ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ):- ନିକଟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସେମାନଙ୍କର ସାଂଗଠନିକ ସମସ୍ୟା ପରେ, ଓଡିଶାର ବିଜେପି ନେତା ଏବଂ କ୍ୟାଡରମାନେ ଅତ୍ୟଧିକ ହତାଶ ଓ ଲକ୍ଷ୍ୟହୀନ ହୋଇପଡିଛନ୍ତି । ତେଣୁ ଏଭଳି ହତାଶ ନେତା ଓ କର୍ମୀଙ୍କ ମନୋବଳ ବଢାଇବାପାଇଁ ବିଜେପି ତାହାର କାର୍ଯ୍ୟକାରିଣୀ ବୈଠକରେ ମନଗଢା ବିବୃତିମାନ ଦେଉଥିବା ବିଜେଡି ମୁଖପାତ୍ର ଏଲିନା ଦାସ କହିଛନ୍ତି । ବିଜେପି ବିବୃତିର ଜବାବ ଦେଇ ଶ୍ରୀମତୀ ଦାସ କହିଛନ୍ତି ଯେ ଓଡିଶାରେ ଅତ୍ୟନ୍ତ ହତାଶ ଅବସ୍ଥାରେ ଥିବା ବିଜେପି କ୍ୟାଡରମାନଙ୍କର ମନୋବଳ ବୃଦ୍ଧିପାଇଁ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କି ମିଥ୍ୟା ବିବୃତିମାନ ଦିଆଯାଇଛି । ଉତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଆଦି ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶା ଅତି ସଫଳତାର ସହ କୋଭିଡ ସ୍ଥିତିକୁ ମୁକାବିଲା କରିଛି । ଗ୍ରାମୀଣ ଗୃହ ନିର୍ମାଣ, ଏମଏନଆରଇଜିଏ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଓଡିଶାକୁ ମଧ୍ୟ ପୁରସ୍କୃତ କରିଛନ୍ତି । ଏଥିରୁ ଜଣାପଡୁଛି ଯେ ଓଡିଶାର ବିଜେପି ନେତାମାନେ ଏ ବିଷୟରେ ଆଦୌ ଅବଗତ ନାହାଁନ୍ତି । ବିଜେପିର ବିବୃତିରୁ ଜଣାପଡୁଛି ଯେ ଏହି ଦଳର ନେତାମାନେ କୋଭିଡ ଉପରେ ଜଣେ ଜଣେ ଆତ୍ମ ଘୋଷିତ ବିଶେଷଜ୍ଞ ପାଲଟି ଯାଇଛନ୍ତି । ତେଣୁ ପ୍ରଭାବଶାଳୀ ଢଙ୍ଗରେ କୋଭିଡ ପରିଚାଳନା ହୋଇପାରୁନଥିବା ବିଜେପି ଶାସିତ ରାଜ୍ୟ ଉତରପ୍ରଦେଶ, ହରିୟାଣା, ବିହାର, ଉତରାଖଣ୍ଡ ଆଦିରେ ସେମାନଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯିବା ଉଚିତ । ବାସ୍ତବରେ, ସେମାନଙ୍କୁ କେନ୍ଦ୍ର ସରକାରଙ୍କ କୋଭିଡ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯିବା ଉଚିତ ଯାହା ଦ୍ୱାରା ସେମାନେ ଅଧିକ ପ୍ରଭାବଶାଳୀ ଢଙ୍ଗରେ କୋଭିଡ ପରିଚାଳନା ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ ପାରିବେ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଦାସ କହିଛନ୍ତି ।
Related Stories
November 14, 2024