ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ଆଜି ତାଙ୍କର ଦେହାନ୍ତ ହୋଇଛି। ପରିବାର ସଦସ୍ୟ ଏହି ସୂଚନା ଦେଇଛନ୍ତି। ଦାସଗୁପ୍ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ପରିବାରରେ ତାଙ୍କର ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଦୀର୍ଘ ସମୟ ଧରି କିଡ୍ନୀ ରୋଗରେ ପୀଡିତ ଥିଲେ ଏବଂ ପ୍ରତି ସପ୍ତାହରେ ଦୁଇଥର ନିୟମିତ ଡାଏଲିସିସ୍ କରିବାକୁ ପଡୁଥିଲା।ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ଟ୍ୱିଟରରେ ବାନାର୍ଜୀ କହିଛନ୍ତି, “ବିଶିଷ୍ଟ ଫିଲ୍ମ ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ। ନିଜ କାର୍ଯ୍ୟ ମାଧ୍ୟମରେ ସେ ସିନେମାର ଭାଷାକୁ ସ୍ୱତନ୍ତ୍ର କରିଥିଲେ। ତାଙ୍କ ମୃତ୍ୟୁ ଫିଲ୍ମ ସମ୍ପ୍ରଦାୟ ପାଇଁ ଏକ ବଡ କ୍ଷତି । ତାଙ୍କ ପରିବାର, ସହକର୍ମୀ ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା। “
ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ଫିଲ୍ମ ନିର୍ମାତା ଗୌତମ ଘୋଷ କହିଛନ୍ତି, ‘ସ୍ୱାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ ବୁଦ୍ଧ ଦା ଫିଲ୍ମ ନିର୍ମାଣ କରୁଥିଲେ, ପ୍ରବନ୍ଧ ଲେଖୁଥିଲେ ଏବଂ ସକ୍ରିୟ ଥିଲେ। ସୁସ୍ଥ ନହୋଇ ମଧ୍ୟ ସେ ଟୋପ ଏବଂ ଉରୋଜାହାଜର ନିର୍ଦ୍ଦେଶନା ଦେଇଥିଲେ। ତାଙ୍କର ପରଲୋକ ଆମ ସମସ୍ତଙ୍କ ପାଇଁ ଏକ ବଡ କ୍ଷତି ।‘
୧୯୮୦ ଏବଂ ୧୯୯୦ ଦଶକରେ ବୁଦ୍ଧଦେବ ଦାସଗୁପ୍ତା, ଗୌତମ ଘୋଷ ଏବଂ ଅପର୍ଣ୍ଣା ସେନ୍ ବଙ୍ଗଳାକୁ ସମାନ୍ତରାଳ ସିନେମା ଆଣିଥିଲେ। ଏପର୍ଯ୍ୟନ୍ତ ଦାସଗୁପ୍ତଙ୍କ ପାଞ୍ଚଟି ଫିଲ୍ମକୁ ବେଷ୍ଟ ଫିଲ୍ମ ପାଇଁ ଜାତୀୟ ପୁରସ୍କାର ମିଳିସାରିଛି । ଏହା ବ୍ୟତୀତ ତାଙ୍କୁ ଦୁଇଟି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।