ବରୀ (ରତ୍ନଗିରି ନ୍ୟୁଜ) :-ସ୍ଥାନୀୟ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ସାହୁପଡା-ଧାରପୁରର ପୁରାତନ ଛାତ୍ର ସଂସଦର ବାର୍ଷିକ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଛାତ୍ର ସଂସଦର ସଭାପତି କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଛାତ୍ର ସଂସଦର ସମ୍ପାଦକ ଡକ୍ଟର ନିରଞ୍ଜନ ସାହୁ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଇଂ ବିଜୟ କୁମାର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ମହାନ୍ତି ଅହଂକାର ପରିହାର କରି ନମ୍ରତା ଆଚରଣ କଲେ ଜଣେ ବ୍ୟକ୍ତି କିପରି ସଫଳତାର ଶୀର୍ଷରେ ପହଞ୍ଚିପାରେ ବିଭିନ୍ନ ଉଦାହରଣ ଦେଇ ପ୍ରକାଶ କରିଥିଲେ । ଏଥି ସହିତ ସେ ଶ୍ରୀମନ୍ଦିର ବାଇଶି ପାହାଚର ମାହାତ୍ମ୍ୟ ସମ୍ପର୍କରେ ମଧ୍ୟ ତାତ୍ତ୍ୱିକ ଆଲୋଚନା କରିଥିଲେ ।
ମୁଖ୍ୟଅତିଥି ଇଂ ପଣ୍ଡା ତାଙ୍କର ପାଠପଢାର ମୂଳଦୁଆ କିପରି ଏଇ ବିଦ୍ୟାଳୟରୁ ହିଁ ସୁଦୃଢ ହୋଇଥି ଲା ସେ ପ୍ରସଙ୍ଗ ସହିତ ନିଜ ଛାତ୍ର ଜୀବନର ଅନୁଭୂତି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଦୁଇ ଜଣ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ପଣ୍ଡା ଓ ନାରାୟଣ ଚନ୍ଦ୍ର ଧଳଙ୍କ ସମେତ ୫ଜଣ ପ୍ରାକ୍ତନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ସାହୁ, ପ୍ରବୋଧ କୁମାର ଦେ, ତୃପ୍ତି ପ୍ରସାଦ ବିଶ୍ୱାଳ, ଗୋପାଳ ଚରଣ ଦାସ ଓ କେଶବ ଚନ୍ଦ୍ର ମହାନ୍ତିଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଉତ୍ସବର ମୁଖ୍ୟ ଅତିଥି ତଥା ପୁରାତନ ଛାତ୍ର ଇଂ ବିଜୟ କୁମାର ପଣ୍ଡାଙ୍କୁ ଛାତ୍ର ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା ଓ ମୁଖ୍ୟବକ୍ତା ଶ୍ରୀ ମହାନ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀକାନ୍ତ କୁମାର ଜେନା ମାନପତ୍ର ପାଠ କରିଥିବା ବେଳେ ବରିଷ୍ଠ ଛାତ୍ର ଶୁକଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପୁରାତନ ଛାତ୍ର ତପନ କୁମାର ପଣ୍ଡା, ଡା. ରବିନ୍ଦ୍ର କୁମାର ଜେନା, ପଦ୍ମନାଭ ସାହୁ, ଭରତ ଚନ୍ଦ୍ର ଶ୍ୟାନ୍ତି, ବଳରାମ ପଣ୍ଡା, ଅଭିଳାଷ କର, ଘନଶ୍ୟାମ ସାହୁ, ବିଷ୍ଣୁ ଚରଣ ଜେନା, ସମୀର କୁମାର ପାଣି, ବିଜୟ କୁମାର ଶ୍ୟାନ୍ତି, ବ୍ରହ୍ମାନନ୍ଦ ଜେନା ଓ ନିଳମଣୀ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।