ଭୁବନେଶ୍ୱର : ସାମ୍ବାଦିକତାର.ନୂଆ ତରିକା ଦେଖାଇଲେ ମହିଳା ସାମ୍ବାଦିକ ଏବଂ ତାଙ୍କ ସହଯୋଗୀ l ନିଜକୁ ଆଗ ଧାଡି଼ର ସାମ୍ବାଦିକ ବୋଲି ପରିଚୟ ଦେଇ ଆଦାୟ କରୁଥିଲେ ଦାଦାବଟି l ଏପରିକି ଟଙ୍କା ଲୋଭରେ ପଡି ଅପହରଣ କଲେ ଦୁଇଜଣ ବ୍ୟବସାୟୀଙ୍କୁ l କେବଳ ସେତିକି ନୁହଁ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ଆସିବା ପରେ ସମ୍ପୃକ୍ତା ସାମ୍ବାଦିକଙ୍କ ଚାରି ସହଯୋଗୀଙ୍କୁ ବାନ୍ଧିଛି ରାଜଧାନୀ ଭୁବନେଶ୍ୱରର ନନ୍ଦନନକାନନ ଥାନା ପୋଲିସ ।
କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅପହରଣ ଅଭିଯୋଗରେ ପୁଲିସ୍ ତଦନ୍ତ କରି ଜଣେ ମହିଳା ସାମ୍ବାଦିକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଧରିଛି । ଏହି ଅଭିଯୁକ୍ତ ସାମ୍ବାଦିକା ଜଣକ ହେଲେ, ‘ଲାଇଭ୍ କଳିଙ୍ଗ’ ୱେବ୍ ପୋର୍ଟାଲର ପ୍ରିୟମ୍ବଦା ନାୟକ । ଏହି ଘଟଣାରେ ପୁଲିସ ଜଣେ ମହିଳା ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ୨ କର୍ମଚାରୀଙ୍କୁ ଅଟକ ରଖିଛି ।
ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା ୱେବ୍ ପୋର୍ଟାଲର ସିଇଓ ରାଜ୍ କିନ୍ତୁ ଫେରାର୍ ଥିବା ଜଣାପଡିଛି। ପୂର୍ଣ୍ଣଚନ୍ଦ୍ର କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝରର ଖଣି ଅଞ୍ଚଳରୁ ଖଣିଜ ସମ୍ପଦ ପରିବହନ କରନ୍ତି । ଯୋଡ଼ା ବଡ଼ବିଲ୍ରୁ ସେମାନଙ୍କ ଟ୍ରକ ଯୋଗେ ମାଲ୍ ପାରାଦୀପ ବନ୍ଦର ଓ ଅନ୍ୟଆଡକୁ ପଠାଯାଏ । ତେବେ ସେମାନେ ସରକାରଙ୍କ ଟିକସ ଫାଙ୍କୁଥିବା ନେଇ ତଥ୍ୟ ଥିବା କହି ପ୍ରିୟମ୍ବଦା ଭୁବନେଶ୍ୱର ଅଫିସକୁ ଆସିବାକୁ କହିଥିଲେ l ଗତ ୧୫ ତାରିଖ ଦିନ ପୂର୍ଣ୍ଣଚନ୍ଦ୍ର ତାଙ୍କ ବ୍ୟବସାୟୀ ସହଯୋଗୀଙ୍କ ସହ ଉକ୍ତ ୱେବ୍ ପୋର୍ଟାଲ ଅଫିସକୁ ଆସିବା ପରେ ୱେବ୍ପୋର୍ଟାଲ ମାଲିକ ରାଜ୍ ଓ ଅନ୍ୟ କର୍ମଚାରୀମାନେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ଟଙ୍କା ଦେବାକୁ ପୂର୍ଣଚନ୍ଦ୍ର ମନା କରିଦେଇବାରୁ ରାଜ୍ ରାଗିଯାଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଏକ ରୁମ୍ରେ ବନ୍ଦ କରି ଦେଇଥିଲେ । ଏମତି ୨ ଦିନ ଧରି ବନ୍ଦୀ କରି ରଖି ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କ ସହଯୋଗୀଙ୍କୁ ନିସ୍ତୁକ ମାଡ ମାରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା l
ଏହି ଘଟଣାରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଘଟଣାରେ ଅନେକ ଅଭିଯୁକ୍ତ ସାମିଲ ଅଛନ୍ତି । ସେମାନଙ୍କୁ ଖୋଜାଚାଲିଛି, ପୂର୍ବରୁ ମଧ୍ୟ ସେମାନେ ଏମିତି ଦାଦାବଟି ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ସେସବୁର ଖୋଳତାଡ଼ ଚାଲିଛି । ୱେବ ପୋର୍ଟାଲ ଅଫିସକୁ ସିଲ କରିଦିଆଯାଇଛି ବୋଲି ପୋଲିସ ସୂଚନା ଦିଆଯାଇଛି।