ବରୀ,୨୩/୩(ରତ୍ନଗିରି ନ୍ୟୁଜ) : ବରୀବ୍ଲକ ଅନ୍ତର୍ଗତ ନାଥପୁରସ୍ଥ କଳ୍ପବଟ ମେଳଣ ପଡ଼ିଆରେ ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ୪୪ ତମ କଳ୍ପବଟ ମେଳଣ ରବିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ମେଲଣରେ ବହୁ ଛୋଟ ବଡ଼ ବିମାନ ଯୋଗଦେଇ ହୋଲି ଖେଳିଥିଲେ । ଦୋଳ ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀଙ୍କୁ ବସାଇ ମେଲଣ ପଡ଼ିଆକୁ ମହା ଆଡ଼ମ୍ବରରେ ଭଜନ କୀର୍ତ୍ତନ ସହକାରେ ଆଣି ଆସ୍ଥାନରେ ଉପବେସନ କରାଇଥିଲେ। କମିଟି ପକ୍ଷରୁ ପ୍ରଥମେ ଥାନପତି ବିମାନଙ୍କୁ ନିମନ୍ତ୍ରଣ ଜଣାଇବା ପରେ ସେ ପ୍ରଥମ ଚାରାରେ ବସିଥିଲେ।

ଏହି ମେଲଣରେ ନାଥପୁରର ଆଁଠୁଆ ଗୋପାଳ ଏବଂ ରାଧାକୃଷ୍ଣ ବିମାନ ଦ୍ବୟ ଥାନପତି ଆସନରେ ବସିଥିବା ବେଳେ ଶଙ୍କରାକୂଳର ଗୋପୀନାଥଜୀଉ, ଅଲିପୁରର ମଦନ ମୋହନ, ପଣସୁଆର ରାଧା ମାଧବଜି ଆଦି ବଡ଼ବିମାନ ସହ ବହୁ ସଂଖ୍ୟାରେ ଛୋଟ ଛୋଟ ରାଧାକୃଷ୍ଣ ବିମାନ ଯୋଗଦେଇ ହୋରି ଖେଳିଥିଲେ । ବିଭିନ୍ନସ୍ଥାନରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସି ରାଧାକୃଷ୍ଣ ହୋରି ଖେଳ ଦେଖିବା ସହ ହୋରି ପଡ଼ିଆରେ ପଡିଥିବା ବିଭିନ୍ନ ଉଠା ଦୋକାନରୁ ଘରକରଣା ସାମଗ୍ରୀ କିଣାକିଣି କରି ନେଉଥିବା ଦେଖିବାକୁ ମିଳିଥିଲା ।


ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଓ ମେଲଣ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମେଲଣ କମିଟିର ସଭାପତି ବଳରାମ ପଣ୍ଡା, ଉପ ସଭାପତି ବଟକୃଷ୍ଣ ସେଠୀ ଓ ଆକୁଳୀ ଚରଣ ମହାନ୍ତି, ସମ୍ପାଦକ ଶ୍ୟାମ ସୁନ୍ଦର ଜେନା, ସହ ସମ୍ପାଦକ ବିଜୟା ନନ୍ଦ ଜେନା, କୋଷାଧକ୍ଷ ଭିକାରି ଚରଣ ଦାସ ଏବଂ କମିଟିର ସମସ୍ତ ସଦସ୍ୟ ମେଲଣ ପରିଚାଳନାରେ ସହଯୋଗ କରିଥିଲେ ।