ରତ୍ନଗିରି,୨୯/୧(ନି.ପ୍ର): ଜୟଦେବଙ୍କ ରଚିତ ଗୀତିଗୋବିନ୍ଦ ଓ କବି ତିଳକ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଦ୍ୱାରା ରଚିତ ବିଦଗ୍ଧ ଚିନ୍ତାମଣିର ପ୍ରମୁଖ ଚରିତ୍ର ଶ୍ରୀରାଧା । ଯାହାଙ୍କ ସମ୍ପର୍କରେ ଉଭୟ କବି ଖୁବ୍ ମାଧୁର୍ଯ୍ୟ ପୂର୍ଣ୍ଣ ବର୍ଣ୍ଣନା କରିଛନ୍ତି । ତେବେ କବି ଅଭିମନ୍ୟୁଙ୍କ କାବ୍ୟରେ କାବ୍ୟ ନାୟିକା ରାଧା ଜଣେ ନାରୀ ନୁହଁନ୍ତି ସେ ଭାବନାର ପ୍ରତୀକ ମାତ୍ର ବୋଲି ଯୁଗାନ୍ତର ସାଂସ୍କୃତିକ ପରିଷଦର ୪୪ତମ ସାମ୍ବତ୍ସରିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଶିଷ୍ଟ କବି ତଥା ସ୍ତମ୍ଭକାର ହରପ୍ରସାଦ ଦାଶ ମତବ୍ୟକ୍ତ କରିଛନ୍ତି ।
ବଡ଼ଚଣା ବ୍ଲକ ରଇପୁର ଘାଟକୂଳଠାରେ ଯୁଗାନ୍ତର ପକ୍ଷରୁ ଏହାର ସାମ୍ବତ୍ସରିକ ସମାରୋହ ଏବଂ କବି ତିଳକ ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୩ ତମ ଜନ୍ମ ଜୟନ୍ତୀ ପରିଷଦର ସଭାପତି କିଶୋର ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥିଭାବେ ବିଶିଷ୍ଟ କବି ତଥା ସ୍ତମ୍ଭକାର ହରପ୍ରସାଦ ଦାଶ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ତଥା ଆଧ୍ୟାତ୍ମିକ ପ୍ରବକ୍ତା ସ୍ୱାମୀ ଡକ୍ଟର ଚିଦାନନ୍ଦ ବ୍ରହ୍ମଚାରୀ ଯୋଗଦେଇ ବିଦଗ୍ଧ କବିଙ୍କ ସୃଷ୍ଟି ସମ୍ଭାର ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ୨୦୨୩ର ଯୁଗାନ୍ତର ସମ୍ମାନ ମୁଖ୍ୟ ଅତିଥି ହରପ୍ରସାଦ ଦାଶଙ୍କୁ ପ୍ରଦାନ କରାଯାଇଥିବାବେଳେ ଯୁଗାନ୍ତର କଳା ସମ୍ମାନ ସୁନାମଧନ୍ୟ ଗୀତିକାର ଅରୁଣ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ସଂଗ୍ରାମୀ ଦୁର୍ଯ୍ୟୋଧନ ମହାପାତ୍ର ସ୍ମୃତି ସମ୍ମାନ ବୈଜ୍ଞାନିକ ଡଃ ଚିତରଞ୍ଜନ ମିଶ୍ରଙ୍କୁ ଅତିଥିମାନେ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରିଥିବାବେଳେ ସଂଗ୍ରାମୀ ବିଚିତ୍ରାନନ୍ଦ ରାୟ ସ୍ମୃତି ସମ୍ମାନ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୟ କୁମାର ବେହେରା, ସଂଗ୍ରାମୀ ଅଭିମନ୍ୟୁ ମହାପାତ୍ର ସ୍ମୃତି ସମ୍ମାନ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଡଃ ବାସୁଦେବ ଦାସ, ଶିକ୍ଷାବିତ୍ ନବଘନ ଜେନା ସ୍ମୃତି ସମ୍ମାନ ମୁଖ୍ୟବକ୍ତା ସ୍ୱାମୀ ଡକ୍ଟର ଚିଦାନନ୍ଦ ବ୍ରହ୍ମଚାରୀ, ଅନନ୍ତ କିଶୋର ନାଟ୍ୟ ସମ୍ମାନ ବିଶିଷ୍ଟ ମଂଚ ନାଟ୍ୟକାର ହର ପ୍ରସାଦ ବାରିକ, ଶିକ୍ଷାବିତ୍ ଭଜହରି ମହାପାତ୍ର ସ୍ମୃତି ସମ୍ମାନ ଶିକ୍ଷକ ତଥା ସୁସଂଗଠକ ରାଜକିଶୋର ଖଟୁଆ ଓ ଶିକ୍ଷାବିତ୍ ହୃଦାନନ୍ଦ ଦାସ ସ୍ମୃତି ସମ୍ମାନ ବିଶିଷ୍ଟ ସାହିତ୍ୟିକ ରବି ଶତପଥିଙ୍କୁ ପ୍ରଦାନ କରାଯାଇଥିଲା । ସମାରୋହରେ ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ସାହୁଙ୍କ ରଚିତ ସଂକ୍ଷିପ୍ତ ମହାଭାରତ ଗଳ୍ପ ସମ୍ଭାରକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।
ଧନଞ୍ଜୟ ପ୍ରଧାନ ଓ ଭାରତୀୟ ରେଳବାଇ ଅଧିକାରୀ ଇଂ ଅଜିତ କୁମାର ପଣ୍ଡାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।୨୦୨୨ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ନିହାରିକା ଦାସ,ଆକାଶ କୁମାର ଜେନା, ଶୁଭମ୍ ଶତପଥି, ଅଲିଭା ଦାସ ଓ ଅଙ୍କିତା ମହାପାତ୍ରଙ୍କୁ ଦୁର୍ଗାଦେବୀ ପ୍ରତିଭା ସମ୍ମାନ, ପ୍ରିୟରଞ୍ଜନ ସାହୁ, ରଶ୍ମିତା ଜେନା,ବହ୍ନିସ୍ନାତା ପରିଡା, ଅର୍ଜୁନ ସାହୁ, ପରମେଶ୍ୱର ମହାନ୍ତି ଙ୍କୁ ବେଣୁଧର ଛାତ୍ର ପ୍ରତିଭା ସମ୍ମାନ ଓ ମାତୃଭାଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ଶୁଭସ୍ମିତା ମହାନ୍ତି, ପାୟଲ ଦାଶ, ଶୁଭ ବ୍ରତ ଶତପଥୀଙ୍କୁ ବାଞ୍ଛାନିଧି ମାତୃଭାଷା ସମ୍ମାନରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପରିଷଦ ର ସମ୍ପାଦକ ଡଃ ଭାଗ୍ୟଧର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ଉମାକାନ୍ତ ବଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ ।