍ ନିଷ୍ପତ୍ତି ନେଇଛି।
କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ରାଜଧାନୀ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ପୁଲିସ୍ ୧୧ ମାସ ହେଲା ସବୁ ସୀମାନ୍ତ ଅଞ୍ଚଳରେ ଏପରି ବ୍ୟାରିକେଡ୍ କରିଥିଲା। ଏବେ କିନ୍ତୁ ଏହି ବ୍ୟାରିକେଡ୍ଗୁଡ଼ିକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।
ଚାଷୀ ନେତା ରେକଶ ଟିକାୟତ କହିଛନ୍ତି, ଦିଲ୍ଲୀ ସୀମାନ୍ତରେ ଚାଲିଥିବା ଆମର ଆନ୍ଦୋଳନ ଜାରି ରହିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୁଲିସ୍ ବ୍ୟାରିକେଡ ହଟାଇବା ଆରମ୍ଭ କରିଛି। ପୁଲିସ୍ ହିଁ ଏହି ରାସ୍ତାଗୁଡ଼ିକୁ ବ୍ୟାରିକେଡ ଲଗାଇ ବନ୍ଦ କରିଥିଲା। ଆମେ କେବେ ହେଲେ ଲୋକଙ୍କ ଯାତାୟାତକୁ ବନ୍ଦ କରି ନଥିଲୁ। ଏକଥା ଆମେ କୋର୍ଟଙ୍କୁ ମଧ୍ୟ ଅବଗତ କରାଇଥିଲୁ ବୋଲି ସେ କହିଛନ୍ତି।