ବରୀ୦୩/୧୨(ରତ୍ନଗିରି ନ୍ୟୁଜ) :ଚଳିତବର୍ଷ ମା ରମାଦେବୀଙ୍କ ୧୨୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଗୋପବନ୍ଧୁ ରମାଦେବୀ ଆଶ୍ରମ ପକ୍ଷରୁ ବର୍ଷତମାମ ଜୟନ୍ତୀ ପାଳନର ଉଦ୍ଘାଟନୀ ସମାରୋହ ଆଜି ଆଶ୍ରମ ପରିସରରେ ବିଷ୍ଣୁଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଡକ୍ଟର ସଂଗ୍ରାମ ଜେନା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ଆଶ୍ରମର ଅନ୍ତେବାସୀମାନେ ସର୍ବଧର୍ମ ପ୍ରାର୍ଥନା ଗାନ କରିଥିଲେ ଓ ପରେ ପରେ ଆଶ୍ରମର ସମ୍ପାଦକ ନିମାଇଁ ରାୟ ପ୍ରାରମ୍ଭିକ ବକ୍ତବ୍ୟ ସହ ଆଭିମୁଖ୍ୟ ପ୍ରକାଶ କରି ବର୍ଷତମାମ ସମଗ୍ର ରାଜ୍ୟରେ ୧୨୫ ତମ ଜୟନ୍ତୀ ପାଳନର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଗାନ୍ଧୀ ଓ ରମାଦେବୀଙ୍କ ମଧ୍ୟରେ ଏକ ତୁଳନାତ୍ମକ ପ୍ରସଙ୍ଗ ଉପରେ ଚର୍ଚ୍ଚା କହିଥିଲେ ମୁଖ୍ୟଅତିଥି ଡକ୍ଟର ଜେନା । କେନ୍ଦ୍ରାପଡ଼ା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ଜଚିନ୍ଦ୍ର ରାଉତ ମୁଖ୍ୟବକ୍ତାଭାବେ ଯୋଗଦେଇ ରମାଦେବୀଙ୍କର ତ୍ୟାଗ ଓ ସାଧନାମୟ ଜୀବନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଦି ନ୍ୟୁଜ ଟୁଡେର ମୁଖ୍ୟ ସମ୍ପାଦକ ଗଗନ ବିହାରୀ ସ୍ୱାଇଁ ରମାଦେବୀଙ୍କ ବହୁବିଧ ଗୁଣ ଉପରେ ଆଲୋକପାତ କରିଥିଲେ ।
ମା ରମାଦେବୀଙ୍କ ସାନ୍ନିଧ୍ୟ ଲାଭ କରିଥିବା ଦୁଇଜଣ ବରିଷ୍ଠ ବ୍ୟକ୍ତି ବେଞ୍ଜରାପୁର ନିବାସୀ ପଦ୍ମନାଭ ଜେନା ଓ ବରୀ ବାଗଦା ନିବାସୀ ବଳରାମ ଜେନାଙ୍କୁ ଏହି ଅବସରରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅଭିମନ୍ୟୁବାଲିଆର ‘ବିଦଗ୍ଧା’ ଅନୁଷ୍ଠାନର ନିର୍ଦ୍ଦେଶକ ଶରତ କୁମାର ଜେନା ଓ ‘ଜଗା ଶିଶୁ ସାହିତ୍ୟ ସଂସଦ’ନାଥପୁରର ସମ୍ପାଦକ ଅଜୟ କୁମାର ଜେନାଙ୍କ ଦ୍ୱାରା ପ୍ରକାଶିତ ‘ଆମ ମାଆ’ ପୁସ୍ତକକୁ ଅତିଥିମାନେ ଲୋର୍କାପିତ କରିଥିଲେ । ମିଳିତ ଓଡିଶା ନିଶାନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ, ରମାଦେବୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଶାନିବାରଣ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁବାଷ ଚନ୍ଦ୍ର ବିଶ୍ୱାଳ, ଡକ୍ଟର ନୃସିଂହ ଚରଣ ବେହେରା, ଦିଲ୍ଲୀପ ଶଙ୍କର ବେହେରା, କପିଳ ଚରଣ ସାମଲ, ଦିଲ୍ଲୀପ ଦାସ, ତରଣୀସେନ ମଲ୍ଲିକ, ପ୍ରମେଶ ମହାନ୍ତି, ବିଜୟ ଦାସ, ଶ୍ରୀକାନ୍ତ ଜେନା ଓ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆଶ୍ରମର ଅନ୍ତେବାସୀ ରମାକାନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।