ବରୀ(ରତ୍ନଗିରି ନ୍ୟୁଜ) :- ଗତ ତିନି ଦିନ ଧରି ଯାଜପୁର ଜିଲ୍ଲାର ବରୀ ବ୍ଲକ୍ ଅନ୍ତର୍ଗତ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରୀ ଅସଦାଚରଣ ଘଟଣାକୁ ନେଇ ଆରମ୍ଭ ହୋଇଥିବା ଆମରଣ ଅନଶନ ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ବିଦ୍ୟାଧର ଧଳଙ୍କୁ ଚାକିରୀରୁ ଉପଜିଲ୍ଲାପାଳ ବହିଷ୍କୃତ କରିବା ଘୋଷଣା କରିଥିଲେ ।

ପରେ ଆମରଣ ଅନଶନରେ ବସିଥିବା ଛାତ୍ରୀ, ତାଙ୍କ ମାଆ, ସହପାଠୀ ଏବଂ ନବ ନିର୍ମାଣ ଯୁବଛାତ୍ର ସଂଗଠନ ସଦସ୍ୟମାନଙ୍କୁ ଉପଜିଲ୍ଲାପାଳ ଅଂଶୁମାନ ଶତପଥି ଫଳରସ ପିଆଇ ଆମରଣ ଅନଶନ ଭଙ୍ଗ କରିଥିଲେ । ଗତ ତିନିଦିନ ଧରି ଲାଗି ରହିଥିବା ଆମରଣ ଅନଶନକୁ ଭଙ୍ଗ କରିବା ପାଇଁ ବ୍ଲକ୍ ଠାରୁ ଜିଲ୍ଲା ଯାଏ ପ୍ରଶାସନ ସବୁ ପ୍ରକାର ଉଦ୍ୟମ କରିବା ସହ ଘଟଣାସ୍ଥଳରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ, ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନ୍ଗୋ, ଏସ୍ଡିପିଓ କୌଳାସ ଚନ୍ଦ୍ର ସେଠୀ, ଅତିରିକ୍ତ ତହସିଲଦାର କଲ୍ଲୋଳ ମିଶ୍ର, ବିଡ଼ିଓ ଅସିତ କୁମାର ମହାନ୍ତି, ପ୍ରମୁଖ ବାରମ୍ବାର ଉପସ୍ଥିତ ରହିବା ସହ ଆଲୋଚନା କରିଥିଲେ ।