ଉଦୟଗିରି(ରତ୍ନଗିରି ନ୍ୟୁଜ) : ଅନ୍ତର୍ଜାତୀୟସ୍ତରରେ ଉଦୟଗିରିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ମାନଚିତ୍ରରେ ପ୍ରାଚୀନ କୀର୍ତ୍ତିରାଜିର ଏକ ନିଆରା ପରମ୍ପରା ରହିଛି। ରାଜ୍ୟ ସରକାର ୩ ଥର ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଉଦୟଗିରିଠାରେ ଆୟୋଜନ କରି ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛନ୍ତି। ଆଗାମୀ ଦିନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକ ଆକର୍ଷଣୀୟ କରାଯିବ ବୋଲି ୧୪ତମ ଉଦୟଗିରି ରାଜ୍ୟସ୍ତରୀୟ ବୁଦ୍ଧ ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରକାଶ କରିଛନ୍ତି। ମହୋତ୍ସବ କମିଟି ସଭାନେତ୍ରୀ ଡ. ଅରୁନ୍ଧତୀ ଦେବୀଙ୍କ ଅଧ୍ୟକ୍ଷତାରେ ଏହି ମହେତ୍ସବ ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା।
ବିଶିଷ୍ଟ ଅତିଥ୍ ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଯୋଗଦେଇ ବୁଦ୍ଧଙ୍କ ଜୀବନ ଶୈଳୀ ଓ ବିଚାର ଧାରା ଏକ ପ୍ରେରଣା ପ୍ରଦାନ କରିଛି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ପୁରୀ ସର୍କଲର ପ୍ରତ୍ନତାତ୍ତ୍ଵିକ ବିଭାଗ ଅଧୀକ୍ଷକ ଡ. ବ୍ରଜସୁନ୍ଦର ଦିବିଷ ଗଡ଼ନାୟକ, ସମ୍ମାନୀତ ଅତିଥି ଭାବରେ ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଓ ଯଚିନ୍ଦ୍ର ନାୟକ ଯୋଗ ଦେଇଥିଲେ। ମହୋତ୍ସବ କମିଟି ଆବାହକ ମହେଶ୍ବର ବଳ ପ୍ରାରମ୍ଭିକ ସୂଚନା ସହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭା ସଞ୍ଚାଳନ କରିଥିଲେ କମିଟିର ସଦସ୍ୟ ଶୁଭେନ୍ଦୁ ଭୂୟାଁ। କିଶୋର ଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ । ଉଦଯାପନୀ ଉତ୍ସବରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ଗଞ୍ଜାମର ପ୍ରସିଦ୍ଧ ଯୋଡି ଶଂଖ ଓ ରଣପା ନୃତ୍ୟ ସାଙ୍ଗକୁ ମୟୁରଭଞ୍ଜର ଛଉ ନୃତ୍ୟ ପରିବେଷଣ କରାଯାଇଥିଲା l